ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଜେନ୍‌ଜି ଏବେ ପରିବେଶକୁ ନେଇ ବହୁତ ସଚେତନ

ଭୁବନେଶ୍ୱର,୨୩ା୧୧: ବିକାଶ ପାଇଁ ଆମକୁ ମୂଲ୍ୟ ଦେବାକୁ ପଡୁଛି। ପ୍ରଦୂଷଣ ଏବେ ବିଶ୍ୱରେ ମୁଖ୍ୟ ସମସ୍ୟା ପାଲଟିଛି। ଆଧୁନିକତା ନାମରେ ହେଉଥିବା ବିକାଶ ପାଇଁ ଆମକୁ ମୂଲ୍ୟ ଦେବାକୁ ପଡୁଛି। ଶିଳ୍ପ କାରଖାନା ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ନିମନ୍ତେ ସେଥିରୁ ନିର୍ଗତ ହେଉଥିବା ଦୂଷିତ ବାୟୁ ଆମ ପରିବେଶକୁ ପ୍ରଦୂଷିତ କରୁଛି, ଯାହାର କୁପରିଣାମ ଆମକୁ ଭୋଗିବାକୁ ପଡୁଛି।

ଅର୍ଘ୍ୟରୂପା ପାଣିଗ୍ରାହୀ, ଛାତ୍ରୀ, ଧର୍ମଶାଳା ମହାବିଦ୍ୟାଳୟ

ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି
ପ୍ରଦୂଷଣ ବିଶ୍ୱ ସ୍ତରରେ ଏକ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି। ସରକାର ଓ ସାମାଜିକ କର୍ମୀମାନଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ପ୍ରଦୂଷଣ ରୋକାଯାଇପାରୁନାହିଁ। ଯେପରିକି ପ୍ଲାଷ୍ଟିକ ବ୍ୟବହାର କମ୍‌ କରିବା, ଗଛ ଲଗାଇ ତା’ର ଯତ୍ନ ନେବା, ଶିଳ୍ପସଂସ୍ଥାର ବର୍ଜ୍ୟ ସାମଗ୍ରୀ ନଦୀ ଓ ସମୁଦ୍ରକୁ ନ ଛାଡ଼ିବା ଆଦି ଅନେକ ପଦକ୍ଷେପ ନେବାକୁ ପଡ଼ିବ। ଆମେ ସରକାରଙ୍କ ଉପରେ ସବୁ ଦାୟିତ୍ୱ ଛାଡ଼ି ନ ଦେଇ ନିଜେ କିଛି କରିବାକୁ ଚେଷ୍ଟା କରିବା।

ସୌମ୍ୟପ୍ରିୟା ବାନାର୍ଜୀ, ଛାତ୍ର, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ

ଆମକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପଡ଼ିବ
ବର୍ତ୍ତମାନ ଲୋକେ ଛୋଟ ଛୋଟ କାମ କଲେ ବି ତାହାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରୁଛନ୍ତି। ସଚେତନତାର ଅର୍ଥ କେବଳ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ବୁଝାଯାଉଛି। ମାତ୍ର ଏଥିରୁ ବାହାରି ଆମକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପଡ଼ିବ। ଗଛ ଲଗାଇବା ସହିତ ତାହାର ଯତ୍ନ ମଧ୍ୟ ନେବାକୁ ହେବ। ସେହିପରି ନିଜେ ପ୍ରଦୂଷଣ ନ କଲେ ମଧ୍ୟ ଅନ୍ୟକୁ ଏହାକୁ କରିବାରୁ ରୋକିବାକୁ ପଡ଼ିବ।

ସଞ୍ଜୀବ ସିଂ, ଛାତ୍ର, ଏନ୍‌ଆଇଟି, ରାଉରକେଲା

ଜେନ୍‌ଜି ଏବେ ପରିବେଶକୁ ନେଇ ବହୁତ ସଚେତନ
ଜେନ୍‌ଜିମାନେ ଏବେ ପରିବେଶକୁ ନେଇ ବହୁତ ସଚେତନ ହୋଇଗଲେଣି। ସମୟ ଥିଲା, ସେମାନଙ୍କୁ ପରିବେଶକୁ ସଫା ସୁତୁରା ରଖିବା ପାଇଁ ବୁଝାଇବାକୁ ପଡୁଥିଲା। ମାତ୍ର ସମୟ ଏବେ ବଦଳିଛି। ସେମାନେ ବରିଷ୍ଠମାନଙ୍କ ଅପେକ୍ଷା ଅଧିକ ସଚେତନ ହୋଇ କାମ କରୁଛନ୍ତି। ପରିବେଶକୁ ଯେତିକି ସଫା ସୁତୁରା ରଖିବା, ସେତେ ଆମେ ଭଲରେ ରହିପାରିବା।

ରାକେଶ ଦେଓ, ଅଭିନେତା

Dharitri – Odisha’s No.1 Odia Daily

Share