ଦିଲ୍ଲୀ କ୍ୟାପିଟାଲ୍ସର ୬ଷ୍ଠ ବିଜୟ

ଦୁବାଇ, ୧୫।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୧୬୧ ରନ କରିଥିବାବେଳେ ରାଜସ୍ଥାନ ୨୦ ଓଭରରେ ୮ ଉଇକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା। ୮ ମ୍ୟାଚରୁ ୬ଷ୍ଠ ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ଅନ୍ୟପକ୍ଷରେ ରାଜସ୍ଥାନ ୮ ମ୍ୟାଚରୁ ୫ମ ପରାଜୟ ସହ ୭ମ ସ୍ଥାନରେ ଅପରିବର୍ତ୍ତିତ ରହିଛି।
ଟସ୍‌ ଜିତି ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ବିପକ୍ଷ ଦଳର ସ୍ପିଡ୍‌ଷ୍ଟର ଜୋଫ୍ରା ଆର୍ଚର ଇନିଂସର ପ୍ରଥମ ବଲ୍‌ରେ ପୃଥ୍ବୀ ଶ’ ଏବଂ ନିଜ ଦ୍ୱିତୀୟ ଓଭରର ତୃତୀୟ ବଲ୍‌ରେ ଅଜିଙ୍କ୍ୟ ରାହାନେଙ୍କୁ ଆଉଟ କରି ଦିଲ୍ଲୀକୁ ଡବଲ୍‌ ଝଟ୍‌କା ଦେଇଥିଲେ। ପୃଥ୍ବୀ ଖାତା ଖୋଲିପାରି ନ ଥିବାବେଳେ ରାହାନେ ମାତ୍ର ୨ ରନ କରିଥିଲେ। ୧୦ ରନରେ ୨ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା କ୍ୟାପିଟାଲ୍ସ। ଅଭିଜ୍ଞ ଓପନର ଶିଖର ଧାଓ୍ବନ ଓ ଆୟାର ପ୍ରତିପକ୍ଷ ବୋଲରଙ୍କୁ ସତର୍କତାର ସହ ଖେଳି ଇନିଂସ ଗଢ଼ିବା ଉପରେ ଧ୍ୟାନ ଦେଇଥିଲେ। ତୃତୀୟ ଉଇକେଟରେ ଦୁହେଁ ୫୫ ବଲ୍‌ରୁ ୮୫ ରନ ଯୋଗକରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ଧାଓ୍ବନ ୩୩ ବଲ୍‌ରୁ ୫୭(୬ ଚୌକା, ୨ ଛକା) ରନ ସ୍କୋର କରି ୧୨ତମ ଓଭରର ୪ର୍ଥ ବଲ୍‌ରେ ଶ୍ରେୟାସ ଗୋପାଳଙ୍କୁ ରିଭର୍ସ ସୁଇପ୍‌ ଖେଳିବାକୁ ଯାଇ ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଆୟାର ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୩ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୫୩ ରନ ସ୍କୋର କରିଥିଲେ। ଶେଷଭାଗରେ ରାଜସ୍ଥାନ ବୋଲିଂ ଅତ୍ୟନ୍ତ ପ୍ରଭାବୀ ରହିଥିଲା। ଫଳରେ ଦିଲ୍ଲୀ ଏକଦା ଏକ ବଡ଼ ସ୍କୋର କରିବ ବୋଲି ମନେ ହେଉଥିଲେ ହେଁ ଇନିଂସ ୨୦ ଓଭରରେ ୧୬୧/୭ରେ ସୀମିତ ରହିଥିଲା। ମାର୍କୁସ ଷ୍ଟୋଇନ୍ସ ୧୯ ବଲ୍‌ରୁ ୧୮, ଆଲେକ୍ସ କାରେ ୧୩ ବଲ୍‌ରୁ ୧୪ ଓ ଅକ୍ଷର ପଟେଲ ୪ ବଲ୍‌ରୁ ୭ ରନ କରିବାକୁ ସକ୍ଷମ ହୋଇଥିଲେ। ଶେଷ ଓଭରରେ ଜୟଦେବ ଉନାଡକଟ ୮ ରନ ଦେଇ ୨ଟି ଉଇକେଟ ନେଇଥିଲେ। ଶେଷ ୫ ଓଭରରେ ଦିଲ୍ଲୀ ୩୨ ରନ ସଂଗ୍ରହ କରି ୪ଟି ଉଇକେଟ ହରାଇଥିଲା। ରାଜସ୍ଥାନ ପକ୍ଷରୁ ଆର୍ଚର ନିଜ ୪ ଓଭର ସ୍ପେଲରେ ମାତ୍ର ୧୯ ରନ ଦେଇ ସର୍ବାଧିକ ୩ଟି, ଉନାଡକଟ ୨ଟି ଏବଂ କାର୍ତ୍ତିକ ତ୍ୟାଗୀ ଓ ଶ୍ରେୟାସ ଗୋପାଳ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ରାଜସ୍ଥାନ ପକ୍ଷରୁ ଦୁଇ ଇଂଲଣ୍ଡ ଖେଳାଳି ବେନ୍‌ ଷ୍ଟୋକ୍ସ ଓ ଜୋସ୍‌ ବଟଲର ଇନିଂସ ଓପନ କରିଥିଲେ। ଦୁହେଁ ୧୮ ବଲ୍‌ରୁ ୩୭ ରନ ସଂଗ୍ରହ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ ହେଁ ୩ ରନ ମଧ୍ୟରେ ୨ଟି ଉଇକେଟ ପତନ ଦଳକୁ ବିପଦରେ ପକାଇଥିଲା। ବଟଲର ୯ ବଲ୍‌ରୁ ୩ ଚୌକା ଓ ୧ ଛକା ସହ ୨୨ ଓ ଅଧିନାୟକ ଷ୍ଟିଭ୍‌ ସ୍ମିଥ ମାତ୍ର ୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଷ୍ଟୋକ୍ସ ଓ ସଞ୍ଜୁ ସାମସନ ଦଳକୁ ଲକ୍ଷ୍ୟପଥରେ ଆଗେଇ ନେଇଥିଲେ। ତୃତୀୟ ଉଇକେଟରେ ୪୬ ରନ ଯୋଗ ହେବାପରେ ଷ୍ଟୋକ୍ସ ୪୧(୩୫ ବଲ, ୬ ଚୌକା) ରନ କରି ଆଉଟ ହୋଇଥିଲେ। ୧୮ ବଲ୍‌ରୁ ୨୫(୨ ଛକା) ରନ କରିଥିବାବେଳେ ସାମସନ୍‌ଙ୍କ ଆଉଟ ଦଳକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ବୁଝାମଣାରେ ଅଭାବ ଯୋଗୁ ରାୟାନ ପରାଗ ୧ ରନ କରି ରନଆଉଟ ହେବାରୁ ଦଳର ଭାର ରବିନ ଉଥପ୍ପା ଓ ରାହୁଲ ଟଓ୍ବୋଟିଆଙ୍କ ଉପରେ ନ୍ୟସ୍ତ ହୋଇଥିଲା। ଖାତା ଖୋଲିବା ପୂର୍ବରୁ ଟଓ୍ବୋଟିଆ ଜୀବନଦାନ ପାଇଥିଲେ। ୧୫ତମ ଓଭରର ଦ୍ୱିତୀୟ ବଲ୍‌ରେ ଫାଇନ୍‌ଲଗେ୍‌ ଅଞ୍ଚଳରେ ଏଡ଼ରିଚ୍‌ ନର୍ଜେ ଏକ ସହଜ କ୍ୟାଚ ହାତଛଡ଼ା କରିଥିଲେ। ପିଚ୍‌ କ୍ରମେ ସ୍ଲୋ ହେଉଥିବାରୁ ଷ୍ଟ୍ରୋକ୍‌ ଖେଳିବାରେ ଉଭୟ ବ୍ୟାଟ୍ସମ୍ୟାନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଶେଷ ୫ ଓଭରରେ ବିଜୟ ପାଇଁ ଦଳକୁ ୩୯ ରନ ଆବଶ୍ୟକ ଥିଲା। ୧୮ତମ ଓଭରର ତୃତୀୟ ବଲ୍‌ରେ ଉଥପ୍ପାଙ୍କୁ ବୋଲ୍ଡ କରିଥିଲେ ନର୍ଜେ। ଉଥପ୍ପା ୨୭ ବଲ୍‌ରୁ ୩୨(୩ ଚୌକା, ୧ ଛକା) ରନ କରିଥିଲେ। ୧୮ତମ ଓଭରରେ ନର୍ଜେ ୪ ଓ ୧୯ତମ ଓଭରରେ ରାବାଡ଼ା ମାତ୍ର ୩ ରନ ବ୍ୟୟ କରିବାରୁ ଶେଷ ଓଭରରୁ ବିଜୟ ପାଇଁ ୨୨ ରନ ଆବଶ୍ୟକ ହେଉଥିଲା। ମାତ୍ର ତୁଷାର ଦେଶପାଣ୍ଡେ ୮ ରନ ବ୍ୟୟ କରିବାରୁ ଦିଲ୍ଲୀ ୧୩ ରନରେ ବିଜୟୀ ହୋଇଥିଲା। ଟଓ୍ବୋଟିଆ (୧୮ ବଲ୍‌ରୁ ୧୪ ରନ) ଅପରାଜିତ ରହିଥିଲେ ହେଁ ଦଳକୁ ବିଜୟୀ କରିପାରି ନ ଥିଲେ। ଦିଲ୍ଲୀ ବୋଲରଙ୍କ ମଧ୍ୟରେ ଦେଶପାଣ୍ଡେ ଓ ନର୍ଜେ ୨ଟି ଲେଖାଏ ଏବଂ ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ ଓ କାଗିଶୋ ରାବାଡ଼ା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୬୧/୭(ଧାଓ୍ବନ-୫୭, ଆୟାର-୫୩, ଆର୍ଚର-୩/୧୯, ଉନାଡକଟ-୨/୩୨, ତ୍ୟାଗୀ-୧/୩୦, ଗୋପାଳ-୧/୩୧)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୪୮/୮ (ଷ୍ଟୋକ୍ସ-୪୧, ସାମସନ-୨୫, ଉଥପ୍ପା-୩୨, ବଟଲର-୨୨, ଦେଶପାଣ୍ଡେ-୨/୩୭, ଏନରିଚ୍‌ ନର୍ଜେ-୨/୩୩, ଅଶ୍ୱିନ-୧/୧୭, ରାବାଡ଼ା-୧/୨୮, ଅକ୍ଷର-୧/୩୨)।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri