Categories: ଖେଳ

କରୋନାରେ ବିଏଫ୍‌ଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୫ା୫ (ପି.ଟି.)-କରୋନାରେ ପୀଡ଼ିତ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆର.କେ. ସାଚେଟିଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ସାଚେଟି କିଛିଦିନ ହେଲା ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ଇଣ୍ଟରନ୍ୟାଶନାଲ ବକ୍ସିଂ ଆସୋସିଏଶନ (ଆଇବିଏ) ଓ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ତରଫରୁ ଶୋକ ପ୍ରକାଶ କରାଯାଇଛି। ସାଚେଟି ମନପ୍ରାଣ ଦେଇ ଜାତୀୟ ମହାସଂଘ ପାଇଁ କାର୍ଯ୍ୟ କରୁଥିଲେ ବୋଲି ବିଏଫ୍‌ଆଇ ସଭାପତି ଅଜୟ ସିଂ କହିଛନ୍ତି। ଗତ କିଛିବର୍ଷ ମଧ୍ୟରେ ଭାରତୀୟ ବକ୍ସିଂର ଯେଉଁ ପ୍ରଗତି ଘଟିଛି ସେଥିରେ ସାଚେଟିଙ୍କ ବଡ଼ ଅବଦାନ ରହିଛି ବୋଲି ସେ କହିଛନ୍ତି। ଏହି ଭେଟେରାନ ପ୍ରଶାସକଙ୍କ ବିୟୋଗରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶୋକପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା କହିଛନ୍ତି, ଭାରତରେ ଅଲିମ୍ପିକ ଓ ରାଜ୍ୟଗୋଷ୍ଠୀ ଆନ୍ଦୋଳନରେ ସାଚେଟିଙ୍କ ଅବଦାନ ଅବିସ୍ମରଣୀୟ।

Share