ଗଣତନ୍ତ୍ର ବଦଳିଗଲାଣି

ସହଦେବ ସାହୁ

ସ୍ଵଚ୍ଛତା ଓ ଦାୟିତ୍ୱବୋଧ ଗଣତନ୍ତ୍ରର ଦୁଇଟି ଉର୍ବରକ;- କଞ୍ଚା ଓଡ଼ିଆରେ କହିଲେ ଶାସନରେ ଖୋଲାପଣିଆ ଚାଲୁରଖିବା ଓ ଶାସନ ଚଳାଉଥିବା ଲୋକେ ସେମାନଙ୍କ ପ୍ରତ୍ୟେକ କାମ ପାଇଁ ଉତ୍ତରଦାୟୀ ହେବା- ଏ ଦୁଇଟି ଗଣତନ୍ତ୍ର ବୃକ୍ଷର ସବୁଜ ସାର ଭଳି କାମ କରେ। ସ୍ଵଚ୍ଛତାର ଗୋଟିଏ ବ୍ୟତିକ୍ରମ ହେଉଛି ଭୋଟ୍‌ ଦେବା ପ୍ରକ୍ରିୟା; ଭୋଟ ଗୋପନୀୟ ନ ରହିଲେ କିଏ ଶାସକ ଦଳର ପ୍ରାର୍ଥୀକୁ ଭୋଟ ଦେଇନଥିବା ଲୋକ ଜଣାପଡ଼ିଯିବ, ସରକାରୀ ଦଳର ରୋଷର ଶିକାର ହୋଇପାରିବ। ତେଣୁ ଭୋଟ୍‌ର ଗୋପନୀୟତା ଗଣତନ୍ତ୍ରର ସହାୟକ, କିନ୍ତୁ ଗୋପନୀୟତା ରକ୍ଷାରେ ବି ସ୍ବଚ୍ଛତା ଦରକାର। ଭୋଟ ଗ୍ରହଣ ପ୍ରକ୍ରିୟା ନିରପେକ୍ଷ ହେବା କଥା, ଗଣାହେବାଯାଏ ବାଲଟ୍‌ ବାକ୍ସ ସୁରକ୍ଷିତ ରହିବା କଥା ଏବଂ ପ୍ରାର୍ଥୀ ବା ତାଙ୍କ ପ୍ରତିନିଧିଙ୍କ ସାମ୍‌ନାରେ ଓ ରୁଣ୍ଡ ହୋଇଥିବା ଲୋକଙ୍କ ଜ୍ଞାତସାରରେ ଭୋଟ ଗଣନା ହେବା କଥା- ଏସବୁ ଗଣତନ୍ତ୍ରରେ ଲୋକଙ୍କ ଆସ୍ଥା ବଢ଼ାଇଥାଏ। ଗଣତାନ୍ତ୍ରିକ ନିର୍ବାଚନ ପଦ୍ଧତି ଭିତରେ ଏକ ଅଙ୍ଗୀକାର-ବଦ୍ଧତା ନିହିତ ଅଛି, ନିର୍ବାଚନରେ ହାର୍‌-ଜିତ୍‌ ଥିଲେ ମଧ୍ୟ ଶାସକ ଦଳ ଓ ବିରୋଧୀ ଦଳ ପରସ୍ପର ପ୍ରତି ସୌଜନ୍ୟପୂର୍ଣ୍ଣ ଓ ସହନଶୀଳ ହେବା କଥା, ଯେଉଁ ଦଳ ଜିତୁନା କାହିଁକି ସମାଜର ସାଧାରଣ ସମସ୍ୟାଗୁଡ଼ିକର ସମାଧାନ କରିବାରେ ସବୁ ଦଳ, ଶାସକ ଓ ବିରୋଧୀମାନେ ସହଯୋଗ କରିବେ। ୧୯୭୬ର ଏମର୍ଜେନ୍ସି ଜାରି ପରଠାରୁ କଂଗ୍ରେସ ଦଳ ସମ୍ବିଧାନର ଏହି ମର୍ମକୁ ଜାଣିଶୁଣି ଦଳିଦେଲା। ପରବର୍ତ୍ତୀ କାଳରେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍‌ ପ୍ରଗ୍ରେସିଭ୍‌ ଆଲାୟାନ୍ସ (ଉପା) ଶାସନ କାଳରେ ଏହା ଆମ ଦେଶର ରାଜନୈତିକ ଆଚରଣରେ ପଡ଼ିଗଲା, କାରଣ କାଲିର ବିରୋଧୀ ଆଜିର ଶାସକ ହୋଇ ତାର ଫାଇଦା ପାଉଛି।
ଆମ ଦେଶରେ ୧୯୫୬ଯାଏ କୌଣସି ଆଇନରେ ‘ରାଜନୈତିକ ଦଳ’ର ଉଲ୍ଲେଖ ନଥିଲା, ବ୍ରିଟିଶ୍‌ ସଂସଦୀୟ ବ୍ୟବସ୍ଥା ଅନୁକରଣରେ ଆମ ଦେଶରେ ନିର୍ବାଚନ ପ୍ରକ୍ରିୟାରେ ଦଳଗୁଡ଼ିକ ଭାଗ ନେଉଥିଲେ ବି ରିପ୍ରେଜେଣ୍ଟେସନ୍‌ ଅଫ୍‌ ପିପୁଲ୍ସ ଆକ୍ଟ (ଲୋକ ପ୍ରତିନିଧି ଆଇନ)ରେ ରାଜନୈତିକ ଦଳକୁ ଆଇନଗତ ମାନ୍ୟତା ଦେବାକୁ ୧୯୮୪ଯାଏ ଅପେକ୍ଷା କରିବାକୁ ପଡ଼ିଲା। ସେତେବେଳକୁ ନେଡ଼ିଗୁଡ଼ କହୁଣିକୁ ବୋହିଗଲାଣି। ରାଜନୈତିଦଳଗୁଡ଼ିକ ଲୋକ-ପ୍ରତିନିଧିକୁ ଦଳ-ପ୍ରତିନିଧି କରିଦେଲେ; ଦଳର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଗଲା। ଲୋଭର ବଶବର୍ତ୍ତୀ ହୋଇ ଅନେକ ସମୟରେ କିଛି କିଛି ଲୋକ-ପ୍ରତିନିଧି ଦଳବଦଳ କରୁଥିଲେ ବୋଲି, ଅର୍ଥାତ୍‌ ନିଜର ବିବେକ ଲଗାଉଥିଲେ ବୋଲି ଦଳଗୁଡ଼ିକ, ବିଶେଷତଃ ଜାତୀୟ କଂଗ୍ରେସ ଦଳ ଅସ୍ବସ୍ତି ଅନୁଭବ କଲା, କାରଣ ଦଳ-ବଦଳ ପ୍ରବୃତ୍ତି ସରକାରରେ ଅସ୍ଥିରତା ଆଣିଲା। ପ୍ରବଳ ବହୁମତରେ ଗାଦିନସୀନ ହୋଇଥିଲେ ମଧ୍ୟ ରାଜୀବ ଗାନ୍ଧୀ ୧୯୮୪ରେ ଦଳବଦଳ ନିରୋଧ ବିଲ୍‌ ଆଣିଲେ। ୧୯୮୫ରେ ସମ୍ବିଧାନରେ ୧୦ମ ତଫସିଲ ଯୋଡ଼ା ହେଲା, ତଦନୁଯାୟୀ ଲୋକପ୍ରତିନିଧି ଆଇନରେ ପରିବର୍ତ୍ତନ କରାଗଲା। ୨୦୦୩ରେ ତାହାକୁ ସମ୍ବିଧାନର ଅଙ୍ଗ କରିଦିଆଗଲା କହିଲେ କଥାଟା ବଡ଼ ସରଳ ମନେହେଉଛି, କିନ୍ତୁ ୧୦ମ ସିଡ୍ୟୁଲଟି ସମ୍ବିଧାନ ପେଟରେ ଆଉ ଗୋଟିଏ ସମ୍ବିଧାନ ଭଳି ରହିଲା, କଙ୍ଗାରୁ ପେଟରେ ପୂର୍ଣ୍ଣାବୟବ କଙ୍ଗାରୁ ଛୁଆ ଯେମିତି ଥାଏ। କେଉଁ କେଉଁ କାରଣରୁ ଲୋକ-ପ୍ରତିନିଧିଙ୍କୁ ଅଯୋଗ୍ୟ ଘୋଷିତ କରାଯାଇପାରିବ, ସେ ତାଲିକାରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ାଗଲା, ଯାହା ୧୦ମ ତଫସିଲର ଶିରୋନାମା କହୁଛି, ‘ଦଳବଦଳ କାରଣରୁ ଅଯୋଗ୍ୟ ହେବାର ବ୍ୟବସ୍ଥା’। ରାଜନୈତିକ ଦଳର ପ୍ରାର୍ଥୀ ଦଳପତିଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରି (ସଂସଦୀୟ ଭାଷାରେ ହ୍ବିପ୍‌ ବା ଛାଟକୁ ବେଖାତିର କରି) ଆଲୋଚନାରେ ଭୋଟ ଦେଲେ ଦଳପତି ତାଙ୍କୁ ବିଧାନସଭା ହେଉ କି ସଂସଦ ହେଉ ସେ ଗୃହର ସଦସ୍ୟ ପଦରୁ ବହିଷ୍କାର କରିବା ପାଇଁ ବାଚସ୍ପତିଙ୍କୁ ଲେଖିପାରିବେ ଓ ବାଚସ୍ପତି ତାହା ଗ୍ରହଣ କଲେ ସମ୍ପୃକ୍ତ ଲୋକପ୍ରତିନିଧି ଗୃହର ସଦସ୍ୟ ପଦ ପାଇଁ ଅଯୋଗ୍ୟ ଘୋଷିତ ହେବେ। ଲୋକେ ତାଙ୍କୁ ବାଛିଛନ୍ତି, କିନ୍ତୁ ଦଳ ତାଙ୍କୁ ବହିଷ୍କାର କରିଦେବ- ଏ ତ ଆମ ସମ୍ବିଧାନ-ପ୍ରଣେତାମାନଙ୍କ ଚିନ୍ତାରେ ବି ନ ଥିଲା। ଯେଉଁ ଲୋକେ ତାଙ୍କୁ ଭୋଟ ଦେଇଥିବେ, ସେମାନେ ବି କିଛି କରିପାରିବେ ନାହିଁ; ତାକୁ ଆଉ ଥରେ ପ୍ରତିନିଧି ହେବାର ଅବସର ମିଳିନପାରେ, କାରଣ ସେହି ଦଳପତି ତା’ର ପ୍ରାର୍ଥିପତ୍ରକୁ ସୁପାରିସ୍‌ କରିବେ ନାହିଁ।
୨୦୦୩ରେ ପୁଣି ସମ୍ବିଧାନରେ ଓ ଲୋକପ୍ରତିନିଧି ଆଇନରେ ସଂଶୋଧନ ଅଣାଗଲା ଯେ, ପ୍ରାର୍ଥୀ ହେବା ଲାଗି ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ଭୋଟର ହେବା ଦରକାର ନାହିଁ, ଅର୍ଥାତ୍‌ ନିଜ ଲୋକଙ୍କ ଭିତରୁ ଆସିବା ଦରକାର ନାହିଁ, ପ୍ରାଦେଶିକ ସ୍ତରରେ ବିଧାୟକ ପଦ ପାଇଁ ପ୍ରଦେଶର ଯେ କୌଣସି ଅଞ୍ଚଳର ଭୋଟର ହୋଇଥିଲେ ଚଳିବ ଏବଂ ସଂସଦର ଉଭୟ ଗୃହ ପାଇଁ ସଦସ୍ୟ ହେବା ଲାଗି ଦେଶର ଯେ କୌଣସି ଅଞ୍ଚଳର ଭୋଟର ହୋଇଥିଲେ ବି ଯେ କୌଣସି ରାଜ୍ୟରୁ ପ୍ରାର୍ଥୀ ହୋଇପାରିବେ। ଓଡ଼ିଶାର ଏମ୍‌ଏଲ୍‌ଏ ନିଖିଳ ଓଡ଼ିଶାର ଭୋଟର ଏବଂ ଓଡ଼ିଶାର ସାଂସଦମାନେ ଅଖିଳ ଭାରତୀୟ ଭୋଟର ହୋଇଥିଲେ ଚଳିବ। ତେଣୁ ଏମ୍‌ଏଲ୍‌ଏ ଓ ଏମ୍‌ପି ଅଚିହ୍ନା ଲୋକଙ୍କ ବା ରାଜ୍ୟର ପ୍ରତିନିଧି ହୋଇପାରିବେ। ପ୍ରତିନିଧି ଶବ୍ଦର କି ଅପବ୍ୟବହାର! ଲୋକ ନୁହେଁ, ରାଜନୈତିକ ଦଳ ହିଁ ନିର୍ବାଚିତ ବ୍ୟକ୍ତିଙ୍କ ମାଲିକ। ତେଣୁ ଦିଲ୍ଲୀର ଭୋଟର-ତାଲିକାରେ ନାମ ଥିବା ବ୍ୟକ୍ତି କେରଳର କୌଣସି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇପାରେ (ଯେପରି କେରଳର ୱାୟାନାଡ୍‌ ସଂସଦୀୟ ନିର୍ବାଚନମଣ୍ଡଳୀର ଗୋଟିଏ ହେଲେ ଭୋଟରକୁ ଚିହ୍ନିନଥିଲେ ବି ରାହୁଲ ଗାନ୍ଧୀ ସେଠାକାର ଏମ୍‌ପି, ତାଙ୍କୁ ଆମେ ୱାୟାନାଡ୍‌ର ଲୋକପ୍ରତିନିଧି କହିବା ନା କଂଗ୍ରେସ୍‌ ଦଳର ପ୍ରତିନିଧି କହିବା?)ା ସେହିଭଳି ଓଡ଼ିଶାର ଯେକୌଣସି ସ୍ଥାନର ଭୋଟର ଓଡ଼ିଶାର ଯେକୌଣସି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇପାରିବ (ନାଁ ନେବା ଦରକାର ନାହିଁ, ବିଜେଡି ଜଣେ ଭୁବନେଶ୍ୱରବାସୀକୁ କୋରାପୁଟର ନିର୍ବାଚନମଣ୍ଡଳୀରେ ଏମ୍‌ଏଲ୍‌ଏ ପ୍ରାର୍ଥୀ କରିପାରେ, ସେ ଜିତିଲେ କୋରାପୁଟର ଲୋକଙ୍କର କି ପ୍ରକାରର ପ୍ରତିନିଧି ହେବ? ସିଏ ତ କୋରାପୁଟରେ ବିଜେଡିର ପ୍ରତିନିଧି ହେବ।) ଆଉ ଗୋଟିଏ ବିଚିତ୍ର କଥା ହେଲା, ରାଜ୍ୟ ସଭାର ମେମ୍ବର ହେବା ପାଇଁ ରାଜ୍ୟର ଭୋଟର ହୋଇଥିବା ଦରକାର ନାହିଁ, ଭାରତର ଯେ କୌଣସି ଅଞ୍ଚଳର ଭୋଟର ହୋଇଥିଲେ ଚଳିବ। ଏପରି ବ୍ୟକ୍ତି ରାଜ୍ୟର ସ୍ବାର୍ଥ ତୁଳନାରେ ଦଳର ସ୍ବାର୍ଥକୁ ବେଶି ନଜର ଦେବ ନାହିଁ କି? ସୁତରାଂ ଆମ ଶାସନ-ପଦ୍ଧତିରେ ଆଉ ଲୋକ-ପ୍ରତିନିଧି ନାହାନ୍ତି, କେବଳ ଦଳ-ପ୍ରତିନିଧି ଅଛନ୍ତି।
ଦଳବଦଳ ରୋକିବା ଚେଷ୍ଟାରେ ଆରମ୍ଭ ହୋଇଥିବା ସମ୍ବିଧାନ ସଂଶୋଧନ ପ୍ରଚେଷ୍ଟା ଏବେ ଗଣତନ୍ତ୍ରକୁ ଦଳତନ୍ତ୍ର ବା ଫାସିଜିମ୍‌ରେ ପରିଣତ କରିବାରେ ଲାଗିଗଲାଣି। ଯଦି ଏମ୍‌ଏଲ୍‌ଏ ଓ ସାଂସଦମାନେ କ୍ରୀତଦାସତୁଲ୍ୟ ହେବେ, ତେବେ ପୋଲିସ୍‌ ଓ ସାମରିକ ବାହିନୀ ସହ ଅମଲାତନ୍ତ୍ର କାହିଁକି ଗୋଡ଼ାଣିଆ ନ ହେବେ? ରାଜନୈତିକ ଦଳଗୁଡ଼ିକ ନିଜକୁ ସୁହାଇବା ଭଳି ଲୋକକୁ ପ୍ରାର୍ଥୀ କରିବା ପାଇଁ କିମ୍ବା ଦଳପତିଙ୍କ ଅନୁଗ୍ରହରେ ଥିବା ବ୍ୟକ୍ତିଙ୍କୁ ଥଇଥାନ କରିବା ପାଇଁ ଏପରି କରିଛନ୍ତି ସିନା, ପ୍ରକୃତରେ ସେମାନେ ସଲାସୁତରା କରି ଗଣତନ୍ତ୍ରରୁ ‘ଗଣ’କୁ ହଟାଇ ଦେଇ ‘ଦଳ’କୁ ଭର୍ତ୍ତି କରିଦେଲେଣି। ତେଣୁ ରୁଡ୍‌ୱାର୍ଡ କିପ୍ଲିଂ ବଖାଣିଥିବା ଜଙ୍ଗଲ ଆଇନ ଏଣିକି ଚାଲୁହେବ, ଗୋଠର ଆଲ୍ଫା ମେଲ୍‌ ବା ଫିମେଲ୍‌ ଯାହା କହିବ ତାହା ହିଁ ନୈତିକ ହେବ ଓ ଆଇନରେ ପରିଣତ ହେବ।
ଲୋକର ଗୁଣ ପରଖି ଏମ୍‌ଏଲ୍‌ଏ ବା ଏମ୍‌ପି ପ୍ରାର୍ଥୀ କରିବା ସମୟ ଗଲାଣି। କିଏ ବେଶି ଦଳପତିଙ୍କୁ ତୋଷାମୋଦ କରିବ ସେ ହିଁ ବିଧାୟକ ବା ସାଂସଦ ହେବ ସେ ଦେଶର ବିକାଶ ପାଇଁ ତାହାର ଚିନ୍ତା ନଥାଉ ପଛେ। ଆମ ଦେଶର ଭୋଟିଂ ପ୍ରଥା ତ ଦୌଡ଼ରେ ପ୍ରଥମ ହେବା ଭଳି ବ୍ୟବସ୍ଥା, ଯିଏ ଅନ୍ୟମାନଙ୍କଠାରୁ ବେଶି ଭୋଟ୍‌ ପାଇଲା ସିଏ ଜିତିଲା, ଅନ୍ୟମାନଙ୍କର ମିଳିତ ଭୋଟସଂଖ୍ୟା ଅର୍ଥାତ୍‌ ତାକୁ ପସନ୍ଦ କରୁନଥିବା ଭୋଟସଂଖ୍ୟା ଶତକଡ଼ା ୭୮ ହେଲେ ବି। (୧୦୦ ଭୋଟର ଥିବା ନିର୍ବାଚନମଣ୍ଡଳୀରେ ୫ ଜଣ ପ୍ରାର୍ଥୀଙ୍କ ଭିତରେ ଯିଏ ୨୨ ପାଇଲା, ଅନ୍ୟମାନେ ଯଥାକ୍ରମେ ୨୧, ୨୦, ୧୯ ଓ ୧୮ ପାଇଥିବାରୁ, ସିଏ ଜିତିବ।) ତେଣୁ ରାଜନୈତିକ ଦଳଗୁଡ଼ିକ ଦେଶର ବିକାଶ ପ୍ରତି ନଜର ନ ରଖି ଭୋଟରମାନଙ୍କ ଭିତରୁ ଯେଉଁମାନଙ୍କୁ ସହଜରେ ଫୁସୁଲାଇ ହେବ ସେମାନଙ୍କୁ ଦେଖନ୍ତି, ଟଙ୍କିକିଆ ଚାଉଳ ସାଙ୍ଗରେ ଲୋକଙ୍କ ହାତରେ ସ୍ବାସ୍ଥ୍ୟସେବା-ଆଶ୍ୱାସନାର ସ୍ମାର୍ଟ କାର୍ଡ ଧରାଇଦେଲେ ଅନ୍ତତଃ ତିରିଶ ଚାଳିଶ ଶତାଂଶ ଲୋକ ତ ‘ଆମେ ଖୁସି’ ବୋଲି କହିବେ, ଖୁସି ମାନେ ତ ଭୋଟ୍‌! ବିରୋଧୀ ଦଳଗୁଡ଼ିକ କୋଳାହଳକୁ ଦବାଇବାକୁ ଆଇନ-ଶୃଙ୍ଖଳାରକ୍ଷାକାରୀ କର୍ମଚାରୀ ନାହାନ୍ତି କି?
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?