ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ବିଶ୍ୱରେ ଏବେ ଜନସଂଖ୍ୟାରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ହେବା ସହ ଅର୍ଥନୀତିକୁ ନେଇ ନିରନ୍ତର ଏକ ନିରାଶାଜନକ ପୂର୍ବାନୁମାନ ସାମ୍ନାକୁ ଆସିିଛି। ଅର୍ଥନୀତିଜ୍ଞ, ଅନ୍ତର୍ଜାତୀୟ ସଂଗଠନ ଏବଂ ବିଭିନ୍ନ ଦେଶର ସରକାର ଏକମତ ଯେ,ଏକ ବୃଦ୍ଧସମାଜ ନିଶ୍ଚିତ ଭାବେ ଅର୍ଥନୈତିକ ମାନ୍ଦାବସ୍ଥାର ଶିକାର ହୁଏ। ତେବେ ଗତ ୭୦ ବର୍ଷର ଅଭିଜ୍ଞତାକୁ ଦେଖିଲେ, ଏହି ନିରାଶାବାଦୀ ଧାରଣା ସପକ୍ଷରେ ପ୍ରମାଣ ନଥିବା ଜଣାପଡ଼େ। ସେହି ସମୟ ମଧ୍ୟରେ ଜନ୍ମହାର ହ୍ରାସ ପାଇଥିଲେ ମଧ୍ୟ ସାମଗ୍ରିକ ଜିଡିପି ବୃଦ୍ଧିରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇନାହିଁ। ଜନସଂଖ୍ୟାରେ ବୃଦ୍ଧଙ୍କ ସଂଖ୍ୟା କ୍ରମଶଃ ବଢ଼ିଥିଲେ ମଧ୍ୟ ଅର୍ଥ ବ୍ୟବସ୍ଥାରେ ମାନ୍ଦା ସ୍ଥିତି ଦେଖାଯାଇନାହିଁ।
ବେସ୍ବଲ୍ କିମ୍ବଦନ୍ତୀ ଲରେନ୍ସ ଯୋଗୀ ବେରା କହିଥିଲେ, ଭବିଷ୍ୟତ ବିଷୟରେ ପୂର୍ବାନୁମାନ କରିବା ବିଶେଷ କଷ୍ଟକର। ଏଣୁ ଦୀର୍ଘକାଳୀନ ଅର୍ଥନୈତିକ ପୂର୍ବାନୁମାନବେଳେ ଏହାକୁ ମନେରଖିବା ଉଚିତ। ଉଦାହରଣ ସ୍ବରୂପ, ଅଭିବୃଦ୍ଧି କିମ୍ବା ସରକାରୀ ଋଣ ଉପରେ ଏଆଇର ପ୍ରଭାବ ପୂର୍ବାନୁମାନ କରିବା ଅନିଶ୍ଚିତତାରେ ପରିପୂର୍ଣ୍ଣ। କାରଣ ଏହି ପ୍ରଯୁକ୍ତିବିଦ୍ୟା ଅତ୍ୟନ୍ତ ନୂଆ ଓ କେତେ ଦ୍ରୁତ ଗତିରେ ବିକଶିତ ହେଉଛି। କିନ୍ତୁ ଜନସାଂଖି୍ୟକ ପରିବର୍ତ୍ତନର ଅର୍ଥନୈତିକ ପରିଣାମକୁ ଆକଳନ କରିବା ପାଇଁ ଆମ ପାଖରେ ପ୍ରଚୁର ଐତିହାସିକ ପ୍ରମାଣ ରହିଛି। ନୋବେଲ ବିଜେତା ଅର୍ଥନୀତିଜ୍ଞ ଡାରୋନ ଆସେମୋଗ୍ଲୁ ଏବଂ ତାଙ୍କର ଏମ୍ଆଇଟି ସହକର୍ମୀ ଡେଭିଡ ଅଟର ଓ କିଲାନ ବେର୍ନଙ୍କ ସହ ମିଶି ଆମେ ଏକ ଗବେଷଣା କରିଥିଲୁ। ଏଥିରେ ଆମେ ବିଭିନ୍ନ ଦେଶ ଏବଂ ଅଞ୍ଚଳଗୁଡ଼ିକରେ ଜନସଂଖ୍ୟାଗତ ପରିବର୍ତ୍ତନର ଅନେକ ଦଶନ୍ଧିର ତଥ୍ୟକୁ ବ୍ୟବହାର କରିଛୁ, ଯଦ୍ଦ୍ବାରା ଜନ୍ମହାର ଏବଂ ଜନସଂଖ୍ୟାଗତ ବୟସ ଢାଞ୍ଚାର ପରିବର୍ତ୍ତନ କିପରି ଅର୍ଥନୈତିକ ପ୍ରଦର୍ଶନକୁ ପ୍ରଭାବିତ କରେ, ତାହା ପରୀକ୍ଷା କରାଯାଇପାରିବ। ଏହାର ଫଳାଫଳ ଆଶ୍ଚର୍ଯ୍ୟଜନକ। ଜନ୍ମହାର କମ୍ ଥିବା ବିଭିନ୍ନ ଦେଶ ଏବଂ ଆମେରିକାର କାର୍ଯ୍ୟକ୍ଷେତ୍ର ଅଞ୍ଚଳଗୁଡ଼ିକରେ ମୁଣ୍ଡପିଛା ଜିଡିପି କିମ୍ବା ବ୍ୟକ୍ତିଗତ ରୋଜଗାରରେ ଦ୍ରୁତ ଅଭିବୃଦ୍ଧି ଦେଖାଦେଇଥିବାବେଳେ ସମଗ୍ର ଜିଡିପି ଅଭିବୃଦ୍ଧି ଏବଂ ମୋଟ ଆୟ ପ୍ରାୟତଃ ଅପରିବର୍ତ୍ତିତ ରହିଥିଲା। ହ୍ରାସ ପାଉଥିବା ଜନ୍ମହାର ଏବଂ ଏହା ଦ୍ୱାରା ଯୁବ ଶ୍ରମିକଙ୍କ ତୁଳନାରେ ବୟସ୍କ ଶ୍ରମିକଙ୍କ ଅନୁପାତରେ ହେଉଥିବା ବୃଦ୍ଧି ଉପରେ ଅର୍ଥ ବ୍ୟବସ୍ଥାଗୁଡ଼ିକ ବ୍ୟବସ୍ଥିତ ଉପାୟରେ ପଦକ୍ଷେପ ନେଉଥିବା ଜଣାପଡ଼ିଛି। ବିଶେଷକରି ଉତ୍ପାଦକତା ଏବଂ ପୁଞ୍ଜି ବିନିଯୋଗ ବୃଦ୍ଧି ପାଉଛି ଏବଂ କାର୍ଯ୍ୟକଳାପ ଶ୍ରମ-ନିର୍ଭରଶୀଳ କ୍ଷେତ୍ରରୁ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ରପ୍ତାନି ଆଡ଼କୁ ସ୍ଥାନାନ୍ତର ହେଉଛି। ଏହି ଧାରାକୁ ଆଗକୁ ବଢ଼ାଇବା ପାଇଁ ଶ୍ରମ-ସଞ୍ଚୟକାରୀ ପ୍ରଯୁକ୍ତି, ସ୍ବୟଂଚାଳନ ଏବଂ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି (ଆଇସିଟି) ଦିଗରେ ନୂତନତ୍ୱ ଏବଂ ପେଟେଣ୍ଟ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ଅନ୍ୟ ଅର୍ଥରେ କହିଲେ, ଜନସଂଖ୍ୟାଗତ ପରିବର୍ତ୍ତନ ଯୋଗୁ ଶ୍ରମିକ ସଂଖ୍ୟା