ନୂଆବର୍ଷ ମଜା ଫିକା: ଦୀଘାମୁହାଁ ପର୍ଯ୍ୟଟକ

ଭୋଗରାଇ, ୨।୧(ଡି.ଏନ.ଏ.)  କୋଭିଡ୍‌ କଟକଣା ଯୋଗୁ ନୂଆବର୍ଷ ପାଳନ ଫିକା ପଡିଛି। ବାଲେଶ୍ୱର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଖାଁ ଖାଁ ପରିବେଶ ପରିଲକ୍ଷିତ ହୋଇଥିଲା। ଉଦୟପୁର, ତାଳସାରୀ, ବିଚିତ୍ରପୁର ଇକୋ ଟୁରିଜିମ୍‌, କୀର୍ତ୍ତନିଆ, ଚୌମୁଖ, ଡଗରା, ବାହାବଳପୁର ଓ ଚାନ୍ଦିପୁର ବେଳାଭୂମିକୁ ବହୁ ପର୍ଯ୍ୟଟକ ଆସିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଅଟକାଇବା ସହ ଭିଡ଼ ନ ଜମାଇବା, ଭୋଜିଭାତର ଆସର ଉପରେ ରୋକ୍‌ ଲଗାଇଛି। ଅପରପକ୍ଷରେ ଓଡ଼ିଶା ସୀମାନ୍ତକୁ ଲାଗିଥିବା ଦୀଘା ବେଳାଭୂମିରେ ପର୍ଯ୍ୟଟକମାନେ ଭିଡ ଜମାଇଛନ୍ତି। ଓଡ଼ିଶା ବେଳାଭୂମିରେ ପୋଲିସ କୋଭିଡ୍‌ କଟକଣା କଡ଼ାକଡ଼ି ଯୋଗୁ ବହୁ ପର୍ଯ୍ୟଟକ ଦୀଘା ବେଳାଭୂମିରେ ଭୋଜିଭାତର ଆସର ଜମାଇ ସମୁଦ୍ରରେ ଗାଧୋଇବାର ମଜା ନେବା ସହ ସାଏନ୍ସ ପାର୍କ, ଅମରାବତୀ ପାର୍କ, ସ୍ନେକ ପାର୍କ, ଟୟଟ୍ରେନ୍‌ରେ ଚଢ଼ିବା, ବିଶ୍ୱବାଂଲା ସି ବିଚ୍‌ରେ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ। ତେବେ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ସମସ୍ତଙ୍କୁ ମାସ୍କ ପରିଧାନ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନୂଆବର୍ଷ ଲାଗି ବିଭିନ୍ନ ହୋଟେଲ, ଲଜ୍‌, ରେଷ୍ଟୁରାଣ୍ଟଗୁଡ଼ିକ ପର୍ଯ୍ୟଟକଙ୍କ ନିମନ୍ତେ ରଙ୍ଗୀନ ବିଦ୍ୟୁତ୍‌ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମନ୍ଦିର ମୁଖ୍ୟ ଫାଟକରେ ସକାଳ ୭ଟାରୁ ତାଲା ପକାଯାଇ ଭକ୍ତମାନଙ୍କୁ ଛଡ଼ାଯାଇ ନ ଥିଲା। ଭୂଷଣ୍ଡେଶ୍ୱର ମହାଦେବଙ୍କଠାରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ବାରଣ କରାଯାଇଥିଲା। ଚଳିତବର୍ଷ ପଞ୍ଚାୟତ ନିର୍ବାଚନ ହେଉଥିବାରୁ ଆଶାୟୀ ପ୍ରାର୍ଥୀମାନେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।