ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିରେ ତାଙ୍କ ଶାଳୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ମୃତକ ଜଣକ ହେଲେ ଚନ୍ଦନଜୁରୀ ଗାଁର କ୍ଷେତ୍ର ବାଗ। ସେ ନିଜ ଶ୍ୱଶୁର ଘର ଗାଁ ଗୁଞ୍ଜାଡ଼ିହିକୁ ଯାଇଥିଲେ। ଶୁକ୍ରବାର ସକାଳେ ସେ ନିଜ ଶାଳୀଙ୍କ ସହ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ସମୟରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଉଭୟଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଘଟଣାସ୍ଥଳରେ କ୍ଷେତ୍ର ବାଗଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶାଳୀ ଗୁରୁତର ଆହତ ହୋଇଥିଲେ।

ଅଭିଯୋଗ ଅନୁଯାୟୀ, ବାରାହା ଶିକାରୀମାନେ ଘଟଣାସ୍ଥଳରୁ କ୍ଷେତ୍ରଙ୍କ ମୃତଦେହକୁ ଉଠାଇ ନେଇ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଏକ ପାହାଡ଼ର ଗୁମ୍ଫା ଭିତରେ ଲୁଚାଇ ରଖିଥିଲେ।

ଘଟଣା ପରେ ପରିବାର ଲୋକେ ଓ ପୋଲିସ ପକ୍ଷରୁ ମୃତକଙ୍କୁ ଖୋଜାଖୋଜି କରାଯାଇଥିଲା। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ପୋଲିସ ଗୁଞ୍ଜାଡ଼ିହି ଅଞ୍ଚଳରୁ ମୃତଦେହକୁ ଠାବ କରିଥିଲା। ଗୁରୁତର ଆହତ ଶାଳୀ ମୂକ ହୋଇଥିବାରୁ ଘଟଣା ସମ୍ପର୍କରେ ସେ କିଛି କହିପାରୁନାହାନ୍ତି। ଘଟଣାକୁ ନେଇ ଲରମ୍ଭା ପୋଲିସ ଅଧିକ ଖୋଳତାଡ଼ ଜାରି ରଖିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

Share