ଭଞ୍ଜନଗର,୨୭।୯(ବାବୁଲା ପ୍ରଧାନ): ଘୁମୁସରୀ ଗୋପାଳ ସମିତି ପକ୍ଷରୁ କାରଗିଲ ଭବନ ଠାରେ ଘାସବାସ ଚାଷ ଓ ଗୋ-ଆଧାରିତ କୃଷିର ବିକାଶ ନିମନ୍ତେ ରବିବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଘୁମୁସରୀ ଗାଈର ସୁରକ୍ଷା ଓ ବଂଶବୃଦ୍ଧି ପାଇଁ ସରକାର ସ୍ୱତନ୍ତ୍ର ବଜେଟରେ ଅର୍ଥ ବରାଦ କରିବାକୁ ସମିତି ଦାବି କରିଛି । ଗୋଚର ଜମି ସୁରକ୍ଷା, ଘାସ ଚାଷ, ଗୋଠ ଓ ଗୁହାଳ ନିର୍ମାଣ, ଗୋ-ଆଧାରିତ କୃଷି ଏବଂ କ୍ଷୁଦ୍ର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସମିତି ପକ୍ଷରୁ ଦାବି ହୋଇଛି । ଏଥିସହ ଘୁମୁସରୀ ଗାଈ ନାମରେ କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟ ପାଇଁ ଚିଲିଂ ପ୍ଲାଣ୍ଟ, ଗୋବର୍ଦ୍ଧନ ଯୋଜନା, ପଞ୍ଚଗବ୍ୟ ଉଦ୍ୟୋଗ ଓ ଗୋମୂତ୍ର ଆଧାରିତ ଶିଳ୍ପ ବିକାଶ ଦାବି କରାଯାଇଛି।
ଗୋଚର ଜମି ଜବରଦଖଲ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ମଧ୍ୟ ସମିତି ଦାବି କରିଛି । ଦାବି ପୂରଣ ନହେଲେ ନୀରବ ପଦଯାତ୍ରା, ବିଧାନସଭା ସମ୍ମୁଖରେ ଧର୍ମଘଟ ଓ ରାଜପଥରେ ଗୋପାଳଙ୍କ ଆନ୍ଦୋଳନ କରାଯିବ ବୋଲି ସତ୍ୟନନ୍ଦ ମହାରାଜ, ତ୍ରିନାଥ ଗୌଡ଼ ଓ କୁମାର ଶୁଣି ବାବା ସୂଚନା ଦେଇଛନ୍ତି।

