ଜ୍ଞାନର ପରିଭାଷା

ଛାୟାକାନ୍ତ ଷଡ଼ଙ୍ଗୀ

ଯେତେବେଳେ ଶିଶୁଟିଏ ପ୍ରଥମେ ବିଦ୍ୟାଳୟକୁ ଯାଏ, ସେ ଥାଏ ଅଜ୍ଞାନ ଓ ଅବୋଧ। ଜୀବନରେ ଭଲ କ’ଣ, ମନ୍ଦ କ’ଣ, ପାପ କ’ଣ, ପୁଣ୍ୟ କ’ଣ ଏ ସମ୍ପର୍କରେ ତା’ର ଧାରଣା ନ ଥାଏ। ଶିକ୍ଷକ ତାକୁ ସେ ସମ୍ପର୍କରେ ଧାରଣା ଦିଅନ୍ତି। ଗଳ୍ପ, କବିତା, ଧର୍ମଶାସ୍ତ୍ର ଆଦିରୁ ଅନେକ ଉଦାହରଣ ଦେଇ ଶିକ୍ଷକ ଶିଶୁକୁ ଭଲ ମଣିଷ ହେବା ପାଇଁ ପ୍ରେରଣା ଦିଅନ୍ତି। ଶିଶୁ ସେସବୁ ଶୁଣେ, ସେ ବିଷୟକ ବହି ପଢ଼େ ଓ ଅନେକ କଥା ଶିଖେ। ସାଧୁତା ଅବଲମ୍ବନ କରିବା, ଅହିଂସା ପାଳନ କରିବା, ସତ୍ୟ କହିବା, ଦୟା କରିବା ଆଦି ମଣିଷୋଚିତ ଗୁଣ ବୋଲି ସେ ଜ୍ଞାନ ଅର୍ଜନ କରେ। ଶିକ୍ଷା ସମାପ୍ତ କଲା ପରେ ସେମାନଙ୍କ ମଧ୍ୟରୁ ଅନେକ ହୁଅନ୍ତି ଉଚ୍ଚପଦାଧିକାରୀ। ମାତ୍ର ଅନେକ ସମୟରେ ଦେଖାଯାଏ ବହୁ ଜ୍ଞାନର ଅଧିକାରୀ ହେବା ସତ୍ତ୍ୱେ କେହି କେହି ହୋଇଥାନ୍ତି ମିଥ୍ୟାଚାରୀ, ଅସାଧୁ ଓ ଦୁର୍ନୀତିଗ୍ରସ୍ତ। ”ଯାହାର ଜ୍ଞାନ ଥାଏ ସେ ଜ୍ଞାନୀ“ ନ୍ୟାୟରେ ଏଭଳି ବ୍ୟକ୍ତିକୁ ଜ୍ଞାନୀ କୁହାଯାଇପାରିବ ନାହିଁ, କାରଣ ସେ ସାଧୁତା, ଅହିଂସା, ସତ୍ୟକଥନ ଭଳି ମୂଲ୍ୟବୋଧ ଶିକ୍ଷକଙ୍କ ନିକଟରୁ ଶିକ୍ଷା କରି ବା ବହି ପଢ଼ି ତାକୁ ଜ୍ଞାନ ବୋଲି ମନେ କରୁଥିଲେ, ମାତ୍ରା ତାହା ଜ୍ଞାନ ନ ଥିଲା, ତାହା ଥିଲା ଜ୍ଞାନର ଏକ ଧାରଣା। ଜ୍ଞାନୀ ସିଏ, ଯିଏ ଜ୍ଞାନକୁ ଉପଲବ୍‌ଧି କରିଥାଏ, ଅର୍ଥାତ୍‌ ଯିଏ ଜ୍ଞାନକୁ ନିଜ ଆଚରଣରେ ପ୍ରତିଫଳିତ କରିଥାଏ। ଦୁର୍ନୀତି, ହିଂସା, ମିଥ୍ୟାଚରଣ ଏସବୁ ଦୁର୍ଗୁଣ ବୋଲି ଜ୍ଞାନ ସମସ୍ତଙ୍କ ଅଛି। ଏସବୁର ପଥ ଅନୁସରଣ କଲେ ମଣିଷର ଅଧଃପତନ ହୁଏ ବୋଲି ସମସ୍ତେ ଜାଣନ୍ତି। ତା’ସତ୍ତ୍ୱେ ଯେଉଁମାନେ ଅର୍ଜିତ ଜ୍ଞାନକୁ ନିଜ ଆଚରଣରେ ପ୍ରତିଫଳିତ କରନ୍ତି ନାହିଁ ସେମାନେ ଜ୍ଞାନୀ ପଦବାଚ୍ୟ ନୁହନ୍ତି। ଆଚାର୍ଯ୍ୟ ଦୀପଙ୍କର ଥାନ୍ତି ନାଳନ୍ଦା ବିଶ୍ୱବିଦ୍ୟାଳୟର ଜଣେ ଜ୍ଞାନପିପାସୁ ଶିକ୍ଷକ। ଥରେ ସେ ଗୋଟିଏ ପୁସ୍ତକ ପଢ଼ୁ ପଢ଼ୁ ଅର୍ଦ୍ଧଚେତନ ଅବସ୍ଥାକୁ ପ୍ରାପ୍ତ ହୋଇଥାନ୍ତି। ସେହି ସମୟରେ ଆବିର୍ଭୂତ ହେଲେ ବୁଦ୍ଧ। ସେ ଦୀପଙ୍କରଙ୍କୁ ପଚାରିଲେ, ”ତୁମେ କ’ଣ କରୁଛ?“ ଦୀପଙ୍କର ଉତ୍ତର ଦେଲେ, ”ମୁଁ ଏହି ବହିରେ ଥିବା ଧର୍ମତତ୍ତ୍ୱ ଓ ଦର୍ଶନତତ୍ତ୍ୱ ଅଧ୍ୟୟନ କରୁଛି।“ ବୁଦ୍ଧ କହିଲେ, ”ତୁମେ କେବଳ କିଛି ଶବ୍ଦାର୍ଥ ଅଧ୍ୟୟନ କରୁଛ ଓ ସେଥିରେ ସନ୍ତୁଷ୍ଟ ରହୁଛ। ମାତ୍ର ଏହି ଶବ୍ଦାର୍ଥ ପ୍ରକୃତ ଜ୍ଞାନ ନୁହେଁ। ତାକୁ ଜୀବନରେ ଉପଲବ୍‌ଧି କରିବା ହେଉଛି ପ୍ରକୃତ ଜ୍ଞାନ। ସେହିଦିନଠାରୁ ଦୀପଙ୍କରଙ୍କ ଜ୍ଞାନାର୍ଜନ ପଦ୍ଧତି ବଦଳିଗଲା।
ଆମେ ଯାହାକୁ ଜ୍ଞାନ କହୁଛୁ ତାହା ପ୍ରକୃତରେ ଜ୍ଞାନ ନୁହେଁ, ତଥ୍ୟ। ଇଂରେଜ କବି ଟି.ଏସ୍‌. ଏଲିଅଟଙ୍କ ଭାଷାରେ Where।s the knowledge that we have lost।n।nformation. ଏହି ପ୍ରସଙ୍ଗରେ ଫରାସୀ ଲେଖକ ଆନାତୋଲ ପ୍ରିନ୍ସଙ୍କ ଏକ କାହାଣୀ ଉଲ୍ଲେଖ କରାଯାଇପାରେ। ଜଣେ ରାଜା ଥିଲେ । ସେ ଚାହିଁଲେ ଉପଯୁକ୍ତ ଜ୍ଞାନକୁ ଭିତ୍ତିକରି ଦେଶର ଶାସନ ବିଧି ପ୍ରଣୀତ ହେଉ। ତେଣୁ ସେ ଦେଶର ବିଶିଷ୍ଟ ଜ୍ଞାନୀମାନଙ୍କୁ ଆମନ୍ତ୍ରଣ କଲେ ଓ ବିଭିନ୍ନ ବିଷୟକୁ ଜ୍ଞାନ ଲିପିବଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଲେ। ସେହି ଜ୍ଞାନୀମାନଙ୍କୁ ଏକ ପ୍ରାସାଦରେ ରଖାଗଲା। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ କର୍ମଚାରୀ ନିଯୁକ୍ତ ହେଲେ। ଜ୍ଞାନ ସଂଗ୍ରହ କରି ଲିପିବଦ୍ଧ କରିବାରେ ତିରିଶ ବର୍ଷ ଅତିକ୍ରାନ୍ତ ହେଲା। ଶେଷରେ ସମସ୍ତ ଜ୍ଞାନସମ୍ଭାର ତିନିଶହ ଗ୍ରନ୍ଥରେ ଲିପିବଦ୍ଧ କରି ରାଜାଙ୍କ ସମ୍ମୁଖରେ ଉପସ୍ଥାପିତ କରାଗଲା। ରାଜା କହିଲେ, ଏତେ ପାଠ ପଢ଼ିବା ପାଇଁ ମୋ ପାଖରେ ସମୟ ନାହିଁ। ଏହାକୁ ସଂକ୍ଷିପ୍ତ କରି ଆଣ।“ ଦଶବର୍ଷ ପରେ ସେହି ଜ୍ଞାନୀମାନେ ତିନିଶହ ଗ୍ରନ୍ଥକୁ ସଂକ୍ଷିପ୍ତ କରି ପଚାଶ ଖଣ୍ଡ କରିଦେଲେ। ତଥାପି ରାଜା, ତାକୁ ଆହୁରି ସଂକ୍ଷିପ୍ତ କରି ଗୋଟିଏ ଗ୍ରନ୍ଥରେ ସ୍ଥାନ ଦେବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ସଂକ୍ଷିପ୍ତୀକରଣ ପ୍ରକ୍ରିୟା ମଧ୍ୟରେ ଅନେକ ଜ୍ଞାନୀ ଲୋକଙ୍କର ମୃତ୍ୟୁ ହୋଇଯାଇଥାଏ। ଯେତେଜଣ ବଞ୍ଚି ରହିଲେ ସେମାନେ ବହୁକଷ୍ଟରେ ପୁଣି ପାଞ୍ଚବର୍ଷର ଉଦ୍ୟମରେ ଗୋଟିଏ ଜ୍ଞାନଗ୍ରନ୍ଥ ପ୍ରସ୍ତୁତ କଲେ। ମାତ୍ର ସେମାନେ ସେହି ଗ୍ରନ୍ଥକୁ ରାଜାଙ୍କ ପାଖକୁ ଆଣିବାବେଳକୁ ବୃଦ୍ଧ ରାଜା ଶେଷ ନିଃଶ୍ୱାସ ତ୍ୟାଗ କରୁଥିଲେ। ଏହି କାହାଣୀର ପଣ୍ଡିତମାନେ ଯାହା ସବୁ ସଂକଳନ କରୁଥିଲେ, ତାହା ଥିଲା ତଥ୍ୟ, ଜ୍ଞାନ ନୁହେଁ। ସେସବୁ ପଢ଼ି ଜଣେ ପଣ୍ଡିତ ହୋଇପାରେ, ମାତ୍ର ତଦ୍ଦ୍ବାରା ଯଦି ତା’ର ଚେତନାର ବିକାଶ ନ ହେଲା ସେ ଜ୍ଞାନୀ ନୁହେଁ।
ବହୁ ତଥ୍ୟ ସଂଗ୍ରହ କରି ଜଣେ ଦକ୍ଷ ତାର୍କିକ ହୋଇପାରେ, ମାତ୍ର ତାର୍କିକ ମାତ୍ରକେ ଜ୍ଞାନୀ ନୁହନ୍ତି। ଥିଲେ ଜଣେ ବହୁ ଅଧ୍ୟୟନ କରିଥିବା ହେତୁବାଦୀ। ସେ ଆତ୍ମାର ଅସ୍ତିତ୍ୱକୁ ସ୍ବୀକାର କରୁ ନ ଥିଲେ। ଥରେ ସେ ତାଙ୍କର ଜଣେ ଦାର୍ଶନିକ ବନ୍ଧୁଙ୍କୁ ପଚାରିଲେ, ‘ମଣିଷ ଭିତରେ ଆତ୍ମା ଥାଏ ବୋଲି ତୁମେ କ’ଣ ବିଶ୍ୱାସ କର?’ ଦାର୍ଶନିକ ଉତ୍ତର ଦେଲେ ‘ନିଶ୍ଚୟ କରେ।’ ହେତୁବାଦୀ ବନ୍ଧୁ ତାଙ୍କୁ ନେଇଗଲେ ଏକ ସଂଗ୍ରହାଳୟକୁ। ସେଠାରେ ଥିବା ଶରୀରତତ୍ତ୍ୱ ବିଭାଗର ଏକ କାଚ ଆଲମିରାରେ ଥାଏ ଅନେକ ପାତ୍ର। ଯେଉଁ ଯେଉଁ ଉପାଦାନରେ ମଣିଷ ଶରୀର ଗଢ଼ା ସେହି ଉପାଦାନ ସବୁ ଭିନ୍ନ ଭିନ୍ନ ପାତ୍ରରେ ରଖାଯାଇଥାଏ ଓ ସେଗୁଡ଼ିକର ନାମ ଲେଖାଯାଇଥାଏ। ଗୋଟିକରେ ଥାଏ କାର୍ବନ, ଗୋଟିକରେ ଥାଏ ଜଳ, ଗୋଟିକରେ ମାଟି ଓ ଆଉ ଗୋଟିକରେ ଫସ୍‌ଫରସ୍‌। ହେତୁବାଦୀ ବନ୍ଧୁ ଦାର୍ଶନିକଙ୍କୁ ବିଦ୍ରୂପ କରି କହିଲେ, ‘ଦେଖ, ମଣିଷ ଶରୀର ଯେଉଁ ଯେଉଁ ଉପାଦାନରେ ଗଢ଼ା ସେସବୁ ଏଠାରେ ଦେଖାଇ ଦିଆଯାଇଛି। ମାତ୍ର ଏଠାରେ କୌଣସି ଆଧାର ନାହିଁ ଯେଉଁଠି ଆତ୍ମା ଅଛି।’ ଦାର୍ଶନିକ ବନ୍ଧୁ କହିଲେ, ‘ମୁଁ ତୁମ ସହ ଯୁକ୍ତି କରିବାକୁ ଚାହେଁ ନାହିଁ।’ ହେତୁବାଦୀ କହିଲେ, ”ତୁମର ଯୁକ୍ତି ନାହିଁ, ଯୁକ୍ତି କରିବ କିପରି?“ ଦାର୍ଶନିକ କହିଲେ, ‘ମୁଁ ମୁଠାଏ ମାଟି, କେଇ ଚାମଚ କାର୍ବନ, ଫସ୍‌ଫରସ୍‌ ଓ ଆଞ୍ଜୁଳାଏ ଜଳ ଭଳି ଜଡ଼ ପଦାର୍ଥ ସହ କାହିଁକି ଯୁକ୍ତି କରିବି? ‘ତୁମେ ତ ଏସବୁର ସମାହାର ମାତ୍ର’ । ହେତୁବାଦୀ ଚମକିପଡ଼ିଲେ। ସେ ବୁଝିପାରିଲେ ଶରୀରରେ ଏହି ଉପାଦାନ ବ୍ୟତୀତ ଏମିତି ଏକ ସତ୍ତା ଅଛି ଯାହା ବିନା ଶରୀର କାର୍ଯ୍ୟକ୍ଷମ ହୋଇପାରେ ନାହିଁ ଓ ତାକୁ ଜାଣିବା ପାଇଁ ବହି ସଂଗୃହୀତ ଜ୍ଞାନ ଯଥେଷ୍ଟ ନୁହେଁ। ଆତ୍ମା ସମ୍ପର୍କୀୟ ଜ୍ଞାନ ତଥ୍ୟ ତର୍କ ସାପେକ୍ଷ ନୁହେଁ। ଏହା ଅଭିଜ୍ଞତା ସାପେକ୍ଷ। ଏଣୁ ମୁଣ୍ଡକ ଉପନିଷଦରେ କୁହାଯାଇଛି ‘ନାୟମାତ୍ମା ପ୍ରବଚନେନ ଲଭ୍ୟଃ, ନ ମେଧୟା ନ ବହୂନା ଶ୍ରୁତେନ।’ ଅର୍ଥାତ୍‌ ପ୍ରବଚନ ଦ୍ୱାରା ବା ମେଧା ଦ୍ୱାରା ବା ବହୁ ଶାସ୍ତ୍ର ଅଧ୍ୟୟନ ଦ୍ୱାରା ଆତ୍ମା ସମ୍ପର୍କରେ ଜ୍ଞାନ ଅର୍ଜନ କରିହୁଏ ନାହିଁ। ଏହା ହେଉଛି ଅନୁଭବର ବିଷୟ।
