
ନୂଆଦିଲ୍ଲୀ,୩୦।୮: ଦିଲ୍ଲୀରେ ଅବକାରୀ ନୀତିକୁ ନେଇ ଖୋଳତାଡ ଆରମ୍ଭ ହୋଇଛି। ଏସବୁ ଭିତରେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଆମ ଆଦମୀ ପାର୍ଟି ନେତା ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଆନ୍ନା ମଦ୍ୟପାନ ସହ ଜଡିତ ସମସ୍ୟା ଏବଂ ଏହାର ପରାମର୍ଶ ଦେଇଛନ୍ତି।
ଚିଠିରେ ଆନ୍ନା ହଜାରେ ଲେଖିଛନ୍ତି- ‘ସ୍ବରାଜ’ ନାମକ ପୁସ୍ତକରେ ଆପଣ(କେଜ୍ରିୱାଲ) କେତେ ଆଦର୍ଶ ଜିନିଷ ଲେଖିଥିଲେ। ସେତେବେଳେ ଆପଣଙ୍କଠାରୁ ବହୁତ ଆଶା ଥିଲା। କିନ୍ତୁ ରାଜନୀତିରେ ପ୍ରବେଶ କରିବା ଏବଂ ମୁଖ୍ୟମନ୍ତ୍ରୀ ହେବା ପରେ ଆପଣ ଆଦର୍ଶ ଭୁଲିଯାଇଥିବା ପରି ମନେହୁଏ। ଦିଲ୍ଲୀ ରାଜ୍ୟରେ ଆପଣଙ୍କ ସରକାର ଏକ ନୂତନ ମଦ ଅବକାରୀ ପ୍ରସ୍ତୁତ କରିଛନ୍ତି। ଏଥିରେ ମଦ୍ୟପାନ ଏବଂ ମଦ ବିକ୍ରୟକୁ ଉତ୍ସାହିତ କରାଯାଇଛି। ଏହି ଜିନିଷ ଜନସାଧାରଣଙ୍କ ସ୍ବାର୍ଥରେ ନୁହେଁ। ଯେପରି ମଦ୍ୟପାନର ଏକ ନିଶା, ସେହିଭଳି ଶକ୍ତିର ନିଶା ମଧ୍ୟ ଅଛି। ଆପଣ ହିପରି ଶକ୍ତିର ନିଶାରେ ବୁଡି ରହିଛନ୍ତି।
ସୂଚନାଯୋଗ୍ୟ,ଦିଲ୍ଲୀରେ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ବଳରେ ସିବିଆଇ ମାମଲା କରିବା ସହ ସିସୋଡିଆ ଓ ଅନ୍ୟ କିଛି ଅଧିକାରୀଙ୍କ ଘରେ ରେଡ କରିଥିଲା। ସିବିଆଇ ପରେ ଏବେ ଇଡି ମଧ୍ୟ ମାମଲା ରୁଜୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଏହାକୁ ନେଇ ଭାଜପା ଓ ଏଏପି ମଧ୍ୟରେ ବାକଯୁଦ୍ଧ ଜାରି ରହିଛି।