Categories: ଖେଳ

ପ୍ରଥମ ଦିନିକିଆ: ଟେଲରଙ୍କ ଶତକ ନିଷ୍ଫଳ: ପାକିସ୍ତାନ ୨୬ ରନରେ ବିଜୟୀ

ରାଓ୍ବଲପିଣ୍ଡି,୩୧।୧୦(ପି.ଟି.): ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ୨୬ ରନରେ ବିଜୟୀ ହୋଇଛି। ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ଓଭରରେ ୮ ଉଇକେଟ ବିନିମୟରେ ୨୮୧ ରନ ସଂଗ୍ରହ କରିଥିଲା। ଜବାବରେ ଜିମ୍ବାଓ୍ବେ ୪୯. ୪ ଓଭରରେ ୨୫୫ ରନ କରି ଅଲ୍‌ ଆଉଟ ହୋଇ ପରାଜୟ ବରଣ କରିଛି। ଏଥିସହ ପାକିସ୍ତାନ ୩ ମ୍ୟାଚ୍‌ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଶତକୀୟ ପାଳି ଖେଳିଥିବା ଜିମ୍ବାଓ୍ବେ ଉଇକେଟକିପର ବ୍ୟାଟ୍ସମ୍ୟାନ ବ୍ରେଣ୍ଡନ ଟେଲର ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
୨୮୨ ରନ ବିଜୟ ଲକ୍ଷ୍ୟର ପିଛା କରି ଜିମ୍ବାଓ୍ବେ ଆରମ୍ଭରୁ କେତୋଟି ଉଇକେଟ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ତେବେ ବ୍ରେଣ୍ଡନ ଟେଲର ୧୧୨ ରନର ଶତକୀୟ ପାଳି ଖେଳି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଚାମୁ ଚିଭାଭା ୧୩, କ୍ରେଗ୍‌ ଏରିଭିନ୍‌ ୪୧, ଓ୍ବେସ୍‌ଲି ମାଧେଭେର ୫୫ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇ ନ ଥିଲା। ବୋଲିଂରେ ପାକିସ୍ତାନ ତରଫରୁ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ସର୍ବାଧିକ ୫, ଅଭିଜ୍ଞ ଦ୍ରୁତ ବୋଲର ଓ୍ବାହାବ ରିୟାଜ ୪, ଇମାଦ ଓ୍ବାସିମ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ତରଫରୁ ହାରିସ ସୋହେଲ ସର୍ବାଧିକ ୭୧, ଓପନର ଇମାମ ଉଲ ହକ ୫୮, ଇମାଦ ଓ୍ବାସିମ ଅପରାଜିତ ୩୪, ଫହିମ ଆଶ୍ରଫ୍‌ ୨୩, ଅବିଦ ଅଲି ୨୧, ଅଧିନାୟକ ବାବର ଆଜମ ୧୯ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିଂରେ ଜିମ୍ବାଓ୍ବେ ତରଫରୁ ବ୍ଲେସିଂ ମୁଜାରବାନୀ ଓ ତେଣ୍ଡାଇ ଚିସୋରୋ ୨ଟି ଲେଖାଏ, କାର୍ଲା ମୁମ୍ବା ଓ ସିକନ୍ଦର ରାଜା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ୫୦ ଓଭରରେ ୨୮୧/୮
(ହାରିସ ସୋହେଲ-୭୧, ଇମାମ-୫୮, ଇମାଦ ଓ୍ବାସିମ- ୩୪*, ମୁଜାରବାନୀ- ୨/୩୯, ଚିସୋରୋ-୨/୩୧)
ଜିମ୍ବାଓ୍ବେ ୪୯.୪ ଓଭରରେ ୨୫୫ ଅଲଆଉଟ୍‌
(ବ୍ରେଣ୍ଡନ ଟେଲର-୧୧୨, ଓ୍ବେସ୍‌ଲି ମାଧଭେର-୫୫, କ୍ରେଗ୍‌ ଏରଭିନ୍‌-୪୧, ଶାହିନ ଆଫ୍ରିଦି-୫/୪୯, ଓ୍ବାହାବ ରିୟାଜ-୪/ ୪୧)।

Share