ଆମେ ଯେଉଁ ତଥ୍ୟକୁ ଜ୍ଞାନ କହୁଛୁ ତାହା ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ନୁହେଁ। ଜ୍ଞାନ ମଧ୍ୟ ପରିବର୍ତ୍ତନଶୀଳ। ଆଜିର ଜ୍ଞାନ ଆସନ୍ତାକାଲି ଅଜ୍ଞାନ ହୋଇପାରେ। ଦିନ ଥିଲା ଆମେ ଗ୍ରହଣ କରି ନେଇଥିଲୁ ସୂର୍ଯ୍ୟ ଘୂରୁଛି ଓ ପୃଥିବୀ ସ୍ଥିର। ମାତ୍ର ଆଜି ଆମେ ଜାଣୁ ପୃଥିବୀ ଘୂରୁଛି ଓ ସୂର୍ଯ୍ୟ ସ୍ଥିର। ଯୋଗୀ ଅରବିନ୍ଦଙ୍କ ଭାଷାରେ what men call knowledge।s the reasoned acceptance of false appearances ଅର୍ଥାତ୍‌ ମଣିଷ ଯାହାକୁ ଜ୍ଞାନ ବୋଲି କହେ ତାହା ମିଥ୍ୟା ବାହ୍ୟ ରୂପର ଯୁକ୍ତିସମ୍ମତ ସ୍ବୀକାର। ଆମେ ବୁଦ୍ଧି, ଯୁକ୍ତି ଓ ଇନ୍ଦ୍ରିୟ ମାଧ୍ୟମରେ ଯେ କୌଣସି ବିଷୟକୁ ଜାଣିବାକୁ ଚେଷ୍ଟା କରୁ। ଅବଶ୍ୟ ଏଗୁଡ଼ିକ ଦ୍ୱାରା ସ୍ଥୂଳ ଜଗତର ଅନେକ କଥା ଜାଣିହୁଏ। ମାତ୍ର ଏହାଦ୍ୱାରା ସୂକ୍ଷ୍ମ ଜଗତର ରହସ୍ୟ ବୁଝିବା ସମ୍ଭବ ନୁହେଁ। ତାହା ଜାଣିହୁଏ ଆତ୍ମଜ୍ଞାନ ଦ୍ୱାରା। ଅରବିନ୍ଦଙ୍କ ଭାଷାରେ what the soul sees and has experienced that।t knows ଅର୍ଥାତ୍‌ ଆତ୍ମା ଯାହା ଦେଖେ ଓ ଅଙ୍ଗେ ନିଭାଏ ତାହା ହିଁ ଜାଣେ। ଆତ୍ମା କ’ଣ ଦେଖେ ମୁଁ ଜାଣିବି କିପରି ଏହି ପ୍ରଶ୍ନର ଉତ୍ତର ପାଇଛନ୍ତି ବିଶିଷ୍ଟ ଲେଖକ ମନୋଜ ଦାସ ଶ୍ରୀମାଙ୍କଠାରୁ। ”ଆତ୍ମା ସମ୍ପର୍କରେ ସଚେତନ ହେବା ଦ୍ୱାରା ବା ଆତ୍ମାକୁ ଜାଣିବା ଦ୍ୱାରା ହିଁ ତାହା ସମ୍ଭବପର ହେବ। ଯେତେବେଳେ ଜଣେ ନିଜ ଆତ୍ମାକୁ ଜାଣେ ବା ଆତ୍ମ ଉପଲବ୍‌ଧି କରିପାରେ ସେତେବେଳେ ସେ ଆତ୍ମାକୁ ଜାଣିଲା କି ନାହିଁ ସେ ବିଷୟରେ ତା’ ମନରେ ଦ୍ୱନ୍ଦ୍ୱ ରହେ ନାହିଁ। ଯିଏ ଆତ୍ମାକୁ ଜାଣେ ସେ ବଳେ ବଳେ ସେ ବିଷୟରେ ନିଶ୍ଚିତ ହୁଏ।“
