ବିବେକର ମୃତ୍ୟୁ

ଫାଦର ଷ୍ଟାନ୍‌ ସ୍ୱାମୀଙ୍କର ୫ ଜୁଲାଇରେ ମୁମ୍ବାଇର ହୋଲି ଫାମିଲି ହସ୍ପିଟାଲରେ ପରଲୋକ ଘଟିଯାଇଛି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଜଣେ ବ୍ୟକ୍ତିଙ୍କ ସ୍ବାଭାବିକ ମୃତ୍ୟୁ ଘଟିଲା ଭଳି ଖବର ଲେଖା ନ ଯାଇ ଦେଶବ୍ୟାପୀ ଗଣମାଧ୍ୟମରେ ଯେଭଳି ବର୍ଣ୍ଣନା କରାଯାଇଛି, ସେଥିରୁ ଯେକେହି ଅନୁମାନ କରିବେ ଯେ ତାଙ୍କୁ ନ୍ୟାୟିକ ବ୍ୟବସ୍ଥା ମାରିଦେଲା। ଷ୍ଟାନ୍‌ କହିଆସିଥିଲେ ଯେ, ଜାମିନ ନ ମିଳିଲେ ତାଙ୍କର ମୃତ୍ୟୁ ଘଟିପାରେ। ବାସ୍ତବରେ ତାହା ହିଁ ହେଲା। ଜୁଲାଇ ୫ରେ ଶୁଣାଣି ବେଳକୁ ବିଚାରପତିମାନଙ୍କୁ ଖବର ଦିଆଯାଇଥିଲା ଯେ, ଷ୍ଟାନ୍‌ଙ୍କର କିଛି ଘଣ୍ଟା ପୂର୍ବରୁ ଦେହାନ୍ତ ଘଟିଯାଇଛି। ଏ ବିଷୟରେ ଜାଣି ସମ୍ପୃକ୍ତ ଖଣ୍ଡପୀଠ ଦୁଃଖପ୍ରକାଶ କରିଥିବା ଖବର ଶୁଣିବାକୁ ମିଳୁଛି।
ଷ୍ଟାନ୍‌ ଥିଲେ ଆଦିବାସୀ ଅଧିକାର କର୍ମୀ। ସେ ତାମିଲନାଡୁର ତ୍ରିଚିରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଝାଡ଼ଖଣ୍ଡରେ ଆଦିବାସୀ ଓ ଅବହେଳିତଙ୍କ ଅଧିକାର ନେଇ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରୁଥିଲେ। କିନ୍ତୁ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଏହି ବୃଦ୍ଧଙ୍କୁ ଭୀମା କୋରେଗାଁଓ-ଏଲ୍‌ଗାର ପରିଷଦ ମାମଲାରେ ଛନ୍ଦି ଦିଆଯାଇ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ)ରେ ୮ ଅକ୍ଟୋବର ୨୦୨୦ରେ ଗିରଫ କରାଯାଇଥିଲା। ଉଲ୍ଲେଖ କରାଯାଇପାରେ ଯେ, ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ଭୀମା କୋରେଗାଁଓରେ ଏଲଗାର ପରିଷଦ ଦ୍ୱାରା ୧ ଜାନୁୟାରୀ ୨୦୧୮ରେ ଦଳିତମାନଙ୍କର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହେଲେ ସେଠାରେ ହିଂସାକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିବା ସହ କେତେ ଜଣ ଆହତ ହୋଇଥିଲେ ଏବଂ ଯୋଗଦାନକାରୀଙ୍କ ଗାଡ଼ି ପୋଡ଼ି ଦିଆଯାଇଥିଲା। ତେବେ ଏଲଗାର ପରିଷଦ କାର୍ଯ୍ୟକ୍ରମରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଅଭିଯୋଗରେ ଷ୍ଟାନ୍‌ଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗିରଫ କରିଥିଲା। ଅଶ୍ଚର୍ଯ୍ୟର ବିଷୟ ଯେ, ଷ୍ଟାନ୍‌ ତାଙ୍କ ଜୀବନକାଳରେ କେବେ ବି ଭୀମା କୋରେଗାଁଓ ଯାଇ ନ ଥିଲେ। ତାଙ୍କୁ ଆତଙ୍କବାଦୀ ଦର୍ଶାଇବା ପାଇଁ ଏନ୍‌ଆଇଏ ବିଭିନ୍ନ ଦସ୍ତାବିଜ୍‌ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲା। କେହି ଜାଲିଆତି କରି ତାଙ୍କ କମ୍ପ୍ୟୁଟରରେ ଏଭଳି ଦଲିଲ ରଖିଥିବା ଷ୍ଟାନ୍‌ ଯେତେ କହିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏପରି କି ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନ ଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହ୍ୟାକିଂ ମାଧ୍ୟମରେ ବ୍ୟକ୍ତିଗତ କମ୍ପ୍ୟୁଟରରେ ଅନେକ କିଛି ଅସ୍ବାଭାବିକ ତଥ୍ୟ ରଖି ଦିଆଯାଇ ଯେକୌଣସି ନାଗରିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଭାରତୀୟ ପୋଲିସ ଏଭଳି କରିବାରେ ଅନେକ ଉଦାହରଣ ରହିଛି। ଆଜିର ଗଣତାନ୍ତ୍ରିକ ଭାରତରେ ଆଇନ ବ୍ୟବସ୍ଥାର ଏପରି କାର୍ଯ୍ୟାନୁଷ୍ଠାନ କାହାରିକୁ ଆଶ୍ଚର୍ଯ୍ୟ କରିବା କଥା ନୁହେଁ। ପୂର୍ବରୁ ଭାରତୀୟ ବିଚାରପତିମାନେ ସାଧାରଣତଃ ଧନୀ ଓ ଶକ୍ତିଶାଳୀ ଉଚ୍ଚବର୍ଗଙ୍କ ସପକ୍ଷରେ ରାୟ ଦେଉଥିବାର ଦୃଷ୍ଟାନ୍ତ ରହିଆସିଛି। ୨୦୧୪ ମସିହାରେ କେନ୍ଦ୍ରରେ ଭାଜପା ସରକାର ଆସିବା ପରଠାରୁ ଏହି ବ୍ୟବସ୍ଥା ଆହୁରି ଜଟିଳ ଓ ଏକତରଫା ହୋଇଉଠିଛି। ବିଶେଷକରି ରଞ୍ଜନ ଗୋଗୋଇ, ଏସ୍‌.ଏ. ବୋବ୍‌ଡେଙ୍କ ଭଳି ସର୍ବୋଚ୍ଚ ନ୍ୟାୟାଳୟର କେତେକ ବିଚାରପତିଙ୍କ କର୍ମ ଓ ଆଚରଣ ଯୋଗୁ ନିମ୍ନ ନ୍ୟାୟପାଳିକା ଅଧିକ ଉତ୍‌ଫୁଲ୍ଲିତ ହୋଇଛି। ଏହା ଫଳରେ ମୌଳିକ ନ୍ୟାୟ ପାଇବାରୁ ଦେଶବାସୀଙ୍କୁ ବଞ୍ଚିତ ହେବାକୁ ପଡ଼ିଛି। ଭୀମା କୋରେଗଁାଓ ଘଟଣାର ଇତିହାସ ଦେଖିଲେ ଷ୍ଟାନ୍‌ ସ୍ବାମୀଙ୍କ କଷ୍ଟ ଜାଣିହେବ। ୨୦୦ ବର୍ଷ ପୂର୍ବେ ଗୋରା ସୈନ୍ୟଙ୍କ ସହିତ ଦଳିତ ସେନା ସାମିଲ ହୋଇ ପେଶ୍‌ଓ୍ବା ଅର୍ଥାତ୍‌ ଉଚ୍ଚବର୍ଗର ସେନାଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ। ସେହି ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ୧ ଜାନୁୟାରୀ ୨୦୧୮ ମସିହାରେ ପାଳିତ ହୋଇଥିଲା। ତାହାକୁ ବିରୋଧ କରି ଉଚ୍ଚବର୍ଗର କେତେକ ବ୍ୟକ୍ତି ସେଠାରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ପୁନର୍ବାର ଦୋହରାଯାଇପାରେ ଯେ, ୨୦୧୮ ମସିହାର ସେହି ଘଟଣାରେ ଷ୍ଟାନ୍‌ଙ୍କର କୌଣସି ସମ୍ପୃକ୍ତି ବା ଉପସ୍ଥିତି ନ ଥିଲା।
