Categories: ଖେଳ

ଦାରୁବାଲା ଚତୁର୍ଥ

ସିଲଭରଷ୍ଟୋନ୍‌, ୩ା୮ (ପି.ଟି.)-ରବିବାର ଏଠାରେ ଅନୁଷ୍ଠିତ ସ୍ପ୍ରିଣ୍ଟ୍‌ ରେସ୍‌ରେ ଭାରତର ଜେହାନ ଦାରୁବାଲା ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଏଫଆଇଏ ଫର୍ମୁଲା-୨ ଚାମ୍ପିୟନଶିପ୍‌ରେ ଏହା ହେଉଛି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ରେସ୍‌ର ଅନ୍ତିମ ୩ ଲାପ୍‌ ଆକ୍ସନଭରା ରହିଥିଲା। ଏଥିରେ ଦାରୁବାଲା ୬ଟି ସ୍ଥାନ ଜମ୍ପ୍‌ କରିଯାଇଥିଲେ। ଦାରୁବାଲାଙ୍କ ପାଇଁ ଏହି ଫଳାଫଳ ଅପରିହାର୍ଯ୍ୟ ଥିଲା। କାରଣ ଶନିବାର ଅନୁଷ୍ଠିତ ଫିଚର ରେସ୍‌ରେ କ୍ଲଚ୍‌ରେ ସମସ୍ୟା ଯୋଗୁ ୭ମ ଗ୍ରିଡ୍‌ରୁ ତାଙ୍କର ଆରମ୍ଭ ମନ୍ଥର ରହିଥିଲା। ଫଳରେ ସେ ଦ୍ୱାଦଶ ସ୍ଥାନରେ ରହିଥିଲେ। ରେଡ୍‌ବୁଲ ଜୁନିୟର ଡ୍ରାଇଭର ଫାଇନାଲ ଲାପ୍‌ରେ ଫୁଚର ରେସ୍‌ ବିଜେତା ନିକିତା ମାଜେପିନ୍‌ଙ୍କୁ ଅତିକ୍ରମ କରିଯାଇଥିଲେ। ଫଳରେ ରବିବାର ରେସ୍‌ରୁ ସେ ୮ ପଏଣ୍ଟ ଅର୍ଜନ କରିପାରିଛନ୍ତି। ଚାମ୍ପିୟନଶିପ୍‌ର ୪ ରାଉଣ୍ଡ ପରେ ତାଙ୍କ ଓଭର ଅଲ୍‌ ପଏଣ୍ଟ ସଂଖ୍ୟା ୧୮ରେ ପହଞ୍ଚତ୍ଛି। ଦାରୁବାଲାଙ୍କ ଭଳି ପ୍ରଥମ ଥର ଫର୍ମୁଲା-୨ ସିଜନରେ ପାଦ ଦେଇଥିବା ଡାନ୍‌ ଡିକ୍‌ଟମ୍‌ ପୋଲ ପୋଜିଶନରୁ ରେସ୍‌ ଜିତିଥିଲେ। ଅନ୍ୟଜଣେ ସ୍ବଳ୍ପ ବୟସ୍କ ଡ୍ରାଇଭର ଖ୍ରୀଷ୍ଟିଆନ ଲଣ୍ଡ୍‌ଗାର୍ଡ ଦ୍ୱିତୀୟ ଏବଂ ଲୋଇସ୍‌ ଡିଲିଟ୍ରାଜ୍‌ ତୃତୀୟ ହୋଇଥିଲେ।

Share