Categories: ଖେଳ

ରାଇନାଙ୍କୁ ଅତିକ୍ରମ କଲେ ଧୋନୀ

ଦୁବାଇ, ୩ା୧୦ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଇତିହାସରେ ସବୁଠାରୁ ଅଧିକ ସଂଖ୍ୟକ ମ୍ୟାଚ ଖେଳିବାରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ଏହି କୀର୍ତ୍ତିମାନ ଅର୍ଜନ କରିଛନ୍ତି। ତାଙ୍କ ମ୍ୟାଚ ସଂଖ୍ୟା ୧୯୪ରେ ପହଞ୍ଚତ୍ଛି। ଏହାଦ୍ୱାରା ସେ ତାଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍‌ମେଟ୍‌ ସୁରେଶ ରାଇନାଙ୍କ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ଆଇପିଏଲ ଆରମ୍ଭ ହେବାପରଠାରୁ ଧୋନୀ ଏହାର ପ୍ରତ୍ୟେକ ସଂସ୍କରଣରେ ଖେଳିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତରଫରୁ ସେ ୧୧ଟି ସଂସ୍କରଣରେ ଖେଳିଛନ୍ତି। ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ଏହାଛଡ଼ା ୨୦୧୯ରେ ସ୍ପଟ୍‌ ଫିକ୍ସିଂ ସ୍କାଣ୍ଡାଲରେ ସିଏସ୍‌କେ ସସ୍‌ପେଣ୍ଡ ହେବାରୁ ସେ ଦୁଇଟି ସିଜନ ସେ ରାଇଜିଂ ପୁଣେ ସୁପର ଜିଆଣ୍ଟ୍ସ ତରଫରୁ ଖେଳିଛନ୍ତି। ଶୁକ୍ରବାର ଧୋନୀ ସିଏସକେ ତରଫରୁ ତାଙ୍କର ୧୬୪ତମ ମ୍ୟାଚ ଖେଳିଛନ୍ତି। ୨୦୧୬ ଓ ୨୦୧୭ରେ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ସେ ୩୦ଟି ମ୍ୟାଚ ଖେଳିଛନ୍ତି। ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ସିଜନରୁ ଓହରିଯାଇଛନ୍ତି। ଆଇପିଏଲ୍‌ ଇତିହାସରେ ରୋହିତ ଶର୍ମାଙ୍କ ପରେ ଧୋନୀ ହେଉଛନ୍ତି ଦ୍ୱିତୀୟ ସଫଳତମ ଅଧିନାୟକ। ସିଏସ୍‌କେକୁ ସେ ୮ଥର ଫାଇନାଲରେ ପହଞ୍ଚାଇଥିବା ବେଳେ ୩ଥର (୨୦୧୦, ୨୦୧୧ ଓ ୨୦୧୮) ଟାଇଟଲ ଜିତାଇଛନ୍ତି। ଧୋନୀ କିନ୍ତୁ ବ୍ୟକ୍ତିଗତ ଭାବେ ୯ ଫାଇନାଲ ଖେଳିଛନ୍ତି। ତନ୍ମଧ୍ୟରେ ୨୦୧୭ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପୁଣେ ସୁପର ଜିଆଣ୍ଟ୍ସ ଟାଇଟଲ ମୁକାବିଲା ଅନ୍ୟତମ। ତେବେ ଗୋଟିଏ ଫ୍ରାଞ୍ଚାଇଜ୍‌ ତରଫରୁ ସର୍ବାଧିକ ମ୍ୟାଚ ଖେଳିବା ରେକର୍ଡ ଭାରତର ବର୍ତ୍ତମାନ ଅଧିନାୟକ ବିରାଟ କୋହଲିଙ୍କ ନାମରେ ରହିଛି। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ସମସ୍ତ ୧୩ଟି ସଂସ୍କରଣରେ ଏପର୍ଯ୍ୟନ୍ତ ୧୮୦ଟି ମ୍ୟାଚ ଖେଳି ସାରିଛନ୍ତି।

Share