ଦେବଗଡ,୬।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ତିଲେଇବଣି ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବଡଛାପଲ ଗ୍ରାମର ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଏହା ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବଡଛାପଲ ଗ୍ରାମର ସମ୍ବାରୁ କିସାନ(୬୩) ନାମକ ଜନେ ବୃଦ୍ଧ ଅନ୍ୟ ଦିନ ଭଳି ଗତକାଲି ମଧ୍ୟ ନିଜର ଛେଳି ଚରାଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ମାତ୍ର ଅପରାହ୍ନ ପ୍ରାୟ ୧ଟା ସମୟରେ ତାଙ୍କର ଛେଳି ଗୁଡିକ ଘରକୁ ଫେରିଥିଲେ ହେଁ ଅପରାହ୍ନ ୩ଟାପର୍ଯ୍ୟନ୍ତ ସମ୍ବାରୁ ଘରକୁ ଫେରିନଥିଲେ । ଫଳରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବାରୁ ସମ୍ବାରୁ ଜଙ୍ଗଲ ମଧ୍ୟରେ ଅଚେତ୍ ତଥା ମୁମୂର୍ଷୂ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକେ ତାଙ୍କୁ ଅବିଳମ୍ବେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରିଥିଲେ । ତେବେ ରାତ୍ରୀରେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସମ୍ବାରୁଙ୍କର ମୃତ୍ୟୁ ଘଟିଥିଲା । ଏନେଇ ତାଙ୍କ ପରିବାର ଲୋକେ କୁଣ୍ଢେଇଗୋଳା ଥାନାରେ ଲିଖିତ ଏତଲା ଦେବାସହ ଅଂଶୁଘାତ ଜନିତ ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଇଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚାଲାଇବା ସହ ସମ୍ବାରୁଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।
Odisha’s No.1 Odia Daily