ବ୍ୟବହାରିକ ଜ୍ଞାନ କଥା ଅଲଗା। ଭୁକିଲା କୁକୁର କାମୁଡ଼େ ନାହିଁ ହେଉଛି ଅଭିଜ୍ଞତା ପ୍ରସୂତ ଜ୍ଞାନ। ମାତ୍ର ଏହା ମଧ୍ୟ ସବୁବେଳେ ସମ୍ପୂର୍ଣ୍ଣ ଠିକ୍‌ ହୋଇ ନ ପାରେ। ଥରେ ଜଣେ ଭଦ୍ରଲୋକ କୁକୁର ପୋଷିଥିବା ଜଣେ ବନ୍ଧୁଙ୍କୁ ସାକ୍ଷାତ୍‌ କରିବାକୁ ଯାଇଥାନ୍ତି। ସେ ତାଙ୍କ ଫାଟକରେ ପହଞ୍ଚତ୍ବା କ୍ଷଣି ବନ୍ଧୁଙ୍କ କୁକୁର ଭୁକିବା ଆରମ୍ଭ କଲା। ବନ୍ଧୁ ଘର ଭିତରୁ କହିଲେ, ଭିତରକୁ ଚାଲିଆସ। କିଛି ଅସୁବିଧା ହେବ ନାହିଁ। କଥାରେ ଅଛି ପରା ଭୁକିଲା କୁକୁର କାମୁଡ଼େ ନାହିଁ। ମାତ୍ର ବନ୍ଧୁ ଅଟକିଗଲେ ଓ କହିଲେ, ‘ଏହି କଥାଟି ତୁମକୁ ଜଣାଅଛି। ମୋତେ ବି ଜଣା ଅଛି। କିନ୍ତୁ କୁକୁରକୁ ଜଣା ଅଛି କି?’ ଏହି କଥା କହିବାର ତାତ୍ପର୍ଯ୍ୟ ହେଉଛି କୌଣସି ନିୟମ ସମ୍ପୂର୍ଣ୍ଣ ଅଲଂଘନୀୟ ଭାବରେ ଗ୍ରହଣ କରାଯାଇପାରିବ ନାହିଁ। ବେଳେବେଳେ ଭୁକିଲା କୁକୁର ବି କାମୁଡ଼ିପାରେ। ଜ୍ଞାନ ପୁସ୍ତକ ପ୍ରସୂତ ନୁହେଁ, ଅଭିଜ୍ଞତାପ୍ରସୂତ। ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଅନୁଭବ କରିବା ଯେ ଆମେ ଅଜ୍ଞାନ। ଏହିପରି ଉପଲବ୍ଧି ହେଲେ ଆମେ ଜ୍ଞାନର ଅନ୍ବେଷଣ କରିପାରିବା। ସେହି ଦୃଷ୍ଟିରୁ ଆମେ ଯେତିକି ଜ୍ଞାନ ଅର୍ଜନ କରିଛୁ ତାହା ଆମ ଅଜ୍ଞାନ ଉପଲବ୍ଧିର ଅବଦାନ। ଆମେ ସର୍ବଦା ଅଜ୍ଞାନରୁ ଜ୍ଞାନ ଆହରଣ ଦିଗରେ ଧାବମାନ। ଏଣୁ କୌଣସି ବିଷୟରେ ସାମାନ୍ୟ ଜ୍ଞାନ ହାସଲ କଲେ ଆମେ ଗର୍ବରେ ଅନ୍ଧ ନ ହୋଇ ଆମ ଅଜ୍ଞାନତା ପ୍ରତି କୃତଜ୍ଞ ଅନୁଭବ କରିବା କଥା ଏବଂ ନମ୍ର ହେବା କଥା।
ପ୍ରାକ୍ତନ୍‌ ଅଧ୍ୟକ୍ଷ: ଡି.ଏ.ଭି. ସ୍ବୟଂଶାସିତ କଲେଜ, ଟିଟିଲାଗଡ଼
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri