ଦାରୁବ୍ରହ୍ମଙ୍କ ଆଦ୍ୟଲୀଳା

ଜ୍ୟେଷ୍ଠ ପୂର୍ଣ୍ଣିମା ହିଁ ଦାରୁବ୍ରହ୍ମ ଜଗନ୍ନାଥଙ୍କର ଆବିର୍ଭାବ ଦିବସ। ତେଣୁ ଏହି ପୂର୍ଣ୍ଣିମାରେ ସ୍ନାନ ମହୋତ୍ସବ ଅନୁଷ୍ଠିତ ହୋଇଥାଏ।
ଜ୍ୟେଷ୍ଠ ମାସି ସିତପକ୍ଷେ ପୌର୍ଣ୍ଣମ୍ୟାଂ ଜଗଦୀଶ୍ୱରମ୍‌
ସ୍ନାପୟେତ୍ତୀର୍ଥ ତୋୟେନ ସର୍ବ ମଙ୍ଗଳ ସିଦ୍ଧୟେ।
ଏହି ପୁରୋଦୃଷ୍ଟିରୁ ବିଶ୍ୱ ମଙ୍ଗଳ କାମନାରେ ଶ୍ରୀଜଗନ୍ନାଥଙ୍କୁ ସ୍ନାନ କରାଯାଇ ମହୋତ୍ସବ ଅନୁଷ୍ଠିତ ହୁଏ। ତେଣୁ ଜ୍ୟେଷ୍ଠ ପୂର୍ଣ୍ଣିମା ଦେବସ୍ନାନ ପୂର୍ଣ୍ଣିମା ନାମରେ ଖ୍ୟାତ। ପୌରାଣିକ ମାନ୍ୟତାରେ ଦେବସ୍ନାନ ପୂର୍ଣ୍ଣିମାର ପାବନ ମୁହୂର୍ତ୍ତରେ ପବିତ୍ର ନୀଳାଚଳ ଧାମରେ ଦାରୁବ୍ରହ୍ମଙ୍କ ଆବିର୍ଭାବ ଘଟିଥିଲା।
ମହାରାଜା ଇନ୍ଦ୍ରଦ୍ୟୁମ୍ନ ସୁରମ୍ୟ ସ୍ନାନମଣ୍ଡପରେ ସୁଶୋଭିତ ଚନ୍ଦ୍ରାତପ ଆଚ୍ଛାଦନପୂର୍ବକ ଅଷ୍ଟୋତ୍ତର ଶତ ସ୍ବର୍ଣ୍ଣକଳସପୂର୍ଣ୍ଣ ମନ୍ତ୍ରପୂତ ତୀର୍ଥ ଜଳରେ ଦାରୁବ୍ରହ୍ମଙ୍କର ଆବିର୍ଭାବ ସ୍ନାନ ମହୋତ୍ସବ ସମ୍ପନ୍ନ କରାଇଥିଲେ। ସେହି ପାବନ ସ୍ମୃତିକୁ ଉଜ୍ଜୀବିତ ରଖି ଭକ୍ତବତ୍ସଳ ଶ୍ରୀଜଗନ୍ନାଥ ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନମଣ୍ଡପରେ ସ୍ନାନ କରିବା ସହିତ ଅଗଣିତ ଜନତାଙ୍କୁ ଦର୍ଶନ ଦେଇଥାନ୍ତି। ସ୍ନାନଲୀଳା ହେଉଛି ଭକ୍ତବାଞ୍ଛା କଳ୍ପତରୁ ଦାରୁବ୍ରହ୍ମଙ୍କର ଆଦ୍ୟଲୀଳା। ଜଗତର ନାଥ ପରଂବ୍ରହ୍ମ ଆପଣାର ଏହି ଆବିର୍ଭାବ ମହୋତ୍ସବରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାଆନ୍ତି। ଏହି ମହୋତ୍ସବରେ ତାଙ୍କ ନିକଟରେ କେହି ସାନ, ହୀନ ବା ପତିତ ନୁହନ୍ତି। ଏହି ଦିବ୍ୟସ୍ନାନ ମହୋତ୍ସବରେ ସେ ପାବନାବତୀର ପତିତପାବନ।
ଆବିର୍ଭାବ ମହୋତ୍ସବର ମହାସ୍ନାନ ପ୍ରୀତ୍ୟର୍ଥେ ସକଳ ପୁଣ୍ୟତୋୟା ତୀର୍ଥ ସମୂହ ନୀଳାଚଳ ଧାମସ୍ଥ ପବିତ୍ର ସ୍ବର୍ଣ୍ଣକୂପରେ ଆବିର୍ଭାବ ହୋଇଥାନ୍ତି ଏବଂ ଦେବସ୍ନାନ ପରେ ବାହୁଡ଼ି ଯାଆନ୍ତି। ଐତିହ୍ୟସମ୍ପନ୍ନ ସର୍ବପୁରାତନ ସ୍ବର୍ଣ୍ଣକୂପର ଅଧିଷ୍ଠାତ୍ରୀ ହେଉଛନ୍ତି ଜଗଜ୍ଜନନୀ ମା’ ଶୀତଳା। ବୈଦିକ ଯଜ୍ଞୀୟ ପଦ୍ଧତିରେ ଏହା ପ୍ରଣୀତାକୂପ ନାମରେ ସୁବିଖ୍ୟାତ। ଆବିର୍ଭାବୋତ୍ସବରେ ଦାରୁବ୍ରହ୍ମ ଏହି ପବିତ୍ର କୂପର ଜଳରେ ହିଁ ସ୍ନାନ କରିଥାଆନ୍ତି। ବର୍ଷସାରା କୂପଟି ବନ୍ଦ ରହିଥାଏ। କେବଳ ସ୍ନାନପୂର୍ଣ୍ଣିମା ପୂର୍ବଦିନ କୂପର ଆଭ୍ୟନ୍ତର ପରିଷ୍କାର କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନାର୍ଥେ ଅଷ୍ଟୋତ୍ତର ଶତକଳସ ଜଳ ସଂଗ୍ରହ କରାଯାଏ। ଏହା ହିଁ ସ୍ନାନ ମହୋତ୍ସବର ଅଧିବାସ ବିଧି। ଅଧିବାସିତ ଜଳରେ ଅଷ୍ଟଗନ୍ଧ କୃଷ୍ଣାଗୁରୁ, ରଶିର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଜିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ, ଲୋଧି ପ୍ରଭୃତି ମହୌଷଧି ମିଶ୍ରଣ ଓ ଅଭିମନ୍ତ୍ରଣ କରାଯାଏ। ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିଥାନ୍ତି।
ସ୍ନାନ ପୂର୍ଣ୍ଣିମାର ବହୁ ପୂର୍ବରୁ ଚିତ୍ରକରମାନେ ସ୍ନାନମଣ୍ଡପକୁ ଚିତ୍ରବିଚିତ୍ର କରିଥାନ୍ତି। ଚତୁର୍ଦ୍ଧାମୂରତି ସ୍ନାନ ପୂର୍ଣ୍ଣିମା ପ୍ରତ୍ୟୁଷରୁ ରତ୍ନ ସିଂହାସନରୁ ପହଣ୍ଡି ବିଜେ ହୋଇ ଚନ୍ଦ୍ରାତପଶୋଭିତ ସୁସଜ୍ଜିତ ସ୍ନାନମଣ୍ଡପରେ ବିଜେ ହୋଇଥାନ୍ତି। ସ୍ମୃତି ଶାସ୍ତ୍ରାନୁଯାୟୀ ଦାରୁବ୍ରହ୍ମଙ୍କର ସ୍ନାନ ମହୋତ୍ସବ ସୂର୍ଯ୍ୟୋଦୟଠାରୁ ପାଳନ କରାଯାଏ।
ସ୍ନାନ ପୂର୍ଣ୍ଣିମାର ତାତ୍ପର୍ଯ୍ୟ
ଠାକୁରଙ୍କ ସ୍ନାନ ପାଇଁ ଏକ ସ୍ବତନ୍ତ୍ର ସ୍ନାନମଣ୍ଡପ ରହିଛି। ଏହା ଶ୍ରୀମନ୍ଦିରର ଆନନ୍ଦ ବଜାର ନିକଟରେ ଅବସ୍ଥିତ। ଏହାର ଦୈର୍ଘ୍ୟ ପ୍ରାୟ ୭୫ ଫୁଟ୍‌। ତିନି ବିଗ୍ରହ ବସିବା ପାଇଁ ବଡ଼ ବଡ଼ ବେଦିମାନ ନିର୍ମାଣ କରାଯାଇଛି। ସ୍ନାନ ମଣ୍ଡପରେ ପାହାଚମାନ ଅଛି ଓ ଏହା ଅତି ଉଚ୍ଚରେ ନିର୍ମିତ ହୋଇଥିବାରୁ ସିଂହଦ୍ୱାରର ଯେକୌଣସି ସ୍ଥାନରେ ଛିଡ଼ା ହେଲେ ମଧ୍ୟ ସ୍ନାନ ମଣ୍ଡପ ଦେଖାଯାଏ। ଏହି ସ୍ନାନ ପୂର୍ଣ୍ଣିମା ଦିନ ତିନିଠାକୁର ଶ୍ରୀମନ୍ଦିରର ପରିଧି ଭିତରେ ଏହିପରି ଭାବରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।
ଶୁକ୍ଳ ପକ୍ଷ ଦଶମୀଠାରୁ ଭାରତର ସବୁ ତୀର୍ଥ ଶ୍ରୀକ୍ଷେତ୍ରରେ ସମାଗମ ହୁଅନ୍ତି। ମା’ ଶୀତଳା ଠାକୁରାଣୀଙ୍କ ମନ୍ଦିର ନିକଟରେ ସୁନା କୂଅ ରହିଛି। ଏହିଠାରେ ହିଁ ସକଳ ତୀର୍ଥର ମିଳନ ହୁଏ। ପୂର୍ଣ୍ଣିମା ପୂର୍ବଦିନ ସୁନା ଗୋସେଇଁ ଓ ମୁଦିରଥ ୧୦୮ଟି ନୂଆ କୁମ୍ଭରେ ଜଳ ଆଣି ଭୋଗ ମଣ୍ଡପରେ ରଖିଥାଆନ୍ତି। ସେଦିନ ମଧ୍ୟ ଠାକୁରମାନଙ୍କୁ ‘ପହୁଡ଼’ ନ କରି ଶ୍ରୀମୁଖରେ ଖଣ୍ଡୁଆ ପକାଯାଏ। ରତ୍ନ ସିଂହାସନରୁ ଏକ ଶିଡ଼ି କୋଠ ସୁଆଁସିଆମାନେ ବାନ୍ଧନ୍ତି। ସ୍ନାନମଣ୍ଡପଟି ଚାନ୍ଦୁଆ ଓଢ଼ଣୀ ପ୍ରଭୃତିରେ ସଜ୍ଜିତ ହୁଏ। ପୂର୍ଣ୍ଣିମା ଦିନ ସକାଳୁ ପୂଜାପଣ୍ଡା ଓ ଅନ୍ୟାନ୍ୟ ସେବାୟତମାନେ ‘ମଙ୍ଗଳାର୍ପଣ’ କରନ୍ତି। ଦଇତାପତି(ବିଶ୍ୱାବସୁଙ୍କ ବଂଶଧର) ଠାକୁରମାନଙ୍କ ଦେହରେ ଡୋରି ବାନ୍ଧନ୍ତି। ଘଣ୍ଟା, କାହାଳୀ ଓ ବାଜଣା ଭିତରେ ତିନି ଠାକୁର ‘ଧାଡ଼ି ପହଣ୍ଡି’ କରି ସ୍ନାନମଣ୍ଡପରେ ଉଭା ହୁଅନ୍ତି। ପ୍ରଥମେ ସ୍ନାନବେଦିକୁ ଯାଆନ୍ତି ସୁଦର୍ଶନ, ତା’ପରେ ବଳଭଦ୍ର, ସୁଭଦ୍ରା, ମହାପ୍ରଭୁ ଜଗନ୍ନାଥ ଏବଂ ସର୍ବଶେଷରେ ମଦନମୋହନ।
ପାଞ୍ଚ ପରମ୍ପରାରେ ସମୃଦ୍ଧ ସ୍ନାନଲୀଳା
ସ୍ନାନଲୀଳା ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ମହାପ୍ରଭୁଙ୍କର ସ୍ନାନଲୀଳା ବୈଦିକ, ତାନ୍ତ୍ରିକ ଓ ପୁରାଣ ଶାସ୍ତ୍ର ପରମ୍ପରାରେ ସମୃଦ୍ଧ ହୋଇଥିବା ବେଳେ ଐତିହ୍ୟ ଓ ଭକ୍ତିମୂଳକ ଲୋକବିଶ୍ୱାସ ପରମ୍ପରାରେ ମଧ୍ୟ ମହିମାମଣ୍ଡିତ ହୋଇଅଛି। ବୈଦିକ ବିଧିରେ ସ୍ନାନଜଳ ଅଭିମନ୍ତ୍ରିତ ହେଉଥିବା ବେଳେ ସ୍ନାନଜଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ। ଦେବସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଥିବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ। ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହନ ସିଂହଙ୍କ ମଧ୍ୟରେ ଅବସ୍ଥିତ। ସତେଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ। ବର୍ଷସାରା କୂଅର ବ୍ୟବହାର ନ ଥିବାରୁ ଜଳପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ‘ଅଣତୁଠ ପାଣି’ ବୋଲି ଲୋକେ ବିଶ୍ୱାସ କରନ୍ତି। ବୈଦିକ ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ’ ବୋଲି କୁହାଯାଏ। ପ୍ରାଚୀନ କାଳରେ ଓଡ଼ିଶାରେ ଛୁଆଟିଏ ଜନ୍ମ ହେଲେ ତାକୁ ଅଣତୁଠ ପାଣି ମିଶାଇ ସ୍ନାନ କରିବାର ଜଳପଦୀୟ ପରମ୍ପରା ରହିଥିଲା।
ଏହାଦ୍ୱାରା ଦୁଷ୍ଟଶକ୍ତି ପ୍ରଭାବ କଅଁଳ ପିଲାଙ୍କ ଉପରେ ପଡ଼େନାହିଁ।
– ବୀରଭଦ୍ର ବିଶ୍ୱାଳ, ଫଟୋ: ଯଜ୍ଞେଶ୍ୱର ମହାନ୍ତି

 

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri