ନିଷ୍ପତ୍ତି ଓ କାର୍ଯ୍ୟକାରିତା

ଉତ୍ତରପ୍ରଦେଶ କୁଶିନଗରର ମଦ୍‌ନି ମସ୍‌ଜିଦ ଭଙ୍ଗା ଘଟଣାରେ ସୁପ୍ରିମକୋର୍ଟ ଜିଲା କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରାଯାଇ ମସ୍‌ଜିଦର ଏକ ଅଂଶକୁ କର୍ତ୍ତୃପକ୍ଷ ଭାଙ୍ଗିଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ସୁପ୍ରିମକୋର୍ଟ ସେମାନଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଉତ୍ତର ଚାହିଁଛନ୍ତି। ଉଲ୍ଲେଖନୀୟ ଯେ, ୧୩ ନଭେମ୍ବର ୨୦୨୪ରେ ସର୍ବୋଚ୍ଚ ଅଦାଲତ ସମଗ୍ର ଦେଶ ପାଇଁ ଏକ ମାର୍ଗଦର୍ଶିକା ଜାରି କରିଥିଲେ। ଏଥିରେ ଦର୍ଶାଯାଇଥିଲା ଯେ, ପୂର୍ବରୁ କାରଣ ଦର୍ଶାଅ ନୋଟିସ ନ ଦେଇ କିମ୍ବା ପକ୍ଷଙ୍କୁ ଜବାବ ଦାଖଲ କରିବା ପାଇଁ ୧୫ ଦିନ ସମୟ ନ ଦେଇ କୌଣସି ଘର ଭଙ୍ଗାଯାଇପାରିବ ନାହିଁ। କିନ୍ତୁ ଫେବୃଆରୀ ୯ ତାରିଖରେ କୁଶିନଗର ମସ୍‌ଜିଦର କଛି ଅଂଶ ଭଙ୍ଗାଯାଇଥିଲା, ଯାହାକୁ ନେଇ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ତେବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମସ୍‌ଜିଦ ଭଙ୍ଗା ଯାଇପାରିବ ନାହିଁ ବୋଲି ଜଷ୍ଟିସ ବି.ଆର୍‌. ଗଭାଇ ଓ ଜଷ୍ଟିସ ଏ.ଜି. ମସିହଙ୍କ ଖଣ୍ଡପୀଠ ଦର୍ଶାଇଛନ୍ତି। ଯଦି ନିକଟ ଇତିହାସକୁ ଦେଖାଯାଏ ତେବେ ଉତ୍ତରପ୍ରଦେଶରେ ପ୍ରୟାଗରାଜର ଶାହି ମସ୍‌ଜିଦ ମାମଲା ତଳକୋର୍ଟରେ ବିଚାରାଧୀନ ଥିବାବେଳେ ରାସ୍ତା ଚଉଡ଼ା ପାଇଁ ତାହାକୁ ଭଙ୍ଗାଯାଇଥିଲା। ଦେଖିବାକୁ ଗଲେ ଉତ୍ତରପ୍ରଦେଶ ବ୍ୟତୀତ ମହାରାଷ୍ଟ୍ରରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି। କୌଣସି ଘର ଭାଙ୍ଗିବା ଆଗରୁ ପକ୍ଷଙ୍କୁ ନୋଟିସ ଦେବା ଲାଗି ମାର୍ଗଦର୍ଶିକା ଜାରି କରିବା ପୂର୍ବରୁ ୧ ଅକ୍ଟୋବର, ୨୦୨୪ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏକ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ସୂଚିତ କରିଥିଲେ ଯେ, ମନ୍ଦିର, ମସ୍‌ଜିଦ ସମେତ ଅନ୍ୟ ସବୁ ଧର୍ମୀୟ ନିର୍ମାଣ ସର୍ବସାଧାରଣ ସ୍ଥାନରେ କରାଯାଇଥିଲେ ସେଗୁଡ଼ିକୁ ହଟାଇବାକୁ ହେବ। ସାର୍ବଜନୀନ ଜମି ଉପରେ ନିର୍ଦ୍ଦେଶ ଜାରି କଲାବେଳକୁ ସୁପ୍ରିମକୋର୍ଟ ମୁଖ୍ୟତଃ ରାସ୍ତା, ଜଳାଶୟ ଏବଂ ଭାରତୀୟ ରେଳ ଜମିକୁ ଗୁରୁତ୍ୱ ଦେଇଥିଲେ। କିନ୍ତୁ ସାର୍ବଜନୀନ ସ୍ଥାନରେ ବେଆଇନ ଭାବେ ନିର୍ମିତ ମନ୍ଦିର ଓ ମସ୍‌ଜିଦକୁ ଉଚ୍ଛେଦ କରିବା ପାଇଁ ଦେଇଥିବା ରାୟକୁ କାର୍ଯ୍ୟକାରୀ କରାଇବା କଷ୍ଟକର ହୋଇପଡ଼ୁଥିବା ମନେ ହେଉଛି। ଏପରିକି କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧରେ ବି ସୁପ୍ରିମକୋର୍ଟରେ ଅଭିଯୋଗ ଦାଖଲ କରାଯାଉଛି।
ଉଲ୍ଲେଖନୀୟ ଯେ, ଭାରତ ଭଳି ଏକ ଧର୍ମନିରପେକ୍ଷ ଦେଶରେ ବିଭିନ୍ନ ଧର୍ମର ଲୋକ ସହାବସ୍ଥାନ କରୁଛନ୍ତି। କିନ୍ତୁ ଅନେକ ସମୟରେ ଧର୍ମୀୟ ପୀଠ ଯଥା ମନ୍ଦିର, ମସ୍‌ଜିଦ କିମ୍ବା ଗୀର୍ଜାକୁ ନେଇ ବିବାଦ ଦେଖାଯାଉଛି। ବିଶେଷକରି ବିବାଦ ଉପୁଜୁଛି ଏଗୁଡ଼ିକର ସ୍ଥାନକୁ ନେଇ। ଅନେକ ସାର୍ବଜନୀନ ସ୍ଥଳରେ ମନ୍ଦିର, ମଠ, ମସ୍‌ଜିଦ ନିର୍ମାଣ କରାଯାଉଥିବା ଦେଖାଯାଉଛି। ଏହି ସ୍ଥାନକୁ ନେଇ ଯେତେବେଳେ ବିବାଦ ସୃଷ୍ଟି ହେଉଛି ସେତେବେଳେ ମାମଲା ତଳ କୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ପହଞ୍ଚୁଛି। ଏସବୁ ବିବାଦର ସମାଧାନ ପାଇଁ ଶୀର୍ଷ ଅଦାଲତ ଯେଉଁ ରାୟ ଦେଉଛନ୍ତି ତାହା ତୃଣମୂଳ ସ୍ତରରେ କେତେ ଗୁରୁତ୍ୱ ବହନ କରୁ ନଥିବ ସ୍ପଷ୍ଟ ହେଉଛିି। ଏହା ସତ୍ୟ ଯେ, ଭାରତରେ ଅନେକ ଜାଗାରେ ବିଭିନ୍ନ ଧର୍ମ ସହିତ ସମ୍ପୃକ୍ତ ଉପାସନା ପୀଠ ଜବରଦଖଲ କରି ନିର୍ମାଣ କରାଯାଉଛି। ଏମିତିକି ସରକାରଙ୍କ ପାଇଁ ଏଗୁଡ଼ିକ ଭଙ୍ଗାଯିବା ଏକପ୍ରକାର ଅସମ୍ଭବ ହୋଇପଡ଼ୁଛି। ଭାରତରେ ଜବରଦଖଲରେ କେବଳ ମସ୍‌ଜିଦ ନିର୍ମାଣ କରାଯାଇ ନାହିଁ ବରଂ ସଂଖ୍ୟାବହୁଳ ଧର୍ମର ଲୋକେ ରହୁଥିବା ଅଞ୍ଚଳରେ ରାସ୍ତା ଉପରେ ମନ୍ଦିର ବା ମଠ ଗଢ଼ିବାର ଉଦ୍ୟମ ଜାରି ରହିଛି। ଭାରତ ଏକ ଧର୍ମନିରପେକ୍ଷ ଦେଶ ସମ୍ବିଧାନରେ ଥିବାବେଳେ ଜନସାଧାରଣଙ୍କ ଧାର୍ମିକ ପ୍ରେମ ଅତ୍ୟଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ନିଜ ମନ ଭିତରେ ଠାକୁରଙ୍କୁ ରଖି ଏକ ଧାର୍ମିକ ଜୀବନଯାପନ କରିବା ପାଇଁ କୌଣସି ବ୍ୟକ୍ତି ଆଗଭର ହୋଇଥିବା ଦେଖାଯାଉନାହିଁ। ଦେଶବ୍ୟାପୀ ଅଶାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆସନ୍ତାକାଲିର ଯୁବପିଢ଼ିଙ୍କ ପାଇଁ ଚିନ୍ତା କରିବା ପରିବର୍ତ୍ତେ ପୂର୍ବରୁ ଘଟିଯାଇଥିବା ତଥାକଥିତ ଦୋଷ ଦୁର୍ବଳତାକୁ ନେଇ ଭାରତୀୟ ସମାଜ ଆଗେଇ ଚାଲିଥିବା ମନେହୁଏ। ଯିଏ ଯେତେ ଚିତ୍କାର କରି ଅନ୍ୟକୁ ଗାଳି ଦେଇପାରିଲା ସେହି ବ୍ୟକ୍ତି ଏବେ ଧାର୍ମିକ ମାପଦଣ୍ଡରେ ପରିଣତ ହୋଇଛନ୍ତି। ଅର୍ଥାତ୍‌ ସେହି ଆକ୍ରୋଶମୂଳକ ବ୍ୟକ୍ତି ନିଷ୍ପତ୍ତି ନେଉଛନ୍ତି କେଉଁ କାର୍ଯ୍ୟ ବା କଥାଟି ଧର୍ମ ସପକ୍ଷରେ କିମ୍ବା ବିପକ୍ଷରେ ଯାଉଛି। ଏଭଳିି ପରିସ୍ଥିତିରେ ସର୍ବୋଚ୍ଚ ନ୍ୟାୟାଳୟଙ୍କର ଭଲ ଉଦ୍ଦେଶ୍ୟରେ ଦିଆଯାଉଥିବା ନିଷ୍ପତ୍ତିଗୁଡ଼ିକ ବିକୃତ ହୋଇଯାଉଛି। ଏହି ପରିସ୍ଥିତିରେ ପରିବର୍ତ୍ତନ ଆଣିବା ନିଶ୍ଚିତ ଭାବେ କଷ୍ଟକର। ତାହା କେବଳ ସମ୍ଭବପର ହୋଇପାରିବ ଯଦି ସାଧାରଣ ନାଗରିକଙ୍କର ଆଭିମୁଖ୍ୟ ବଦଳିପାରିବ। କ୍ଷୁଦ୍ର ଉଦାହରଣ ଭାବେ ସରକାରୀ ଜମି ଜବରଦଖଲକୁ ବନ୍ଦ କରିବା ପାଇଁ ସବୁଧର୍ମର ଗୁରୁମାନେ ତାଙ୍କର ଚେଲାଚାମୁଣ୍ଡାଙ୍କୁ ନିର୍ଦ୍ଦେଶ ଦେବା ଉଚିତ। ତାହା ନ ହେଲେ ଖୁବ୍‌ ଶୀଘ୍ର ଭାରତ ଏକ ଦରିଦ୍ର ଧାର୍ମିକ ଦେଶ ଭାବେ ପରିଣତ ହେବ, ଯାହା ଉତ୍ତର ଆଫ୍ରିକାର ଅନେକ ଦେଶରେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?