ଭାରତୀୟ ପୋଲିସ ଓ ନ୍ୟାୟିକ ବ୍ୟବସ୍ଥାରେ ଷ୍ଟାନ୍‌ଙ୍କ ଭଳି ଜଣେ ଅଶୀତିପର ବୃଦ୍ଧଙ୍କୁ ଯେଭଳି ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଆବଶ୍ୟକ ଚିକିତ୍ସା ଯୋଗାଇବାରେ ଅସହଯୋଗ କରାଯାଇଥିବା ଖବର ଶୁଣିବାକୁ ମିଳୁଛି, ତାହା ନିଶ୍ଚିତ ଭାବେ ନିନ୍ଦନୀୟ। ପାର୍କିନସନ ସହ ଷ୍ଟାନ୍‌ଙ୍କର ବିବିଧ ରୋଗ ଥିବାରୁ ସେ ଜାମିନ ପାଇଁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେହି ସୁଯୋଗ ମିଳି ନ ଥିଲା। କୁହାଯାଉଛି ତାଙ୍କ ଓଠର ମାଂସପେଶୀ ଦୁର୍ବଳ ଥିବାରୁ ସେ ପାଣି ପିଇପାରୁ ନ ଥିଲେ। ସେଥିପାଇଁ ନ୍ୟାୟାଳୟକୁ ନିବେଦନ କରିଥିଲେ ଯେ ତାଙ୍କୁ ‘ଷ୍ଟ୍ର’ ବା ସିପର୍‌ ଯୋଗାଇ ଦିଆଯାଉ। ଏହି କ୍ଷୁଦ୍ର ଅନୁରୋଧକୁ ମଧ୍ୟ ନ୍ୟାୟାଳୟ ଅସ୍ବୀକାର କରିଥିଲା। ଷ୍ଟାନ୍‌ଙ୍କ ପ୍ରତି କରାଯାଇଥିବା ଅବିଚାର ଓ ଅବହେଳା ଯୋଗୁ ଘଟିଥିବା ତାଙ୍କ ମୃତ୍ୟୁ ଦେଶର ବିବେକକୁ ଦୋହଲାଇ ଦେବା କଥା। କିନ୍ତୁ ଭାରତବାସୀ ଆଜି ମୋଟା ଚମଡ଼ାର ହୋଇଗଲେଣି। ‘ନିଜେ ବଞ୍ଚିଲେ ବାପର ନାଁ’ ନୀତିକୁ ଆପଣାଇ ଅନ୍ୟ କାହାରି ଅସୁବିଧା କିମ୍ବା ଦୁଃଖକୁ ସ୍ବୀକାର କରିବାକୁ କେହି ପ୍ରସ୍ତୁତ ନୁହେଁ। ହଠାତ୍‌ କିଛି ଲୋକ ଦେଶପ୍ରେମରେ ବିହ୍ବଳିତ ହୋଇ ସେମାନଙ୍କ ଚିନ୍ତାଧାରା ସହିତ ଏକମତ ହେଉ ନ ଥିବା ଅନ୍ୟ ସମସ୍ତଙ୍କୁ ଦେଶଦ୍ରୋହ ଆଖ୍ୟା ଦେବା ପାଇଁ ଆଗଭର ହୋଇ ବାହାରି ପଡ଼ିଛନ୍ତି। ମନେହେଉଛି ଯେପରି ଅନେକ ହଜାର ବର୍ଷ ପୁରୁଣା ହିନ୍ଦୁ ଧର୍ମର ରକ୍ଷକ ଏବେ ମାତ୍ର ପୃଥିବୀ ଉପରେ ଚାଲିବାକୁ ଆରମ୍ଭ କରିଛନ୍ତି। ପିଲାଦିନରୁ ଶୁଣିଥିଲୁ ଯେ ସତ୍ୟ ଓ ନ୍ୟାୟ ବାଟରେ ବଞ୍ଚିଲେ ଧର୍ମ ଆମକୁ ରକ୍ଷା କରିବ। ଏବେ କେତେଜଣ କହୁଛନ୍ତି ଯେ ହିନ୍ଦୁଧର୍ମ ଏବଂ ଦେବୀଦେବଙ୍କୁ ସେମାନେ ରକ୍ଷା କରୁଛନ୍ତି। ଏଭଳି ଚିନ୍ତାଧାରା ହେତୁ ମୌଳିକ ମଣିଷତ୍ୱ ଲୋପ ପାଇଯାଉଛି। ଆଜି ଷ୍ଟାନ୍‌ ସ୍ବାମୀଙ୍କ ପ୍ରତି ଘୋର ଅନ୍ୟାୟ ଘଟାଗଲା। ଆସନ୍ତାକାଲି, ପରିସ୍ଥିତି ବଦଳିଲେ, ଆମ କାହାରି ଉପରେ ବି ଏହିଭଳି ଅମାନୁଷିକ ଅତ୍ୟାଚାର ଘଟାଯାଇପାରେ। ସେଥିପାଇଁ ବ୍ୟବସ୍ଥାକୁ ବାଚାଳ ହେବାକୁ ଦିଆଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri