ଘାତକ ଅନ୍‌ଲାଇନ ଗେମ୍‌

ପ୍ରକାଶ ତ୍ରିପାଠୀ

 

ସମୟ- ଗତ ଜୁନ ୫ ତାରିଖ ରାତ୍ର ୩ଟା। ସ୍ଥାନ- ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷୌ। ୧୬ ବର୍ଷର ଜଣେ କିଶୋର ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ନିଜ ବାପାଙ୍କ ପିସ୍ତଲ ଧରି ମା’ଙ୍କ ଶୋଇବାଘରକୁ ପ୍ରବେଶ କଲେ। ମା’ ଓ ସାନ ଭଉଣୀ ଶୋଇଥା’ନ୍ତି। ଶୋଇବା ଅବସ୍ଥାରେ ମା’ଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କଲେ। ମା’ଙ୍କ ମର ଶରୀରକୁ ସେଇ ଘରେ ଲୁଚାଇଦେଲେ ଓ କାଳେ ଦୁର୍ଗନ୍ଧ ବାହାରିବ, ସେଥିପାଇଁ ରୁମ ଫ୍ରେଶନର ବ୍ୟବହାର କଲେ। ଏ ସବୁ ଦେଖୁଥିବା ୧୦ ବର୍ଷର ସାନ ଭଉଣୀକୁ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ ଧମକ ଦେଲେ। ଜୁନ ୭ରେ କଲିକତାରେ ରହୁଥିବା ବାପା ଯେତେବେଳେ ମା’ଙ୍କ ମୋବାଇଲକୁ ଫୋନ କଲେ, ସେତେବେଳେ ପୁଅ ମା’ଙ୍କ ହତ୍ୟା ବିଷୟ କହିଲେ ଓ ଏହା ନିକଟସ୍ଥ ଜଣେ ଇଲେକ୍‌ଟ୍ରିସିଆନ କରିଥିବା ପ୍ରକାଶ କରିଥିଲେ। ବାପା ତୁରନ୍ତ ଘଟଣା ସମ୍ପର୍କରେ ପଡ଼ୋଶୀଙ୍କୁ ଜଣାଇବା ପରେ ପୋଲିସକୁ ଖବର ଯାଇଥିଲା। ଘଟଣାର ସତ୍ୟାସତ୍ୟ ଜାଣିବାକୁ ପୋଲିସକୁ ବେଶି ସମୟ ଲାଗି ନ ଥିଲା। ପାଠ ନ ପଢ଼ି ଅଧିକ ସମୟ ମୋବାଇଲ ଫୋନରେ ପବଜି ଓ ଅନ୍ୟାନ୍ୟ ଅନ୍‌ଲାଇନ ଗେମ୍‌ ଖେଳିବାରେ ମଗ୍ନ ରହୁଥିବାରୁ ମା’ ପୁଅକୁ ବାରମ୍ବାର ଗାଳି କରୁଥିଲେ। ଶେଷରେ ପୁଅ ଉତ୍ତ୍ୟକ୍ତ ହୋଇ ଏଭଳି ଅପରାଧ ଘଟାଇଥିବା ପୋଲିସ ଆଗରେ ସ୍ବୀକାର କରିଥିଲା।
ଆଜିର କିଶୋର ଓ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେବା ପାଇଁ ଅନେକ ଖୋରାକ ଆମ ଚାରିପାଖରେ ଉପଲବ୍ଧ। ଉପର ବର୍ଣ୍ଣିତ ଘଟଣାଟି ଏକ ଉଦାହରଣ ହୋଇପାରେ। ଏହିଭଳି ଅନେକ ଘଟଣା ଆମେ ଗଣମାଧ୍ୟମରୁ ନିୟମିତ ଜାଣିଥାଉ। ଗତବର୍ଷ ଅନ୍‌ଲାଇନ ଗେମ୍‌ରେ ହାରିଯିବା ପରେ ମଧ୍ୟପ୍ରଦେଶର ଜଣେ ୧୩ ବର୍ଷର କିଶୋର ଆତ୍ମହତ୍ୟା କରିଥିଲେ। ୨୦୧୯ରେ କର୍ନାଟକର ଜଣେ ୨୧ ବର୍ଷୀୟ ଯୁବକ ତାଙ୍କ ପିତାଙ୍କ ମୁଣ୍ଡ କାଟି ହତ୍ୟା କରିଥିଲେ ଓ ଏହାର କାରଣ ଥିଲା ଅନ୍‌ଲାଇନ୍‌ ଗେମ୍‌ ପବଜି ଖେଳିବାକୁ ପିତା ବାରମ୍ବାର ବାରଣ କରୁଥିଲେ। କେନ୍ଦୁଝର ଜିଲାର ଜଣେ ପିଲାକୁ କୋଭିଡ୍‌ କଟକଣା ସମୟରେ ଅନ୍‌ଲାଇନରେ ପଢ଼ିବା ପାଇଁ ତାଙ୍କ ପିତା ଏକ ମୋବାଇଲ ଫୋନ ଦେଇଥିଲେ। ମାତ୍ର ପାଠ ପଢ଼ିବା ବଦଳରେ ଅନ୍‌ଲାଇନ ଗେମ୍‌ ଖେଳି ଟଙ୍କା ହାରିବା ପରେ ପିତା ପୁଅକୁ ଗାଳି କରିଥିଲେ ଓ ମୋବାଇଲ ଫୋନରେ ଗେମ୍‌ ନ ଖେଳିବା ପାଇଁ କହିବାରୁ ପିଲାଟି ଆତ୍ମହତ୍ୟା କରିଦେଇଥିଲା। ଦେଶର ଭବିଷ୍ୟତ କୁହାଯାଉଥିବା କିଶୋର ଓ ଯୁବଗୋଷ୍ଠୀ ଯଦି ନିଜର କ୍ୟାରିୟର ଗଢ଼ିବା ବଦଳରେ ଏହିଭଳି ଅନ୍‌ଲାଇନ ଗେମ୍‌ରେ ମାତି ଆତ୍ମହତ୍ୟା କିମ୍ବା ଅପରାଧରେ ଜଡ଼ିତ ହେବେ, ତେବେ ଏହାଠାରୁ ବଡ଼ ବିପତ୍ତି ଆମ ଦେଶ ପାଇଁ ଆଉ କ’ଣ ହୋଇପାରେ!
ଅନେକ ହିଂସାତ୍ମକ ଅନ୍‌ଲାଇନ ଗେମ୍‌ ଚାଇନା ଦ୍ୱାରା ପ୍ରସ୍ତୁତ। ଏହି ଗେମ୍‌ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବରେ ଆଦୃତ। ଭାରତ-ଚାଇନା ମଧ୍ୟରେ ସୀମା ବିବାଦକୁ ନେଇ ଚାଇନା ବିରୋଧରେ ଭାରତ ଗତ ବର୍ଷକ ତଳେ କିଛି ପଦକ୍ଷେପ ଗ୍ରହଣ କରିଥିଲା। ସେଥିମଧ୍ୟରୁ ଚାଇନା ପ୍ରସ୍ତୁତ କିଛି ମୋବାଇଲ ଆପ୍‌ ଉପରେ ପ୍ରତିବନ୍ଧକ ଅନ୍ୟତମ। ସେହି ସମୟରେ ଅତି ଘାତକ ସାବ୍ୟସ୍ତ ହୋଇଥିବା ପବଜି ଅନ୍‌ଲାଇନ ଗେମ୍‌କୁ ମଧ୍ୟ ନିଷେଧ କରାଯାଇଥିଲା। ମାତ୍ର ଦୁଃଖର ବିଷୟ, ମୋବାଇଲ ଭର୍ସନ ନିଷେଧ ହୋଇଥିଲେ ହେଁ ଡେସ୍କଟପ୍‌ ଭର୍ସନ ଉପଲବ୍ଧ ଥିଲା। ବର୍ତ୍ତମାନ ଏହି ପବଜି ଗୁଗଲ ପ୍ଲେ ଷ୍ଟୋରରେ ଅନ୍ୟ ଏକ ଆପସ୍‌ ମାଧ୍ୟମରେ ଭିନ୍ନ ନାମରେ ଉପଲବ୍ଧ, ଯାହାକି ଯୁବ ଓ କିଶୋର ଗୋଷ୍ଠୀଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରୁଛି। କିଶୋର, ଯୁବ ଓ ଏପରିକି ଛୋଟ ଛୋଟ ପିଲା ଏବଂ ବୟସ୍କଙ୍କ ମଧ୍ୟରେ ଇଣ୍ଟରନେଟ ଓ ଅନ୍‌ଲାଇନ ଗେମ୍‌ ପ୍ରତି ଅହେତୁକ ଆକର୍ଷଣକୁ ଟେକ୍ନୋଲୋଜି ଆଡିକ୍ସନ ବା ବୈଷୟିକ ନିଶା କୁହାଗଲାଣି। ଏହା ଏକ ମାନସିକ ରୋଗ ଭାବେ ଆମ ସମକ୍ଷରେ ଉଭା ହେଲାଣି।
ଅନ୍‌ଲାଇନ ଗେମ୍‌ ଓ ଏହାର ପ୍ରଭାବକୁ ନଜରରେ ରଖି ଇତିମଧ୍ୟରେ ୧୫ଟି ରାଷ୍ଟ୍ର ଏହା ଉପରେ କଟକଣା ଜାରି କରିସାରିଲେଣି। ସେହି ଦେଶଗୁଡ଼ିକ ହେଲା ଭେନେଜୁଆଲା, ବ୍ରାଜିଲ, ଚାଇନା, ଅଷ୍ଟ୍ରେଲିଆ, ଜାପାନ, ଦକ୍ଷିଣ କୋରିଆ, ନିଉଜିଲାଣ୍ଡ, ମାଲୟେସିଆ, ଜର୍ମାନୀ, ବ୍ରିଟେନ୍‌, ସୌଦି ଆରବ, ଇରାନ, ୟୁଏଇ, ପାକିସ୍ତାନ ଓ ସିଙ୍ଗାପୁର। ଅନ୍‌ଲାଇନ ଗେମ୍‌ର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନା ୧୮ ବର୍ଷରୁ କମ୍‌ ପିଲାମାନେ ସପ୍ତାହକୁ ତିନି ଘଣ୍ଟାରୁ ଅଧିକ ଅନ୍‌ଲାଇନ ଗେମ୍‌ ଖେଳିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଛି। ଭାରତ କିଛି ଚାଇନା ପ୍ରସ୍ତୁତ ଅନ୍‌ଲାଇନ ଗେମ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ ମଧ୍ୟ ଅନ୍‌ଲାଇନ ଗେମ୍‌ ନ ଖେଳିବା ଉପରେ ସେପରି କିଛି ନିର୍ଦ୍ଦିଷ୍ଟ ଆଇନ ପ୍ରଣୟନ ହୋଇନାହିଁ। ହ୍ୟୁମାନ ବିହେଭିଅର ଆଣ୍ଡ ଆଲାଏଡ୍‌ ସାଇନ୍ସ ଇନ୍‌ଷ୍ଟିଚ୍ୟୁଟର ପୂର୍ବତନ ନିର୍ଦ୍ଦେଶକ ଡ. ନିମେଷ ଦେଶାଇ କୁହନ୍ତି, ଛୋଟ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ମଣିଷଙ୍କଠାରେ ମୋବାଇଲ ଗେମ୍ସ ହିଂସ୍ର ପ୍ରବଣତା ସୃଷ୍ଟି କରିବାରେ ସହାୟକ ହେଉଛି। ଏପରିକି ସେମାନଙ୍କଠାରେ ଏହା ଗଭୀର ବିଷାଦପଣ ସୃଷ୍ଟି କରୁଛି। ମାତ୍ର ଅନ୍‌ଲାଇନ ଗେମ ମାନସିକ ସ୍ଥିତିକୁ ବିଷାଦଗ୍ରସ୍ତ କରାଉଛି। ଆଣ୍ଡ୍ରଏଡ୍‌ ଫୋନ ଓ ଦ୍ରୁତ ଗତି ସମ୍ପନ୍ନ ଇଣ୍ଟରନେଟ ଗତ କିଛି ବର୍ଷ ହେବ ବିଶ୍ବର ପ୍ରତି କୋଣ ଓ ଅନୁକୋଣ, ଏପରିକି ଭାରତରେ ଅନ୍‌ଲାଇନ ଗେମ୍‌କୁ ପ୍ରସାର କରିବାରେ ସହାୟକ ହେଉଛି। ଅନ୍‌ଲାଇନ ଗେମ୍‌ର ବେପାର ସମ୍ପ୍ରତି ୨୫ ହଜାର କୋଟିରେ ପହଞ୍ଚତ୍ବାକୁ ଯାଉଛି। ଏଥିରେ ଆଲିବାବା, ଟେନ୍‌ସେଣ୍ଟ, ନଜରା ଓ ଯୁଯୁ ଭଳି କମ୍ପାନୀଗୁଡ଼ିକ ବେଶ୍‌ ସକ୍ରିୟ ଅଛନ୍ତି।
ଗତ ଦୁଇ ବର୍ଷ ତଳେ ପିଲାଙ୍କ ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନଙ୍କ ସହ ଏକ ଚର୍ଚ୍ଚା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଜଣେ ମହିଳା କହିଥିଲେ ଯେ, ତାଙ୍କ ପୁଅ ନବମ ଶ୍ରେଣୀ ପୂର୍ବରୁ ଭଲ ପଢୁଥିଲା ଓ ପରୀକ୍ଷାରେ ଭଲ ନମ୍ବର ଆଣୁଥିଲା। ଏବେ ମୋବାଇଲରେ ଗେମ୍‌ ଖେଳି ସମୟ ନଷ୍ଟ କରୁଛି ଓ ପାଠପଢ଼ାରେ ମନ ଦେଉନାହିଁ। ଦୟାକରି ଏ ଦିଗରେ ମାର୍ଗଦର୍ଶନ କରନ୍ତୁ। ପ୍ରଧାନମନ୍ତ୍ରୀ ତୁରନ୍ତ ସମ୍ପୃକ୍ତା ମହିଳାଙ୍କୁ ପଚାରିଥିଲେ ଯେ, ଆପଣଙ୍କ ପୁଅ ପବଜି ଖେଳୁଛି କି? ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନ ଚର୍ଚ୍ଚା ସ୍ଥଳରେ କିଛି ସମୟ ହାସ୍ୟରୋଳ ସୃଷ୍ଟି କରିଥିଲା। ଏଥିରୁ ଅନୁମେୟ, ପିଲାଙ୍କ ପାଠ ପଢ଼ାରେ ଅନ୍‌ଲାଇନ ଗେମ୍‌ କିପରି ପ୍ରତିବନ୍ଧକ ସୃଷ୍ଟି କରୁଛି ଓ ସେମାନଙ୍କୁ ବିପଥଗାମୀ କରୁଛି ତାହା ସାଧାରଣ ନାଗରିକଙ୍କଠାରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅବଗତ। ତେଣୁ ମନରେ ହିଂସାତ୍ମକ ଓ ଅପରାଧ ପ୍ରବଣତା ସୃଷ୍ଟି କରୁଥିବା ଅନ୍‌ଲାଇନ ଗେମ୍‌କୁ ଚିହ୍ନଟ କରି ତାହା ଯେପରି ଭାରତରେ ଉପଲବ୍ଧ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ; ଯଦ୍ଦ୍ବାରା ଦେଶର ଭବିଷ୍ୟତ କୁହାଯାଉଥିବା କିଶୋର ଓ ଯୁବ ଗୋଷ୍ଠୀଙ୍କୁ ଏକ ସମ୍ଭାବ୍ୟ ଆପରାଧିକ କାର୍ଯ୍ୟକଳାପରୁ ରକ୍ଷା କରାଯାଇପାରିବ।
ମୋ-୯୪୩୭୨୩୨୪୬୩
prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?