କେନ୍ଦୁଝର,୧୦।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗ୍ରାମରେ ଏକ୍ସପାୟାରୀ ମେଡିସିନ ଖାଇ ଜଣେ ଆଶାକର୍ମୀଙ୍କ ଝିଅ ମୃତ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗ ପରେ କେନ୍ଦୁଝର ସିଡିଏମ ଓ ଡାକ୍ତର ଧନେଶ୍ୱର ସେଠୀ ଘଟଣାର ତଦନ୍ତ ଆଦେଶ କରିଛନ୍ତି। ମୃତକ ହେଉଛନ୍ତି ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ବର୍ଷୀୟ ଝିଅ ହୀରାମଣି ନାଏକ(୧୧) ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ଗତ ଗୁରୁବାର ସାରେ ଆଶାକର୍ମୀଙ୍କର ୧୧ ବର୍ଷୀୟ ଝିଅ ହୀରାମଣୀ ନାଏକ ଓ ୧୩ ବର୍ଷୀୟ ପୁଅ ଗଗନ ନାଏକଙ୍କୁ ଜ୍ୱର ହୋଇଥିଲା । ଆଶାକର୍ମୀ ଶ୍ରୀଦେବୀ ନାଏକ ସିଂପୁର ANM Centre ଯାଇ ପୁଅ ଓ ଝିଅଙ୍କ ପାଇଁ ଔଷଧ ଆଣି ଉଭୟଙ୍କୁ ଦେଇଥିଲେ । ଏହି ମେଡିସିନର ୨ଟା ଡୋଜ ଉଭୟଙ୍କୁ ଦେବାପରେ ସେମାନେ ହଠାତ୍ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ଏହି ଔଷଧ ANM Centreରୁ ANM ଗୌରିମଣି ମହାନ୍ତ ଆଶା ଶ୍ରୀଦେବୀ ନାଏକଙ୍କୁ ଦେଇଥିଲେ । ଏହାପରେ ଗୁରୁତର ପୁଅ ଓ ଝିଅଙ୍କୁ ପ୍ରଥମେ ବାଂଶପାଳ ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସୋମବାର ସକାଳେ ହୀରାମଣି ନାଏକଙ୍କର ମୃତ୍ୟୁ ଘଟିଛି । ଏକ୍ସପାୟାରୀ ମେଡିସିନ ଦେଇଥିବା ANM ଦିଦିଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଦାବି କରିଛନ୍ତି। ତେବେ ତଦନ୍ତ ରିପୋର୍ଟ ଆସିବା ପରେ ଘଟଣା ସତ୍ୟାସତ୍ୟ ଜଣାପଡିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ କହିଛନ୍ତି।

