ପାରଳାଖେମୁଣ୍ଡି, ୨୩।୧୦ (ଗିରିଧାରୀ ପରିଛା): ସୋସିଆଲ୍ ମିଡିଆରେ ନକଲି ପରିଚୟ ଦେଇ ବନ୍ଧୁତା ସ୍ଥାପନ, ବିବାହର ପ୍ରତିଶ୍ରୁତି ଦେଇ ବିଶ୍ୱାସ ଜିଣିବା ଏବଂ ପରେ ଅନ୍ତରଙ୍ଗ ଫଟୋ ଓ ଭିଡିଓ ପ୍ରସାରଣ ସହ ହତ୍ୟା ଧମକ ଦେବା ଅଭିଯୋଗରେ ଜଣେ ଯୁବତୀଙ୍କୁ ପୁଲିସ ଗିରଫ କରିଛି। ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ନନ୍ଦିତା ମହାଙ୍କୁଡ଼ (୧୯)ଙ୍କୁ ପାରଳାଖେମୁଣ୍ଡି ସାଇବର୍ ଓ ଆର୍ଥିକ ଅପରାଧ ଥାନା ପୋଲିସ ଗିରଫ କରିଛି। ଏନେଇ ଡିଏସ୍ପି ଅମିତାଭ ପଣ୍ଡା ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ନନ୍ଦିତା ନିଜକୁ ଜଣେ ଯୁବକ ଭାବେ ପରିଚୟ ଦେଇ ନକଲି ସୋସିଆଲ୍ ମିଡିଆ ଆଇଡି ମାଧ୍ୟମରେ ସେହି ଗ୍ରାମର ତେଜସ୍ୱରୀ ନାୟକଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ପରେ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ବିଶ୍ୱାସ ଜିଣିବା ସହ ଅନ୍ତରଙ୍ଗ ଫଟୋ ଓ ଭିଡିଓ ପଠାଇବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ଉକ୍ତ ଫଟୋ ଓ ଭିଡିଓକୁ ସୋସିଆଲ୍ ମିଡିଆରେ ପ୍ରସାର କରିଦେବାର ଧମକ ଦେବା ସହ ହତ୍ୟା ଧମକ ଦେଇଥିବା ପୀଡ଼ିତା ଅଭିଯୋଗ କରିଥିଲେ। ଗତ ୨ ତାରିଖରେ ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ଉକ୍ତ ଫଟୋ ଓ ଭିଡିଓ ପ୍ରସାରିତ ହୋଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି।
ଅଭିଯୋଗ ପରେ ପୋଲି ତଦନ୍ତ ଆରମ୍ଭ କରି ଲକ୍ଷ୍ମୀପୁର ଗ୍ରାମରେ ଅଭିଯୋଗକାରିଣୀଙ୍କ ଘରକୁ ଯାଇ ତାଙ୍କ ସମେତ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଥିଲା। ଘଟଣା ସହ ସମ୍ପୃକ୍ତ ମୋବାଇଲ୍ ଫୋନ୍ ଓ ସ୍କ୍ରିନ୍ସଟ୍ ଜବତ କରାଯାଇଥିଲା। ଏଥିସହ ସନ୍ଦିଗ୍ଧ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟର ପଞ୍ଜୀକରଣ ବିବରଣୀ, ଆଇପି ଠିକଣା ଓ ଅନ୍ୟାନ୍ୟ ବୈଷୟିକ ତଥ୍ୟ ପାଇବା ପାଇଁ ମେଟା ପ୍ଲାଟଫର୍ମସ୍କୁ ନୋଟିସ୍ ପଠାଯାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ମିଳିବା ପରେ ଆଇନଗତ ପ୍ରକ୍ରିୟା ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିଲା।
ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬, ୩୧୯(୧), ୩୫୧(୨) ଓ ୭୯ ସହ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୭ ଓ ୬୭(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

