ଗଡ଼ ଜିଣିବାକୁ କସରତ

ଭଦ୍ରକ ଅଫିସ, ୧୬।୧୦: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ସରିବା ପରେ ଗଡ଼ ଜିଣିବାକୁ ୩ ପ୍ରମୁଖ ଦଳ ଭାଜପା, ବିଜେଡି, କଂଗ୍ରେସ ସମେତ ସ୍ବାଧୀନ ପ୍ରାର୍ଥୀ କସରତ ଆରମ୍ଭ କରିଦେଇଛନ୍ତି। ଭାଜପା ଘର ଘର ବୁଲି ଲୋକଙ୍କୁ ଭେଟୁଥିବା ବେଳେ ବିଜେଡି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବୈଠକ କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯାଉଛି। ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବହୁ ପୂର୍ବରୁ ନାମାଙ୍କନ ଦାଖଲ ସାରି ପ୍ରଚାର ଆରମ୍ଭ କରିଥିଲେ। ଶନିବାର ନିର୍ବାଚନମଣ୍ଡଳୀ ଅଧୀନ ମୁସ୍ତାଫାପୁର, ଦଳାଙ୍ଗ, କରଦା, ଦୋବଲ ଆଦି ପଞ୍ଚାୟତରେ ଘର ଘର ବୁଲି ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି।

ସୂରଜଙ୍କ ସହ ଭାଜପାର ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରଚାରରେ ସାମିଲ ଥିଲେ। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆନନ୍ଦବଜାରଠାରେ ଅନୁସୂଚିତ ଜାତି ବର୍ଗର କର୍ମୀମାନଙ୍କ ସହ ବୈଠକ କରିଛନ୍ତି।
ଅପରପକ୍ଷେ ନାମାଙ୍କନର ଶେଷଦିନରେ ବିଜେଡି ପ୍ରାର୍ଥତ୍ନୀ ଅବନ୍ତୀ ଦାସ ନାମାଙ୍କନ ଦାଖଲ କରିବା ପରେ ଦଳ ପକ୍ଷରୁ ଶନିବାର ଅସୁରାଳି ଜୋନ୍‌ର ଜିଲା ପରିଷଦ ସଭ୍ୟ ଶାରଦା ପ୍ରସନ୍ନ ସାହୁଙ୍କ ବାସଭବନରେ ଏକ ବୈଠକ କରାଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବଡ଼ଚଣା ବିଧାୟକ ଅମର ଶତପଥୀ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପ୍ରାର୍ଥିନୀ ଅବନ୍ତୀଙ୍କ ସମେତ ବରିଷ୍ଠ ନେତା ଓ କର୍ମୀ ଏଥିରେ ଯୋଗଦେଇ ନିର୍ବାଚନ ରଣନୀତି ପ୍ରସ୍ତୁତ ନେଇ ଆଲୋଚନା କରିଥିଲେ।

ସେହିପରି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ତାଙ୍କ ବାସଭବନରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା କର୍ମୀଙ୍କୁ ନେଇ ଉପନିର୍ବାଚନର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ବିଜେଡି ଟିକେଟରୁ ବଞ୍ଚତ୍ତ ହେବା ଦିନଠାରୁ ତାଙ୍କ ବାସଭବନରେ ସମର୍ଥକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ତାଙ୍କ ପ୍ରତି କରାଯାଇଥିବା ଅବିଚାରର ପ୍ରତିଫଳନ ଏହି ଉପନିର୍ବାଚନରେ ବିଜେଡି ଭୋଗିବ ବୋଲି ସମର୍ଥକମାନେ କହୁଛନ୍ତି। କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀ ମଧ୍ୟ ଶନିବାର କେତେକ ସ୍ଥାନରେ କର୍ମୀମାନଙ୍କ ସହ ବୈଠକ କରି ନିର୍ବାଚନରେ ଜିତିବା ଲାଗି ରଣକୌଶଳ ଆରମ୍ଭ କରି ଦେଇଛନ୍ତି।