ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପୂର୍ବ ପରି କାମ କରିବେ ଆଉଟ୍‌ସୋର୍ସିଂ କର୍ମଚାରୀ, ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରି…

ଭୁବନେଶ୍ୱର,୨୫ା୧୧: ରାଜ୍ୟରେ ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚାକିରିରୁ ବାଦ୍ ପଡ଼ିଥିବା ୩,୧୫୫ ଜଣ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବା ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ବୁଧବାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ  ସିଂହଦେଓ ସୂଚନା ଦେଇ କହିଛନ୍ତି ଯେ, ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରାଯିବା ପରେ ଏହି ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୩,୧୫୫ କର୍ମଚାରୀଙ୍କ ଜୀବିକା ସୁରକ୍ଷିତ ହୋଇପାରିଛି। ଏଣିକି ସେମାନେ ପୂର୍ବ ଭଳି ମିଟର ରିଡିଂ ଏବଂ ବିଦ୍ୟୁତ୍ ମେଣ୍ଟେନାନ୍ସ କାର୍ଯ୍ୟ ଜାରି ରଖିବେ।

କର୍ମଚାରୀଙ୍କ ପରିବାର ଓ ସୁବିଧାକୁ ଦୃଷ୍ଟିରେ ରଖି ସରକାର ମାନବୀୟ ଦୃଷ୍ଟିକୋଣରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି କର୍ମଚାରୀମାନଙ୍କୁ ଅନ୍ୟ କୌଣସି ଡିଭିଜନକୁ ବଦଳି କରାଯିବ ନାହିଁ; ବରଂ ସେମାନେ ପୂର୍ବ ପରି ନିଜ ନିଜ ଡିଭିଜନରେ ହିଁ କାର୍ଯ୍ୟ କରିବେ। ଏହାଦ୍ୱାରା କର୍ମଚାରୀ ମହଲରେ ଖୁସିର ଲହରୀ ଖେଳିଯାଇଛି।

ଅନ୍ୟପକ୍ଷରେ ଦାବି ପୂରଣ ପାଇଁ କିଛି କର୍ମଚାରୀ ଆନ୍ଦୋଳନ ସମୟରେ ଯେଉଁଭଳି ଭାବେ ବିଦ୍ୟୁତ୍‌ ଖୁଣ୍ଟ ଉପରକୁ ଚଢ଼ି ପ୍ରତିବାଦ କରିଥିଲେ, ତାହାକୁ ନେଇ ଉପମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ବିପଜ୍ଜନକ ଭାବେ ପ୍ରତିବାଦ କରିବା ଆଦୌ ଗ୍ରହଣୀୟ ନୁହେଁ। ଏଭଳି ବେଆଇନ ଓ ବିପଜ୍ଜନକ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଂହଦେଓ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Share