ଅନ୍ଧାର କୋଣ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏବେ ପୁଣି ଚର୍ଚ୍ଚାକୁ ଆସିଛି। ଏହାର ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଇତିହାସ ଏବଂ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ଏନ୍‌ଏଏମ୍‌), ଆଫ୍ରିକୀୟ-ଏସୀୟ ଅଞ୍ଚଳର ଇସ୍‌ଲାମୀୟ ସାମ୍ରାଜ୍ୟ, ଶୀତଳ ଯୁଦ୍ଧ ଯୁଗ, ମୋଗଲ କୋର୍ଟ, ଶିଳ୍ପ ବିପ୍ଳବ ଆଦି ବିଷୟକୁ ବାଦ୍‌ ଦିଆଯାଇଛି। ସେହିପରି ଦଶମ ଶ୍ରେଣୀ ପାଠ୍ୟକ୍ରମର ‘ଖାଦ୍ୟ ସୁରକ୍ଷା’ ଅଧ୍ୟାୟରୁ ‘କୃଷି ଉପରେ ଜଗତୀକରଣର ପ୍ରଭାବ’ ବିଷୟକୁ ହଟାଇ ଦିଆଯାଇଛି। ଏଥିସହିତ ଧର୍ମ, ସମ୍ପ୍ରଦାୟ ଓ ରାଜନୀତି-ସାମ୍ପ୍ରଦାୟିକତାବାଦ ଅଧ୍ୟାୟରେ ଫଏଜ୍‌ ଅହମ୍ମଦଙ୍କ ଦୁଇଟି ଉର୍ଦ୍ଦୁ କବିତାରୁ ନିଆଯାଇଥିବା ଅନୁବାଦ ଉଦ୍ଧୃତାଂଶ ମଧ୍ୟ ବାଦ୍‌ ପଡ଼ିଛି। ତେବେ ସିବିଏସ୍‌ଇ କହିଛି ଯେ, ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି)ର ସୁପାରିସ ଆଧାରରେ ଏପରି ପଦକ୍ଷେପ ନିଆଯାଇଛି। ପାଠ୍ୟକ୍ରମକୁ ଯୁକ୍ତିସଙ୍ଗତ କରିବା ଲାଗି ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ସଂସ୍ଥା ଏଭଳି ନିଷ୍ପତ୍ତି ନେଇଥିବା କହିଛି।
ସିବିଏସ୍‌ଇ ଯେଉଁ ଯୁକ୍ତି ବାଢ଼ିଛି ସେ ବିଷୟରେ ଚିନ୍ତା କରାଯାଇପାରେ। ଉଦାହରଣ ସ୍ବରୂପ, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ଦେଖାଯାଉ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତି ଓ ଭାରତ ତା’ର ସ୍ବାଧୀନତା ଲାଭ କରିବା ପରେ ସମଗ୍ର ପୃଥିବୀ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ସେହି ସମୟରେ ଆରମ୍ଭ ହୋଇଥିଲା ସୋଭିଏଟ୍‌ ରୁଷ୍‌ ଓ ଆମେରିକା ମଧ୍ୟରେ ଶୀତଳ ଯୁଦ୍ଧ ବା କୋଲ୍ଡ ଓ୍ବାର। ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହେରୁ ଥାଇପାରନ୍ତି, କିନ୍ତୁ ପୃଥିବୀର ରାଜନୀତିରେ ସେହି ସମୟରେ ଭାରତର ନେତୃତ୍ୱ ଏକ ତୃତୀୟ ଗୋଷ୍ଠୀ ସୃଷ୍ଟି କରିପାରିଥିଲା। ଅନେକ ସୁପରିଚିତ ବିଶ୍ୱନେତା ଯଥା, ଇଜିପ୍ଟର ଗମାଲ ଅବ୍‌ଦିଲ୍‌ ନାସେର ଓ ଯୁଗସ୍ଲୋଭିଆର ମାର୍ଶାଲ ଟିଟୋଙ୍କ ଭଳି ବ୍ୟକ୍ତିତ୍ୱ ଭାରତର ନେତୃତ୍ୱକୁ ସ୍ବୀକାର କରିଥିଲେ। ତାହାର ଶ୍ରେୟ କେବଳ ନେହେରୁଙ୍କୁ ଦିଆ ଯାଇ ନ ପାରେ। ଏହି ଦେଶକୁ କଂଗ୍ରେସ ଗଢ଼ି ନାହିଁ। ଆଜିର ଭାରତ ତା’ର ସାମ୍ପ୍ରତିକ ସ୍ଥିତିରେ ପହଞ୍ଚତ୍ବା ପଛରେ ଅନେକ କୋଟି ସାଧାରଣ ଲୋକଙ୍କ ଅବଦାନ ରହିଛି। ସେହିଭଳି କୃଷି ଉପରେ ବିଶ୍ୱ ବଜାରର ପ୍ରଭାବ ପଡ଼ିବାର ଫଳାଫଳ ଜଗତୀକରଣ ସମୟରେ ଅଧିକ ସ୍ପଷ୍ଟ ଜଣାପଡ଼ିଥିଲା ବେଳେ ଏହି ବିଷୟକୁ ମଧ୍ୟ ପାଠ୍ୟକ୍ରମରୁ ବାଦ୍‌ ପକାଯାଇଛି। ଅର୍ଥନୀତି, ରାଜନୀତି ଓ ସାମାଜିକ ଇତିହାସରେ ଭାରତର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ସେଥିପାଇଁ ଏହିଭଳି ଅନେକ ବାସ୍ତବ ଐତିହାସିକ ତଥ୍ୟକୁ ଆଗାମୀ ଯୁଗର ଯୁବ ଭାରତୀୟ ଛାତ୍ରୀଛାତ୍ରଙ୍କଠାରୁ ଦୂରେଇ ନେଲେ ତାହା ଭବିଷ୍ୟତ ସକାଶେ ନାକାରାତ୍ମକ ହେବାର ସବୁ ଲକ୍ଷଣ ଦେଖାଯାଉଛି।
ସାମ୍ପ୍ରତିକ ସ୍ଥିତି ଦେଖିଲେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ, ଶୀତଳ ଯୁଦ୍ଧ, ମୋଗଲ କୋର୍ଟ, ଶିଳ୍ପ ବିପ୍ଳବ ଆଦି ବିଷୟ ସବୁ ସମୟରେ ଛାତ୍ରୀଛାତ୍ରଙ୍କ ପାଇଁ ଉପାଦେୟ ବିଷୟ ହୋଇ ରହିବ। ବର୍ତ୍ତମାନ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଚାଲିଛି। ବାସ୍ତବତା ଦେଖିଲେ ରୁଷିଆ ସହିତ ଆମେରିକା ହେଉ ବା ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ର ପରୋକ୍ଷ ଯୁଦ୍ଧ ହେଉଛି। ଗତ ଶତାବ୍ଦୀରେ ରୁଷିଆ ଓ ଆମେରିକା ମଧ୍ୟରେ ହୋଇଥିବା ଶୀତଳ ଯୁଦ୍ଧର ଏହା ଏକ ନୂଆ ସଂସ୍କରଣ ବୋଲି କୁହାଯାଉଛି। ଶୀତଳ ଯୁଦ୍ଧ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀର ଅନେକ ସାନବଡ଼ ଦେଶ ମଧ୍ୟରେ କିଭଳି ସମ୍ପର୍କ ଗଢ଼ିଉଠିଲା ଏବଂ ଗୋଟିଏ ପଟେ ପାଶ୍ଚାତ୍ୟ ଶକ୍ତି ଓ ଅନ୍ୟପଟେ ସୋଭିଏଟ୍‌ କମ୍ୟୁନିଷ୍ଟ ଗୋଷ୍ଠୀ ପୃଥିବୀକୁ ଯେଉଁଭଳି ଭାବେ ବିଭାଜିତ କରିଥିଲେ, ତାହା ପାଠ୍ୟପୁସ୍ତକରୁ ବାଦ୍‌ପଡ଼ିଲେ ଭାରତର ଆଗାମୀ ପିଢ଼ି ଅନେକ ଅନ୍ତର୍ଜାତୀୟ ବିଷୟରେ ଅଜ୍ଞ ରହିଯିବେ। ଅନୁରୂପ ଭାବେ ମୋଗଲ ଶାସନକୁ ଇତିହାସ ବହିରୁ ବାଦ୍‌ ପକାଇଲେ ସେହି ସମୟର ଭାରତ ମାଟିର ସନ୍ତାନମାନଙ୍କର ତ୍ରୁଟିଗୁଡ଼ିକୁ ଭବିଷ୍ୟତ ପିଢ଼ି ଭୁଲିଯିବ। ଆମ ପୂର୍ବପୁରୁଷଙ୍କ ଅପାରଗତା ଯୋଗୁ ମୋଗଲ ଆକ୍ରମଣ ସମ୍ଭବ ହୋଇପାରିଥିଲା। ସେହିସବୁ ତଥ୍ୟ ଅଜଣା ରହିଗଲେ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ହେବାର ସମ୍ଭାବନା ବୃଦ୍ଧି ପାଇବ। ତାହାର ରୂପରଙ୍ଗ ବଦଳିଯାଇପାରେ, କିନ୍ତୁ ପରିଣାମ ସେହି ପ୍ରକାରର ହୋଇଯାଇପାରେ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଭାରତର ଇତିହାସ ସବୁବେଳେ ଶାସକଙ୍କ ଦୃଷ୍ଟିକୋଣରୁ ଲେଖାଯାଇଛି। ଯେହେତୁ ଶିକ୍ଷା ସାଧାରଣ ନାଗରିକଙ୍କ ପାଇଁ ସହଜସାଧ୍ୟ ନ ଥିଲା, ସେଥିପାଇଁ ଶାସିତ ବର୍ଗର ଇତିହାସ ଏହି ଦେଶରେ ଦେଖିବାକୁ ମିଳେନାହିଁ। ଭାରତର ସାଧାରଣ ହିନ୍ଦୁ କେଉଁଭଳି ଅର୍ଥନୈତିକ କାର୍ଯ୍ୟ କରି ମୁସଲ୍‌ମାନ ଆକ୍ରମଣ ପୂର୍ବରୁ ବଞ୍ଚୁଥିଲା, ତାହା ବିଷୟରେ କୌଣସି ତଥ୍ୟ ଲିପିବଦ୍ଧ ହୋଇନାହିଁ। ଭାରତ ମାଟିରେ ସମ୍ଭବତଃ ପ୍ରଥମ ଲେଖା ଅଶୋକଙ୍କ ଶିଳାଲିପିରୁ ସୃଷ୍ଟି ହୋଇଥିଲା, ଯାହା କି ସାଧାରଣରେ ପଢ଼ି ବୁଝିପାରିବାର ଶକ୍ତି ରଖିନାହାନ୍ତି। ଏହିଭଳି ପ୍ରାଚୀନ ଭାରତୀୟ ଭାଷା ସଂସ୍କୃତି ଏବଂ ଜୀବନଶୈଳୀ ବିଷୟରେ ପାଠ୍ୟକ୍ରମରେ ଅଧିକ ଗୁରୁତ୍ୱ ଦିଆଗଲେ ଭବିଷ୍ୟତ ପିଢ଼ିର ହିତ ପାଇଁ କୌଣସି ତଥ୍ୟଭିତ୍ତିକ ଇତିହାସକୁ ବାଦ୍‌ ପକାଇବାର ପ୍ରୟୋଜନ ହେବନାହିଁ। ପିଲା ଯେତିକି ଅଧିକ ପଢ଼ିବେ, ସେତେବେଶି ନିଜର ପରିବାର, ସମାଜ, ଦେଶ ଓ ଧର୍ମ ବିଷୟରେ ବୁଝିବାରେ ସକ୍ଷମ ହେବେ। ପାଠପଢ଼ାରେ ନିଜ ଦେଶ ସମ୍ପର୍କରେ କୌଣସି ଅନ୍ଧାର କୋଣ ଛାଡ଼ିଲେ, ତାହା ପରବର୍ତ୍ତୀ ସମୟରେ ପ୍ରବଳ କ୍ଷତି ଘଟାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri