
ଲାଞ୍ଜିଗଡ଼,୧୩।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ ମୃତ୍ୟୁ ଘଟୁଛି l ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲା ଅନକାପାଲିଠାରେ ଦୁଇ ମାସ ତଳେ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପେଟ ଗାଁର ଜଣେ ନାବାଳକ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଗତ ମାସ ୨୩ ତାରିଖରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ବରାପାଲି ଗାଁର ଜଣେ ଯୁବକର ମୃତ୍ୟୁ ଘଟିଥିଲା I ଏବେ ପୁଣିଥରେ ପ୍ରାୟ କୋଡ଼ିଏ ଦିନ ବ୍ୟବଧାନରେ ଆଉ ଜଣେ ଦାନନ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାନୁଯାୟୀ, କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା କାନକୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ତଳକାଳେଶର ଗାଁର ଯୁବକ ତ୍ରିନାଥ ବିଭାର (୨୧) ପରିବାର ପ୍ରତିପୋଷଣ ପାଇଁ କେରଳ ରାଜ୍ୟର ଏରନାକୁଲମ ଜିଲାକୁ ଦାଦନ ଖଟିବାକୁ ଯାଇଥିବା ଯାଇଥିଲେ। ସେଠାରେ ସୋମବାର ତାଙ୍କର ମୃତ୍ୟୁ ଘଟିଛି। ତ୍ରିନାଥ ଏକମାସ ହେଲା ଏକ ଘରୋଇ ପ୍ଲାଷ୍ଟିକ କମ୍ପାନୀରେ କାମକରୁଥିଲେ। ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ ନିକଟସ୍ତ ଆଳୁୱା ସରକାରୀ ଡାକ୍ତରଖାନାକୁ ଯାଇ ଚିକିତ୍ସା କରାଇଥିଲେ I ଚିକତ୍ସା ପରେ ଧିରେ ଧିରେ ତାଙ୍କ ଦେହ ବିଗିଡ଼ିବା ଯୋଗୁ ସେ ଟ୍ରେନ ଯୋଗେ ଘରକୁ ଫେରୁଥିଲେ। ଫେରିବା ବେଳେ ତାଙ୍କ ଦେହ ଟ୍ରେନରେ ଗୁରୁତର ହେବାରୁ ତାଙ୍କ ଭିଣୋଇ ଗୌରାଙ୍ଗ ହରିଜନଙ୍କୁ ଫୋନ କରି ଜଣାଇଥିଲେ। ହରିଜନ ତୁରନ୍ତ ପୋଲିସକୁ ଫୋନ କରି ଜଣାଇବା ପରେ ବିଜୟୱା ରେଳଷ୍ଟେସନରୁ ବିଜୟୱାଡା ପୋଲିସ ତାଙ୍କୁ ଜିଲ୍ଲା ଡାକ୍ତରଖାନା ଇଲୁରୁଠାରେ ଭର୍ତ୍ତି କରାଇଥିଲେ। ଖବର ପାଇ ପରିବାରଲୋକେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ଉକ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ମେ ସୋମବାର ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ନିଜ ଜନ୍ମମାଟି ତଳ କାଳେଶର ଗାଁକୁ ମଙ୍ଗଳବାର ମରଶରୀର ପହଞ୍ଚିବା ପରେ ଗାଁ ମଶାଣିରେ ପରିବାରଲୋକେ ଶୋକାକୁଳ ପରିବେଶରେ ଶବ ସତ୍କାର କରି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ସେ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ । ଏବେ ତାଙ୍କ ପରିବାର କହିଲେ ମା ଓ ସ୍ତ୍ରୀଙ୍କ ସମେତ ଏକମାତ୍ର କୁନି ପୁଅ ରହିଛନ୍ତି। ଏବେ ପରିବାର ପ୍ରତିପୋଷଣ କିଭଳି କରାଯିବ ସେନେଇ ଚିନ୍ତା କରି ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଲାଞ୍ଜିଗଡ ଅଞ୍ଚଳରେ ବାରମ୍ବାର ଏହିଭଳି ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟୁଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l