ସୁନ୍ଦରଗଡ଼,୬ା୩(ଜୟନାରାୟଣ ମେଣ୍ଡୁଳି): ଜିଲା କାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସରୋଜ ରାଉତ ଓରଫ ବନ (୨୭)। ହେମଗିରି ଥାନା ଅନ୍ତର୍ଗତ ବରପାଲି ଗ୍ରାମର ସରୋଜ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ଗିରଫ ହୋଇ ଜେଲରେ ରହୁଥିଲେ। ସେ ଅସୁସ୍ଥ ହେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଗତ ମାସ ୧୧ତାରିଖରେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ ଗୁରୁବାର ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସକାଳେ ମୃତଦେହ ଜବତ କରି କେସ ନମ୍ବର ୧୯/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ ହେମଗିରି ଥାନା ଅଞ୍ଚଳରେ ଘଟିଥିବା ସତ୍ୟରାମଙ୍କ ହତ୍ୟା ମାମଲାରେ ପୋଲିସ ଗତ ମାସ ୯ ତାରିଖରେ ସରୋଜଙ୍କ ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଓ କୋର୍ଟ ଏହି ଅଭିଯୁକ୍ତମାନଙ୍କର ଜାମିନ ନାମଞ୍ଜୁର କରି ଜିଲା କାରାଗାର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