ହ୍ରାସ ପାଇବା ଏବଂ ଜନସଂଖ୍ୟା ବୃଦ୍ଧି ମନ୍ଥର ହେଲେ ମଧ୍ୟ ପ୍ରଯୁକ୍ତିର ଅଗ୍ରଗତି ବାକି ରହିଥିବା ଲୋକଙ୍କ ଉତ୍ପାଦକତାକୁ ବଢ଼ାଇଥାଏ। ଫଳରେ ହ୍ରାସ ପାଉଥିବା ଶ୍ରମଶକ୍ତିର କ୍ଷତି ଅନେକ ମାତ୍ରାରେ ପୂରଣ ହୋଇଯାଏ ଏବଂ ଜିଡିପି ଅଭିବୃଦ୍ଧି ଜାରି ରହେ।
କମୁଥିବା ପ୍ରଜନନ ହାରକୁ ନେଇ ପ୍ରକାଶ ପାଉଥିବା ବୈଷୟିକ ପ୍ରତିକ୍ରିୟା ଜନସାଂଖି୍ୟକ ଲାଭାଂଶକୁ ନେଇ ରହିଥିବା ତଥାକଥିତ ପାରମ୍ପରିକ ଧାରଣାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପାରମ୍ପରିକ ଦୃଷ୍ଟିକୋଣ ଅନୁଯାୟୀ, ଏକ ଜନସଂଖ୍ୟାଗତ ପରିବର୍ତ୍ତନର ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ ପିଲା ଏବଂ ବୃଦ୍ଧଙ୍କ ସଂଖ୍ୟା ତୁଳନାତ୍ମକ ଭାବେ କମ୍ ରହିବା ଦ୍ୱାରା ଦେଶଗୁଡ଼ିକ ଉପକୃତ ହୋଇଥା’ନ୍ତି। ଫଳରେ ଏହା କାର୍ଯ୍ୟକ୍ଷମ ବୟସର ଜନସଂଖ୍ୟାର ଆନୁପାତିକ ଆକାରକୁ ବୃଦ୍ଧି କରବା ସହ ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିିତ କରିଥାଏ। କମ୍ ପ୍ରଜନନ ହାର ଅଧିକ ମହିଳାଙ୍କୁ କର୍ମକ୍ଷେତ୍ରରେ ପ୍ରବେଶ କରିବାକୁ ପ୍ରୋତ୍ସାହିତ କରେ ଏବଂ ପ୍ରତ୍ୟେକ ପିଲାଙ୍କ ଶିକ୍ଷାରେ ଅଧିକ ବିନିଯୋଗ କରିବାକୁ ସୁଯୋଗ ଦେଇଥାଏ। କିନ୍ତୁ ଏହି ଲାଭାଂଶ ସାମୟିକ। କମ୍ ଜନ୍ମହାର ଦୀର୍ଘଦିନ ଲାଗି ରହିଲେ ଏବଂ ଆୟୁଷ ବୃଦ୍ଧି ପାଇଲେ ବୃଦ୍ଧଲୋକଙ୍କ ସଂଖ୍ୟା ଆନୁପାତିକ ଭାବେ ବୃଦ୍ଧି ପାଇଥାଏ। ଫଳରେ ଏହା ଏକ ବାର୍ଦ୍ଧକ୍ୟ ଜନସଂଖ୍ୟା ସହିତ ଜଡ଼ିତ ଅର୍ଥନୈତିକ ବୋଝ ସୃଷ୍ଟି କରିଥାଏ। ଆମେ ଚିହ୍ନଟ କରିଥିବା ପ୍ରକ୍ରିୟା ଏକ ଭିନ୍ନ ଦିଗକୁ ସୂଚିତ କରେ। ଗବେଷଣା ଅନୁଯାୟୀ, ଶ୍ରମିକ ଅଭାବ ପ୍ରଯୁକ୍ତିଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିପାରେ ଏବଂ ଉତ୍ପାଦକତାରେ ବୃଦ୍ଧି ଆଣିିପାରେ, ଯାହା ପ୍ରାରମ୍ଭିକ ଜନସଂଖ୍ୟାଗତ ଲାଭାଂଶ ହ୍ରାସ ପାଇବା ପରେ ମଧ୍ୟ ଦୀର୍ଘ ସମୟ ଧରି ରହିପାରେ। ଚାଇନା ଏହାର ଏକ ଉଦାହରଣ ବୋଲି କୁହାଯାଇପାରେ। ଏହି ଦେଶ ଦ୍ରୁତ ଏବଂ ନାଟକୀୟ ଜନସଂଖ୍ୟାଗତ ପରିବର୍ତ୍ତନ ଦେଇ ଗତି କରୁଛି। ଏଠାରେ ୧୫-୬୪ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ବୟସର ଜନସଂଖ୍ୟା ପ୍ରାୟ ୧୦୦ କୋଟିରୁ ହ୍ରାସ ପାଇ ୨୧୦୦ ସୁଦ୍ଧା ପ୍ରାୟ ୩୦ କୋଟିରେ ପହଞ୍ଚତ୍ବ ବୋଲି ଆକଳନ କରାଯାଉଛି। ଏହି ଧାରା ଲାଗିରହିଲେ ବି ଚାଇନା ରୋବୋଟିକ୍ସ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରି ଉତ୍ପାଦକତା ବଢ଼ାଇପାରିଛି। ଦେଶର ଶିଳ୍ପ ରୋବୋଟ୍ ସଂଖ୍ୟା ୨୦୨୧ରୁ ୨୦୨୪ ମଧ୍ୟରେ ଦ୍ୱିଗୁଣିତ ହୋଇଛି ଏବଂ ବର୍ତ୍ତମାନ ସମଗ୍ର ବିଶ୍ୱର ମୋଟ ରୋବୋ ଶିଳ୍ପସଂଖ୍ୟାର ପ୍ରାୟ ଅଧା ରହିଛି ଚାଇନାରେ।
ଅତୀତ ପ୍ରକୃତରେ ଭବିଷ୍ୟତର ସୂଚନା ଦିଏ କି ନାହିଁ, ସେ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ଚାଇନା ସମେତ କେତେକ ଦେଶ ଅଧିକ ଦ୍ରୁତ ଏବଂ ବ୍ୟାପକ ଜନସାଂଖି୍ୟକ ପରିବର୍ତ୍ତନର ସମ୍ମୁଖୀନ ହେଉଛନ୍ତି, ଯାହା ଆମେ ବିଗତ ୭୦ ବର୍ଷ ମଧ୍ୟରେ ଦେଖିନାହଁୁ। ଏହା ଦ୍ୱାରା ସୃଷ୍ଟି ହେଉଥିବା ଆର୍ଥିକ ଚାପକୁ ପ୍ରଯୁକ୍ତି ପ୍ରୟୋଗ ଅନେକାଂଶରେ ସନ୍ତୁଳିତ କରିପାରେ, କିନ୍ତୁ ସମ୍ପୂର୍ଣ୍ଣ ରୂପେ ଚାପକୁ ଦୂର କରିପାରିବ ନାହିଁ। ତଥାପି, ଆଗାମୀ ୭୦ ବର୍ଷ ବିପଦର ପୂର୍ବାନୁମାନ କରିବା ସମୟରେ ବିଗତ ୭୦ ବର୍ଷ ପ୍ରମାଣକୁ ପ୍ରତ୍ୟାଖ୍ୟାନ କରିବା