Advertisement
Posted inଫୁରସତ

ସର୍ଜନାରେ ରିକ୍ସା ଓ କଟକର ନକ୍ସା

ଆମ ପିଲାଦିନର କଟକ ଆମ ପିଲାଙ୍କ ବେଳକୁ ନାହିଁ । ଆମ ବାପାଙ୍କ ଅମଳର କଟକ ଆମ ବେଳକୁ ନ ଥିଲା । ଥିଲାବାଲା ଘରେ ଘୋଡ଼ାଗାଡ଼ି ରହୁଥିଲା । କାଳକ୍ରମେ ଘୋଡ଼ା ରହିଲାନି, ଗାଡ଼ି ବି ପଡ଼ି ପଡ଼ି ଖତ ଖାଇଗଲା । ତା’ପରେ ଆସିଲା ରିକ୍ସା । ରିକ୍ସାମାନ ଘରେ ବନ୍ଧାହେଲେ । ଘର ବାହାର କୋଣକୁ ଦୁଇ ବଖୁରିଆ ଚାଳିରେ ରିକ୍ସାବାଲା ପରିବାର ନେଇ ଘରମାଲିକଙ୍କ ଘରେ ରହିଲେ । ପରିବା ଆଣିବାଠୁଁ ମାଲଗୋଦାମ ଯିବା ଆସିବା, ଡାକ୍ତରଖାନାଠୁଁ ଦପ୍ତର କୋର୍ଟ କଚେରି ଯିବାଆସିବା ଭଳି ନିତିଦିନିଆ କାମ ପାଇଁ ରିକ୍ସାବାଲା ରିକ୍ସା ବାହିଲେ । ବୋହୂ ଭୁଆସୁଣୀମାନେ ବଜାର ଯାଉଥିଲାବେଳେ ରିକ୍ସା ଚାରିପଟେ ଲୁଗା ବନ୍ଧା ଯାଉଥିଲା । ଜେଲ ଜଳକା ବାଟେ କଏଦୀ ବାହାରକୁ ଚାହୁଁଥିଲା ଭଳି ରିକ୍ସାରେ ଯାଉଥିବା ଘର ମହିଳାମାନେ କନା ଫାଙ୍କ ଦେଇ ବାହାର ଦେଖୁଥିଲେ । ଘର ରିକ୍ସା । ରିକ୍ସାବାଲା ଦାୟିତ୍ୱରେ ନେଇ ଦାୟିତ୍ୱରେ ଆଣୁଥିଲା । ଘରକୁ କାର୍‌ ଆସିସାରିଲା ପରେ ରିକ୍ସା ଆଉ ଘର ଭିତରେ ଘର କରି ରହିଲେ ନାହିଁ । ଆସ୍ତେ ଆସ୍ତେ ରିକ୍ସା ଗଲା । ତା’ସହ ରିକ୍ସାବାଲାମାନେ ମଧ୍ୟ । ସେଇ ଦୁଇ ବଖୁରିଆ ଚାଳିଆରେ ଘର ପାଇଟି କରୁଥିବା ଲୋକ ରହିଲେ ।

ରିକ୍ସାରେ ବୁଲିବା ଅନୁଭୂତି ଆଜି ବି ମନେ ପଡିଯାଏ । କଛାମରା ଲୁଙ୍ଗି। ଦେହଟା ଖାଲି । ପେଡାଲ ମାରିବା ବେଳେ ଗୋଡ଼ ଶିରା ଟାଣି ହୋଇ ଫୁଲି ଯାଉଥିବ। ହେଇ ଯେମିତି ଅବିକା ଶିରା ଫାଟି ପୁଚ୍‌କିନା ରକ୍ତ ବାହାରି ଆସିବ । କାନ୍ଧ ପଛପାଖ ମାଂସ ଗୋଟେ ପେଡାଲ ସହ ତାଳ ଦେଇ ଉପର ତଳ ହେଉଥିବ । ଶକ୍ତ ହାତରେ ହାଣ୍ଡେଲ ମୁଠାକୁ ମୁଠେଇ ଧରିଥିବ । କାନ ସନ୍ଧିରୁ ଝାଳ ବୋହିଆସି ଲୁଙ୍ଗିରେ ଭେଦି ଯାଉଥିବ । ଉଠାଣି ଉଠେଇଲା ବେଳେ ଦାନ୍ତ ଭିଡି ପେଡାଲ କଷୁଥିବା ମୁହଁକୁ, ଭିତରକୁ ପୋଷେ ପଶିଯାଉଥିବା ପେଟକୁ, କଲିଜା ଫୁଟେଇ ବୁନ୍ଦା ବୁନ୍ଦା ଝାଳରେ ଝାଳେଇ ଯାଉଥିବା ଛାତିକୁ ଦେଖିପାରେନା ସାହିତ୍ୟ କରୁଥିବା ସମ୍ବେଦନଶୀଳ ମଣିଷ । ଯେଉଁମାନେ ରିକ୍ସାରେ ଯିବାବେଳେ ରିକ୍ସାବାଲା ମୁହଁକୁ ଦେଖିପାରିଲେ ସେମାନେ ତାକୁ ନେଇ ବିଦ୍ରୋହର କବିତା ଲେଖିଲେ। ତା’ କଷଣର କଥା ଲେଖିଲେ । ବିପ୍ଳବୀ କବି ରବି ସିଂ ହୁଅନ୍ତୁ ଅଥବା ବିଶିଷ୍ଟ କଥାକାର ପଦ୍ମଜ ପାଳ ରିକ୍ସାବାଲାର କଷଣ, ମାନବିକତା ଏବଂ ପରିଶ୍ରମକୁ ନେଇ ସାହିତ୍ୟରେ ଜୀବନ ଦେଲେ ।
କଠୋର ପରିଶ୍ରମ କରୁଥିବା ଏହି ସାହାଯ୍ୟକାରୀ ବନ୍ଧୁଜଣଙ୍କ ନିଜ ବ୍ୟବହାର ଓ ପରିଶ୍ରମକୁ ଭାବେ ସମ୍ପତ୍ତି। ଗ୍ରାହକ ଈଶ୍ୱର ନ୍ୟାୟରେ ଗ୍ରାହକ ସ୍ଥିର କରିଥିବା ମୂଲ ନେଇ ପ୍ରାୟ ରିକ୍ସା ଟାଣେ । ଖରା, ବର୍ଷା, ଶୀତ, କାକରକୁ ଖାତିର ଥିଲେ ବି ସେସବୁକୁ ବେଖାତିରଭାବ ଦେଖେଇ ରିକ୍ସା ଚଲାଏ ।

ରିକ୍ସାବାଲାଙ୍କୁ ନେଇ ଯେଉଁମାନେ ଭାବୁକ ହେଲେ ଆଉ ଯେଉଁମାନେ ରିକ୍ସାରେ ଯିବାବେଳେ ରିକ୍ସାବାଲା ମୁହଁକୁ ଦେଖିପାରିଲେ ସେମାନେ ତାକୁ ନେଇ ଭିନ୍ନ ଭିନ୍ନ ଭାବପୋଷଣ କଲେ । କିଏ ଯନ୍ତ୍ରଣାକୁ ରୂପ ଦେଲା କାନ୍‌ଭାସରେ ତ କିଏ ଗୀତ ଫାନ୍ଦି, ଫଟୋ ଉଠେଇ ରିକ୍ସାବାଲାଙ୍କୁ ଗୁରୁତ୍ୱ ଦେଇ ଆଣି ଥୋଇଲେ ସାଧାରଣ ଜୀବନରେ। ସର୍ଜକର ସର୍ଜନାରେ ରିକ୍ସାବାଲାର ଚରିତ୍ର ବିଭିନ୍ନ ପ୍ରକାର ଚିତ୍ରିତ ହେଲେ । ରିକ୍ସା ପାଲଟିଗଲା ପ୍ରେରଣା ଓ ଉତ୍‌ପ୍ରେରକ। କିଏ ରିକ୍ସାବାଲାକୁ ଶ୍ରେଣୀ ସଂଘର୍ଷର ଅବ୍ୟବସ୍ଥା ଆଡୁ ଦେଖି ଶୋଷିତ ବୋଲି ପ୍ରତିପାଦିତ କଲା ତ ଆଉ କିଏ ତା’ ସହ ଭାବପ୍ରବଣତା ଯୋଡି ଦେଇ ତାକୁ ପରିଣତ କରିଦେଲା ସିନେମାର ଗୀତ କେଇ ଧାଡିରେ। ସତେ ଯେମିତି ସେ ଡାକୁଛି , ”ମୁଁ ରିକ୍ସାବାଲା… ଆସ ବାବୁ…ଏସୋ.. ଦାଦା..ହୋ ଲାଲା …।“ ସେ ପୁଣି ଗାଡି ସହିତ ନିଜକୁ ଏକାତ୍ମ କରେ । ନିଜ ରିକ୍ସାକୁ ତୋଫାନ ମେଲ୍‌ର କାମ ସହ ମିଳାଏ । ବାବୁମାନଙ୍କୁ ବସେଇଲା ପରେ ତା’ର ନିଃଶ୍ୱାସ ଛୁଟେ । ସେଥିରେ ସେ ଦର୍ଶେଇ ପାରେ ତା’ ଆଖିର ସୀମିତ ଓ ସ୍ତିମିତ ସ୍ବପ୍ନ, ବଞ୍ଚତ୍ବାର ଦର୍ଶନ । ତା’ ମୁହଁରେ ଗୌରବବୋଧ ତିଆରି କରି କୁହାଯାଏ ଯେ ମେହେନତର ଶୁଖିଲା ରୁଟି ବରଂ ଭଲ ହେଲେ ବିନା ଶ୍ରମରେ ମଲାଇ କ୍ଷତିକାରକ ।

ରିକ୍ସାବାଲାଙ୍କ ସହ ସର୍ଜନାର ଭାବାବେଗ କିପରି ଜଡ଼ିତ ସେ ସମ୍ପର୍କରେ ବିଖ୍ୟାତ ଚିତ୍ରଶିଳ୍ପୀ କେଶୁ ଦାସ କୁହନ୍ତି, କଲେଜରେ ପଢୁଥିଲା ବେଳେ ରିକ୍ସା ଓ ରିକ୍ସାବାଲାଙ୍କ ସ୍କେଚ୍‌ ସିନା ଅଭ୍ୟାସ କରୁଥିଲୁ, କିନ୍ତୁ ସେତେବେଳେ ସେମାନଙ୍କ ମୁହଁରେ ଯନ୍ତ୍ରଣା ଦେଖି କଷ୍ଟ ଲାଗୁଥିଲା । ଓଡ଼ିଶାରେ ଚିତ୍ରଶିଳ୍ପୀମାନେ ରିକ୍ସାଚାଳକଙ୍କୁ ନେଇ ବହୁତ କମ୍‌ ଚିତ୍ର କରିଛନ୍ତି । ବଙ୍ଗଳା ଶିଳ୍ପୀମାନଙ୍କର ଏହି ସମ୍ପର୍କିତ ଚିତ୍ର ଅଧିକ ରହିଛି। ବିଶିଷ୍ଟ ନାଟ୍ୟକାର, ଘୋଷକ, ସ୍ତମ୍ଭକାର, ପ୍ରାଧ୍ୟାପକ ରମାକାନ୍ତ ମିଶ୍ରଙ୍କ ମତ ବି ଅନୁରୂପ, ରିକ୍ସାବାଲାର ଝାଳ ( ଋତୁ ନିର୍ବିଶେଷରେ ) ବସିବା ଲୋକର ଆଖିକି ଦିଶେ । ତା’ର ଭାଇ ତାକୁ ପହଣ୍ଡି କରି ନେଉଛି ବୋଲି ଭାବେ । ସେ ତାଙ୍କ ଗାଁର ରୁଷିଆ ନାମଧ୍ୟେୟ ରିକ୍ସାବାଲାକୁ ମନେ ପକେଇ କୁହନ୍ତି, ‘ସେ ଆମ ଘରର ନାଗୁଆ ରିକ୍ସାବାଲା ଥିଲା- ଆମ ଘରର ମଣିଷ ପରି, ବେଉସା ଥିଲା, ଭାବ ବି ଥିଲା । ଆଜି ଅବଶ୍ୟ ସେ ସମୟ ନାହିଁ। ଓଲା, ଓବେର ଯୁଗରେ ରିକ୍ସା ଆଜି ହଜିବାକୁ ବସିଲାଣି ସତ, ହେଲେ କହିବାକୁଗଲେ ରିକ୍ସା ଗୋଟେ ମିଠା ମହକବୋଳା ପୁରୁଣା ସିନେମା ହେବାବେଳେ ଅଟୋ କି ଟ୍ୟାକ୍ସି ଦମ୍‌ଦାର ଆକ୍ସନ ମୁଭି ପରି। ବଡ଼ ଯାନ୍ତ୍ରିକ ଓ ହିସାବକରା ସେହିମାନଙ୍କ ସ୍ଥିତି । ତଥାପି ବି ରିକ୍ସା ରହିଥିବ ପାଲା, ଦାସକାଠିଆ ଭଳି ସାଂସ୍କୃତିକ ପରିଚୟ ନେଇ।

ରିକ୍ସାକୁ ନେଇ ନିଜ ଅନୁଭବ ବାଣ୍ଟନ୍ତି ନୃସିଂହ ଚରଣ ସାହୁ ଓରଫ ଆମର ପ୍ରିୟ ଜହୁରୀ ଭାଇ। ରିକ୍ସାବାଲାଙ୍କ ସହ ଥିବା ତାଙ୍କ ଭାବଗତ ସମ୍ବନ୍ଧକୁ ନେଇ ସେ ଟିକିଏ ଗମ୍ଭୀର ହୋଇ କୁହନ୍ତି, ପ୍ରଜାତନ୍ତ୍ର ‘ମୀନାବଜାର’ର ଜହୁରୀ ଭାଇ ଦାୟିତ୍ୱଗ୍ରହଣ କରିବା ପରେ ମୋର ଦାୟିତ୍ୱ ଥିଲା ସମଗ୍ର ଓଡ଼ିଶାର ପ୍ରତିଭାମାନଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ଷ୍ଟୁଡିଓ ଯାଏ ଆଣିବା, ତାଙ୍କୁ ପ୍ରସ୍ତୁତ କରେଇବା। ଏସବୁ କାମ ଭିତରେ ମୋ ପାଇଁ ଯୋଗାଯୋଗର ବଳିଷ୍ଠ ମାଧ୍ୟମ ହୋଇଥିଲା ରିକ୍ସା । ବାଉନ ବଜାର ତେପନ ଗଳିକୁ ଚିହ୍ନିଥାଏ ରିକ୍ସାବାଲା । ଥରକରେ ତା’ ସ୍ମରଣରେ ରହିଯାଇଥାଏ ଠିକଣା। ଯେମିତି ଚିହ୍ନା ହୋଇଯାଇଥାଏ ସେ ନିଜେ । ଏମିତି ବି ହୋଇଛି ରିକ୍ସାରେ ବସି କିଛି କହିବା ପୂର୍ବରୁ ସେ ଠିକଣା ଜାଗାକୁ ନେଇ ପହଞ୍ଚାଇ ଦେଇଥାଏ । ଘରଲୋକ ଭଳି ନିଜର ନିଜର ଲାଗୁଥିବା ଏହି ରିକ୍ସାବାଲା ଅନେକ ସମୟରେ ସୁବିଧା ଅସୁବିଧାରେ ଖାଇବା ଜିନିଷ ସହ ଔଷଧପତ୍ର ଭଳି ଅତ୍ୟାବଶ୍ୟକ ଜିନିଷ ଧରି ଆସି ଠିଆ ହୁଏ । ବନ୍ଧୁବାନ୍ଧବଙ୍କୁ ଭେଟିବା, ସଭାସମିତିକୁ ଯିବା, କାର୍ଯ୍ୟକ୍ରମରେ ଭାଗ ନେବାକୁ ଥିବା ପିଲାଙ୍କୁ ନେବାଆଣିବା କାମ ସବୁ କେମିତି ସେ ସହଜରେ କରିଦିଏ ଏବେ ବି ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଅଟୋ ଆସିଲା ସତ ହେଲେ ରିକ୍ସାବାଲାର ବିକଳ୍ପ କ’ର ହେଇପାରିଲା? ଛକ ପାଖରେ ଛାଡିଦିଏ ସେୟାର ଅଟୋ । ଭଲ ମନ୍ଦ କଥା ହେବାକୁ, ଜୀବନ କଥା ବାଣ୍ଟି ନେବାକୁ ତା’ର ବା ବେଳ କାଇଁ । କାଁ ଭାଁ ଅଟୋବାଲା ନିଜର ହୁଅନ୍ତି । ଅଟୋବାଲାଙ୍କ ସହ ପ୍ରତିଯୋଗିତା କରିବାକୁ ସାହସ ଜୁଟେଇ ପାରିଲେ ନାହିଁ ହୁଏତ ରିକ୍ସାବାଲା । ଦୌଡୁଥିବା ସଭ୍ୟତା ଏବଂ ଚାକଚକ୍ୟକୁ ଦେଖି ଯୁଦ୍ଧବିରତି ଘୋଷଣା କରି ପକେଇଲେ । ଓଲା ଗାଡିର ସମୟରେ ଏବେ ସୁଦ୍ଧା ରିକ୍ସାବାଲାକୁ ଖୋଜୁଥାଏ ମୁଁ । ପରିଣତ ବୟସରେ ଏକୁଟିଆ ମୋ ଆଗ୍ରହ ଅନୁଯାୟୀ ସାହିତ୍ୟ କାର୍ଯ୍ୟକ୍ରମକୁ ଘରୁ ଯାଇପାରେ ନାହିଁ ।

ଜହୁରୀ ଭାଇଙ୍କ ପରି ଅବସରପ୍ରାପ୍ତ ଅଧ୍ୟାପକ ଗଦାଧର ମିଶ୍ରଙ୍କର ଅନୁଭୂତି ମଧ୍ୟ ସେଇକଥା କୁହେ। ସେ କୁହନ୍ତି ‘୧୯୭୯ ମସିହାରେ କଟକ ରେଭେନ୍ସାରେ ଓଡ଼ିଆ ପିଜିରେ ନାଁ ଲେଖେଇ କଟକ ସଂସ୍କୃତିର ଏକ ଅଂଶ ହୋଇଯାଇଥିଲି। ‘ଯୁଆଡେ ଯାଅ, ରିକ୍ସା ନେଇଯାଅ। କଟକରେ କବିତା, ରିକ୍ସା ଓ ଆକାଶବାଣୀ ମୋର ବହୁପରିଚିତ ଥିଲା । ଆକାଶବାଣୀକୁ ଓଏମ୍‌ପି କିମ୍ବା କଲେଜଛକରୁ ଅଢେଇଟଙ୍କାରୁ ତିନିଟଙ୍କା ଥିଲା। ଅନେକଥର ରିକ୍ସାରେ କାଁଭାଁ ଯାଉଥିଲେ ବି ବଡ଼ମ୍ବା ଅଞ୍ଚଳର ଜଣେ ରିକ୍ସାବାଲା କଥା ଏବେବି ମନେପଡେ। ଭାରି ଦରଦୀ। ପଇସା କମ୍‌ ନିଏ, ସେ ଜାଣେ ଆମେ ଗରିବ ପିଲା । କେଉଁଠି ଅଧାରେଟରେ ଭଲ ବହି ମିଳେ, କେଉଁଠି କମ୍‌ ପଇସାରେ ଭଲ ଜଳଖିଆ ମିଳେ ସେଠାକୁ ସେ ନେଇଯାଏ । ବେଳେ ବେଳେ ତାକୁ ଖୁସିରେ ପାଖରେ ଥିଲେ ପଚାଶପଇସା ଅଧିକ ଦିଏ । ବକ୍ସିବଜାରରୁ ଚଣ୍ଡୀମନ୍ଦିର ଆସିବାବେଳେ ହଠାତ୍‌ ସେ ମତେ ଗୋଟେ ଚା ଦୋକାନକୁ ଚାହିଁବାକୁ କହିଲା। କାରଣ ସେ ସେତେବେଳେ ଦେଖିଦେଇଥିଲା ଦୋକାନରେ ମହାନ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ବସିଛନ୍ତି ବୋଲି। ମୋ ଜୀବନରେ ସର୍ବପ୍ରଥମ ମୁଁ ସଙ୍ଗୀତ ବାଦଶାହା ଅକ୍ଷୟ ମହାନ୍ତିଙ୍କୁ ମନଭରି ଦେଖିଲି । ହିପ୍ପିଷ୍ଟାଇଲରେ କାନ ତଳକୁ ମୁଣ୍ଡର ବାଳ ଝୁଲିଥାଏ। ବେଲବଟମ ପ୍ୟାଣ୍ଟ, ଶାର୍ଟ ଇନ୍‌ କରିଥାନ୍ତି। ସେଇ ଦୁଇତିନି ମିନିଟରେ ମୋ ଆତ୍ମାକୁ ଯେମିତି ଶାନ୍ତି ମିଳିଗଲା । ତାକୁ ସବୁ ମାଲୁମ ଥାଏ। କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଆତ୍ମଜୀବନୀ ଲେଖିଲା ବେଳେ, ମୋ ସାର୍‌ ଅସିତକବିଙ୍କ ସହିତ ସେହି ବଡ଼ମ୍ବା ରିକ୍ସାବାଲା ସହିତ ମୁଁ କାଳିନ୍ଦୀ ବାବୁ, ଗ୍ରନ୍ଥମନ୍ଦିର ଓ ଭାନୁଜିରାଓ ତଥା ଉପେନ୍ଦ୍ର ମହାପାତ୍ରଙ୍କ ଘରକୁ ଅନେକଥର ଯାଇଛି । ଆଜିଯାଏ ସେହି ରିକ୍ସାବାଲାର ସ୍ମୃତି ମୋ ମନରେ ଅଛି । ସେତେବେଳେ ଆମ ଓଡ଼ିଆ ପିଜି ଡିପାର୍ଟମେଣ୍ଟକୁ କେତେକ ସେମିନାରରେ ସଚ୍ଚି ରାଉତରାୟ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରହଲ୍ଲାଦ ପ୍ରଧାନ ପ୍ରମୁଖ ସାହିତି୍ୟକ ଓ ଐତିହାସିକମାନେ ରିକ୍ସାରେ ଆସିବା ଏବେ ବି ମନେଅଛି । ସତରେ ରିକ୍ସାରେ ବସିପଡିଲେ ମତେ ଲାଗେ ମୁଁ ଯେମିତି ସ୍ବର୍ଗରେ ବସିଛି। ଏହି ରିକ୍ସାରେ ବସି ଅନେକ ଜ୍ଞାନୀଗୁଣି ବିଶିଷ୍ଟ ବ୍ୟକ୍ତିଙ୍କର ସାକ୍ଷାତ୍‌କାର ନେଇଛି। ଯାହା ‘ତାକତ’ ପତ୍ରିକାରେ ବାହାରିଥିଲା। ଖୁବ୍‌ ସ୍ମରଣୀୟ ସେହି ସବୁ ରିକ୍ସାବାଲାଙ୍କ ସହ ସାହିତ୍ୟର ସମୟ ।

ରିକ୍ସା ସହ ନିଜର ଅନୁଭୂତିକୁ ନେଇ ଲେଖକ ଓ ସାମାଜୀକ କର୍ମୀ ଡ. ଗୋବିନ୍ଦ ଭୂୟାଁ କୁହନ୍ତି, ‘୧୯୭୭ ମସିହାରେ କଟକର ରେଭେନ୍ସାରେ ଏମ୍‌ଏ ପାଠ ପଢିବାକୁ ଆସିଥିବାବେଳେ ରିକ୍ସା ହିଁ ଥିଲା ସେହି ସମୟରେ ସାଧାରଣ ଲୋକଙ୍କ ଚଳଣି ପାଇଁ ଏକମାତ୍ର ଯାତାୟାତର ମାଧ୍ୟମ । ସେ ସମୟରେ ରାସ୍ତା ଏତେ ଗହଳି ନ ଥିଲା ଏବଂ ରିକ୍ସାରେ ବସି ଆମେ ଆମ ଯାତ୍ରାକୁ ଖୁବ୍‌ ଉପଭୋଗ କରୁଥିଲୁ । ରିକ୍ସାବାଲାଙ୍କ ସହ ଭାବବିନିମୟ ହେଉଥିଲା । ଯେତିକି ଲମ୍ବା ହେଉଥିଲା ଯାତ୍ରା ସେତିକି ବଢ଼ୁଥିଲା ଦୁଃଖସୁଖ । କଠୋର ପରିଶ୍ରମର ଝାଳ ବୁହାଇ କିଭଳି ପରିବାର ପ୍ରତିପୋଷଣ କରାଯାଏ ତା’ର ଜ୍ୱଳନ୍ତ ଉଦାହରଣ ହୋଇ ଆମ ପାଖରେ ଠିଆ ହେଉଥିଲେ ରିକ୍ସାବାଲା । ସେମାନଙ୍କ ପାରିବାରିକ ଜୀବନ ଶୁଣି ଆମ ଭିତରେ ସମବେଦନା, ସମ୍ବେଦନା ତିଆରି ହେଉଥିଲା। ଲେଖାର ଦାନା ବାନ୍ଧୁଥିଲା । ସେବେଠାରୁ ଏହି ଭିତରେ ପ୍ରାୟ ୪୫ ବର୍ଷର ଅବଧି । ରିକ୍ସାର ବ୍ୟବହାର କମିଛି । ଯାନବାହନ ବଢିଛି । ଓଲା, ଉବେର ଆସି ରିକ୍ସାର ସ୍ଥାନ ନେଇଛି । ଦ୍ରୁତ ଗତି ପାଇଁ ଲୋକେ ଅଟୋ, କାର୍‌କୁ ଅଗ୍ରାଧିକାର ଦେବା କାରଣରୁ ରିକ୍ସା ସଂସ୍କୃତି ଧୀରେଧୀରେ କମି ଯାଉଛି । ସେମାନେ ସବୁ ଅନ୍ୟ ଦିଗକୁ ମୁହଁ ଫେରେଇ ନେଉଛନ୍ତି । ନେବା ବି ସ୍ବାଭାବିକ। ସେହିଦିନର କିନ୍ତୁ ସେହି ରିକ୍ସାର ସ୍ମୃତି ଆମ ଭିତରେ ମିଠା ଅନୁଭୂତି ହୋଇରହିଛି ।

ସତ କହିଲେ ସଭ୍ୟତାର ଦୌଡ଼ରେ ହୁଏତ ଦିନେ କେବେ ରିକ୍ସାର ଅସ୍ତିତ୍ୱ ଲୋପ ପାଇଯିବ । ଏପରି ଏକ ବାହନ ଥିଲା ବୋଲି ଲୋକେ ହୁଏତ ଭୁଲିଯିବେ, ହେଲେ ଜନଗଣର ଅବଚେତନର ଅନ୍ଧାରିକୋଣରେ ରିକ୍ସାବାଲାର ଛବି ଥିବ ଅମଳିନ ।

-ବନମାଳୀ ଭବନ
ଖାନ୍‌ନଗର, କଟକ


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଫି’ ଭରଣା ପାଇଁ ୪ ମାସରେ ୩୧ ହଜାର କିମି ସାଇକେଲ୍‌ ଚଳାଇଲେ ଛାତ୍ର

୪ ମାସରେ ୩୧ ହଜାର କିମି ସାଇକେଲ୍‌ ଚଳାଇ କାନାଡାର ସାସ୍କାଟୁନ୍‌ ସହରର ୧୬ ବର୍ଷୀୟ ଛାତ୍ର ବ୍ୟାଉଲିଙ୍ଗ୍‌ ଟୋନି ଘରକୁ ଫେରିଛନ୍ତି। ତାଙ୍କର ଏହି...

ବିରକ୍ତ କଲା ଟ୍ରାଫିକ ଜାମ୍‌: ଘରେ ତିଆରି କଲେ ହେଲିକପ୍ଟର

ଜାକର୍ତ୍ତା: ବ୍ୟସ୍ତବହୁଳ ଜୀବନଶୈଳୀ ସାଙ୍ଗକୁ ଟ୍ରାଫିକ ସମସ୍ୟା ଲୋକଙ୍କୁ ଅଧିକ ବିରକ୍ତ କରିଥାଏ। କୌଣସି କାର୍ଯ୍ୟରେ ଘରୁ ବାହାରିଲେ ଅତି କମ୍‌ରେ ଅଧଘଣ୍ଟା ବା ଘଣ୍ଟାଏ...

୮ ଯୁବତୀଙ୍କୁ ବିବାହ କରିଛନ୍ତି ଏହି ମଡେଲ, ଏବେ ପୁଣି ନୂଆ ସନ୍ଧାନରେ, କାରଣ ଜାଣିଲେ…

ବ୍ରାଜିଲର ମଡେଲ ଅର୍ଥର ଓ ଉର୍ସୋ ସବୁବେଳେ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କାରଣ ସେ ଅନେକ ଯୁବତୀଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୮...

୮୪ ସେକେଣ୍ଡ୍‌ରେ ୪୯ଟି ଦେଶର ପତାକା ନାଁ କହି ବିଶ୍ୱ ରେକର୍ଡ ସୃଷ୍ଟି କଲେ ୪ ବର୍ଷର ଝିଅ

ତାମିଲନାଡୁର ଜଣେ ୪ ବର୍ଷର ଝିଅ ୮୪ ସେକେଣ୍ଡ୍‌ରେ ୪୯ଟି ଦେଶର ପତାକା ନାଁ କହି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଚେନ୍ନାଇରେ ରହୁଥିବା ବଓ୍ବୋସିନୀ...

ଯୁବତୀଙ୍କ ଟଙ୍କା ଭର୍ତ୍ତି ପର୍ସ ଝାମ୍ପିନେଲା ପକ୍ଷୀ, ଆଉ ତା’ ପରେ…

ବେଳେବେଳେ ଲୋକଙ୍କ ସହ ଏମିତି କିଛି ଘଟଣା ଘଟିଥାଏ ଯାହା ସେ କେବେ ସ୍ବପ୍ନରେ ଭାବି ନ ଥିବେ। କିଛି ଘଟଣା ପାଇଁ ମଣିଷ ନିଜେ...

ଏଠାରେ ଲାଲ ଟମାଟୋରେ ଖେଳାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ରଙ୍ଗର ପର୍ବ ହୋଲି ପାଳିତ ହୋଇଥାଏ। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ...

ଗୁମ୍ଫା ବୁଲିବା ପାଇଁ ଟିକଟ ଦାମ ୨ ଲକ୍ଷ ଟଙ୍କା…

ଦୁନିଆର ଭୟଙ୍କର ଗୁମ୍ଫା ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ୨ ଲକ୍ଷ ଟଙ୍କାର ଟିକଟ କିଣିବାକୁ ପଡ଼େ। ଏହା ଶୁଣିଲେ ହୁଏତ ଯେ କେହି ଆଶ୍ଚର୍ଯ୍ୟ ହେବା...

ପ୍ରତି ୨୭୦ ଲକ୍ଷ ବର୍ଷରେ ମହାବିନାଶ

ନ୍ୟୁୟର୍କ: ମରଣଶୀଳ ପୃଥିବୀର କଠୋର ବାସ୍ତବତା ହେଉଛି ମୃତ୍ୟୁ। ଏହି ନିୟମରେ ବନ୍ଧା ସମଗ୍ର ଜୀବଜଗତ। ହେଲେ ଏପରି ବି ସମୟ ଆସେ, ଯେତେବେଳେ ପୃଥିବୀ...

Advertisement
Archives

Model This Week