‘ଧରିତ୍ରୀ’ ଖବରର ପ୍ରଭାବ: ତାଲିଯୋଡ଼ି ବ୍ରିଜ୍‌ ଧୋଇଯାଇଥିବା ଦୁର୍ଗମ ଗାଁରେ ପହଞ୍ଚି ସ୍ଥିତି ପରଖିଲେ IIC, ଶୁଖିଲା ଖାଦ୍ୟ ବାଣ୍ଟି…

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ୩ଟି ଗାଁକୁ ସଂଯୋଗ କରୁଥିବା ତାଲିଯୋଡ଼ି ନଦୀର ବ୍ରିଜ୍‌ ଧୋଇ ହୋଇଯିବା ଘଟଣା ସମ୍ପର୍କରେ ଗୁରୁବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକସ୍ତରରେ ତତ୍ପରତା ଦେଖିବାକୁ ମିଳିଛି। ଖବର ପ୍ରକାଶ ପାଇବା କ୍ଷଣି ଦାରିଙ୍ଗବାଡ଼ି ଥାନାର ଯୁବ ଆଇଆଇସି ସଂଗ୍ରାମ କେଶରୀ ଜେନା ତୁରନ୍ତ ପଦକ୍ଷେପ ଗ୍ରହଣ କରି ଦୁର୍ଗମ ଗ୍ରାମଗୁଡ଼ିକ ଆଡ଼କୁ ବାହାରିଥିଲେ।

ବ୍ରିଜ୍‌ ଭାଙ୍ଗିଯାଇଥିବାରୁ ବିକଳ୍ପ ରାସ୍ତା ଡାକରବାଡ଼ି ଦେଇ ସେ ଗବାଟବାଡ଼ି, ଲାରିବାଡ଼ି ଏବଂ କୁଡ଼ିମୁଞ୍ଜା ଆଦି ତିନୋଟି ପ୍ରଭାବିତ ଗ୍ରାମରେ ସଦଳବଳେ ପହଞ୍ଚିଥିଲେ। ଆଇଆଇସି ଜେନାଙ୍କ ସହ ଏଏସ୍‌ଆଇ ଅର୍ଜୁନ ଶବର ମଧ୍ୟ ଉପସ୍ଥିତ ରହି ଗ୍ରାମବାସୀଙ୍କ ସ୍ଥିତି ପରଖିବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବିପର୍ଯ୍ୟୟ ସମୟରେ ଥାନା ପକ୍ଷରୁ ସେମାନଙ୍କୁ ଚୁଡ଼ା, ଗୁଡ଼ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହ ଲୋକଙ୍କୁ ଆଶ୍ୱାସନା ଓ ଭରସା ଦେଇ ଫେରିଛନ୍ତି।

ଆଇଆଇସି ଜେନା ଭାଙ୍ଗିଯାଇଥିବା ନଦୀ ବ୍ରିଜ୍‌ର ଉଭୟ ପଟକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବା ସହ ଘଟଣା ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ଉକ୍ତ ନଦୀ ବ୍ରିଜ୍‌ ଉପରେ ଜଳ ପ୍ରବାହିତ ହେବା ଏବଂ ପରେ ବ୍ରିଜ୍‌ ଧୋଇଯିବା ନେଇ କେବଳ ‘ଧରିତ୍ରୀ’ରେ ଖବର ପ୍ରକାଶିତ ହୋଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୋଲିସ ପ୍ରଶାସନ ତତ୍ପର ହୋଇ ତୁରନ୍ତ ଲୋକଙ୍କ ନିକଟରେ ପହଞ୍ଚିଥିବାରୁ ଏବେ ଅଞ୍ଚଳବାସୀଙ୍କ ପକ୍ଷରୁ ପୋଲିସ ପ୍ରଶାସନକୁ ଚାରିଆଡ଼ୁ ସାଧୁବାଦ ଓ ପ୍ରଶଂସା କରାଯାଉଛି।

Dharitri – Odisha’s No.1 Odia Daily

Share