ଦ୍ୱାରା ପ୍ରକୃତ ବିଶ୍ଳେଷଣ କରାଯାଇପାରିବ ନାହିଁ, ବରଂ କେବଳ ଅନୁମାନରେ ସୀମିତ ରହିଯିବ। ପ୍ରାୟତଃ ବାର୍ଦ୍ଧକ୍ୟ ବା ବୟସ୍କ ଜନସଂଖ୍ୟାକୁ ନେଇ ଦେଖାଯାଉଥିବା ନିରାଶାବାଦ ଦ୍ୱାରା ଦୃଢ଼ ଅର୍ଥନୀତି ଦୃଷ୍ଟିକୋଣ ଅଧିକ ପ୍ରଭାବିତ ହେଲା ପରି ମନେହୁଏ। ଏହା ଏମିତି ଲାଗେ, ଯେମିତି ଜନସଂଖ୍ୟା ସହିତ ଅର୍ଥନୀତି ଯୁବସୁଲଭ ଗତିଶୀଳତାରୁ ବାର୍ଦ୍ଧକ୍ୟ ଏବଂ ଅବନତି ଆଡ଼କୁ ଗତି କରୁଛି।
ନିଶ୍ଚିତ ଭାବରେ ଆମେ ଏକ ଅଜଣା ଜନସାଂଖି୍ୟକ ସ୍ଥିତି ଆଡ଼କୁ ଅଗ୍ରସର ହେଉଛୁ। ଉଦାହରଣ ସ୍ବରୂପ, ଆଗାମୀ ୭୫ ବର୍ଷ ମଧ୍ୟରେ ୬୫ ବର୍ଷରୁ ଅଧିକ ବୟସ୍କ ଆମେରିକୀୟଙ୍କ ସଂଖ୍ୟା ୧୭%ରୁ ୨୯%କୁ ବୃଦ୍ଧି ପାଇବାର ଅନୁମାନ କରାଯାଉଛି। କିନ୍ତୁ ପୂର୍ବ ୭୫ ବର୍ଷ ମଧ୍ୟରେ ଏହି ସଂଖ୍ୟା ୮%ରୁ ଦୁଇ ଗୁଣରୁ ଅଧିକ ହୋଇ ୧୭%ରେ ପହଞ୍ଚତ୍ଥିଲେ ମଧ୍ୟ ଅର୍ଥନୈତିକ ଅଭିବୃଦ୍ଧିକୁ ଧିମା କରି ନ ଥିଲା। ତେଣୁ ଏଥର ଏହା ଭିନ୍ନ ହେବ ବୋଲି ଆମେ ସ୍ବତଃପ୍ରବୃତ୍ତ ଭାବେ କାହିଁକି ଧରିନେବା? ଶ୍ରମିକ ଅଭାବ ପାଇଁ ପ୍ରଯୁକ୍ତିର ବ୍ୟବହାର ହେଉ, ବର୍ଦ୍ଧିତ ଆୟୁଷ ସହିତ ଅନୁଷ୍ଠାନଗୁଡ଼ିକର ସମାୟୋଜନ ହେଉ କିମ୍ବା ମାନବ ସମ୍ବଳରେ ଅଧିକ ବିନିଯୋଗ ହେଉ, ଅର୍ଥ ବ୍ୟବସ୍ଥାଗୁଡ଼ିକ ଜନସାଂଖି୍ୟକ ପରିବର୍ତ୍ତନ ସହିତ ନିଜକୁ ଖାପ ଖୁଆଇବାରେ ସଦାସର୍ବଦା ସକ୍ଷମ ବୋଲି ପ୍ରମାଣିତ କରିଛନ୍ତି। ଏହି ବାର୍ଦ୍ଧକ୍ୟସମାଜ ଏକ ଦୁର୍ବଳ ଅର୍ଥନୀତି ସୃଷ୍ଟି କରିବ ବୋଲି ଥିବା ପୁରୁଣା ଧାରଣା ଅପେକ୍ଷା ନିଜକୁ ଖାପଖୁଆଇବାର କ୍ଷମତା ହିଁ ଆମର ଆର୍ଥିକ ଭବିଷ୍ୟତକୁ ଗଢ଼ିବାରେ ଅଧିକ ସହାୟକ ହେବ।
ଆଣ୍ଡ୍ର୍ୟୁ ଜେ. ସ୍କଟ୍
ଅର୍ଥନୀତି ପ୍ରାଧ୍ୟାପକ, ଲଣ୍ଡନ ବିଜନେସ୍ ସ୍କୁଲ