ଏଥର ଭିନ୍ନ ଫର୍ମୂଲା: ମେଣ୍ଟ ହେବ, ମାତ୍ର ସରକାରରେ ସାମିଲ ହେବେ ନାହିଁ

ଭୁବନେଶ୍ୱର,୮ା୩: ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏବଂ ଭାଜପା ମେଣ୍ଟ ଗଠନକୁ ନେଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଲାଗିରହିଛି। ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ ପରେ ବୈଠକ ଏବଂ ଦିଲ୍ଲୀରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡା ଓ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସୁଥିବା ଘନଘନ ବୈଠକକୁ ନେଇ ଖୁବ୍‌ ଚର୍ଚ୍ଚା। ତେବେ ବୈଠକରେ କ’ଣ ନିଷ୍ପରି ହୋଇଛି ସେ ନେଇ ଉଭୟ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷରେ ଗୁରୁବାର ସନ୍ଧ୍ୟାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ନୂଆଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି।

ଆସନ ବୁଝାମଣା ଚୂଡ଼ାନ୍ତ ହେବା ପରେ ଉଭୟ ଦଳ ପକ୍ଷରୁ ମେଣ୍ଟ ନେଇ ଶୁକ୍ରବାର ଘୋଷଣା ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୪ ଓ ୨୦୦୯ରେ ହୋଇଥିବା ମେଣ୍ଟଠାରୁ ନୂଆ ମେଣ୍ଟ ଭିନ୍ନ ହେବ। ଉଭୟ ଦଳ ମଧ୍ୟରେ
ଆସନ ବୁଝାମଣା ହେଲେ ମଧ୍ୟ କେହି ସରକାରରେ ସାମିଲ ହେବେ ନାହିଁ। ଅର୍ଥାତ୍‌ ବିଜେଡି କେନ୍ଦ୍ରରେ ଏନ୍‌ଡିଏର ଅଂଶୀଦାର ଦଳ ହେଲେ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବ ନାହିଁ। ସେହିପରି ରାଜ୍ୟରେ ଭାଜପା ବିଜେଡି ସହିତ ବିଧାନସଭା ଆସନ ବୁଝାମଣା କଲେ ମଧ୍ୟ ସରକାରରେ ସାମିଲ ହେବ ନାହିଁ । ବାହାରେ ରହି ଉଭୟ ଉଭୟଙ୍କୁ ସମର୍ଥନ କରିବେ। ଅନ୍ୟପକ୍ଷରେ ଆସନ୍ତା ୧୨ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଉଭୟ ଦଳ ପକ୍ଷରୁ ମିଳିତ ଭାବେ ମେଣ୍ଟ ନେଇ ଘୋଷଣା ହୋଇପାରେ ବୋଲି ମଧ୍ୟ କୁହାଯାଉଛି।

ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ଓ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ମିଳିଥିବା ଅସମତ ସୂଚନା ଅନୁଯାୟୀ, ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗୁରୁବାର ରାତିରେ ଓଡ଼ିଶା ଭାଜପାର ପ୍ରଭାରୀ ସୁନୀଲ ବଂଶଲଙ୍କ ନୂଆଦିଲ୍ଲୀ ବାସଭବନରେ ଅନୁଷ୍ଠିତ ବୈଠକରେ ଯୋଗଦେଇଥିଲେ। ସେଠାରେ ମେଣ୍ଟ ଏବଂ ଆସନ ଭାଗବଣ୍ଟାକୁ ନେଇ ଆଲୋଚନା ହୋଇଥିଲା। ତଦନୁଯାୟୀ, ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେଡି ୯୮ ଭାଜପା ୪୯ ଆସନରେ ପ୍ରତିଦ୍ବନ୍ଦ୍ୱିତା କରିବେ। ସେହିପରି ଭାଜପା ୧୪ ଓ ବିଜେଡି ୭ ଲୋକ ସଭା ଆସନରେ ଲଢ଼ିବାକୁ ସହମତି ପ୍ରକାଶ କରିଥିବା ଶୁଣିବାକୁ ମିଳିଛି।