Categories: ଖେଳ

ଡାମିଏନ୍‌ ରାଇଟ୍‌ ପଞ୍ଜାବ କିଙ୍ଗ୍ସର ବୋଲିଂ କୋଚ୍‌

ମୁମ୍ବାଇ, ୧୪ା୩ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆସନ୍ତା ସଂସ୍କରଣ ଏପ୍ରିଲ ୯ରେ ଆରମ୍ଭ ହେବାକୁ ଥିବାବେଳେ ପଞ୍ଜାବ କିଙ୍ଗ୍ସ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଡାମିଏନ୍‌ ରାଇଟ୍‌ଙ୍କୁ ଦଳର ନୂଆ ବୋଲିଂ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ୪୫ ବର୍ଷୀୟ ରାଇଟ୍‌ ବାଂଲାଦେଶ ୧୯ ବର୍ଷରୁ କମ୍‌ କ୍ରିକେଟ ଦଳର ମଧ୍ୟ କୋଚ୍‌ ରହିଛନ୍ତି। ପଞ୍ଜାବ କିଙ୍ଗ୍ସ ଦଳର ମୁଖ୍ୟ କୋଚ୍‌ ତଥା
ଡାଇରେକ୍ଟର ଅପ୍‌ କ୍ରିକେଟ ଅପରେଶନ୍ସ ଅନୀଲ କୁମ୍ବଲେଙ୍କ ତତ୍ତ୍ୱାବଧାନରେ ସେ କାର୍ଯ୍ୟ କରିବେ। ରାଇଟ୍‌ ଅଷ୍ଟ୍ରେଲିଆର ବିଗ୍‌ ବାଶ୍‌ ଲିଗ୍‌ ଦଳ ହୋବାର୍ଟ ହରିକେନ୍ସ ଓ ମେଲବୋର୍ନ ଷ୍ଟାର୍ସ ଏବଂ ନ୍ୟୁଜିଲାଣ୍ଡ ଟିମ୍‌ର ବୋଲିଂ କୋଚ୍‌ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ରାଇଟ୍‌ ଓ କୁମ୍ବଲେଙ୍କ ବ୍ୟତୀତ ପଞ୍ଜାବ କିଙ୍ଗ୍ସ ଦଳର ରହିଥିବା ଅନ୍ୟ ସପୋର୍ଟ ଷ୍ଟାଫମାନେ ହେଲେ ସହକାରୀ କୋଚ୍‌ ଆଣ୍ଡି ଫ୍ଲାଓ୍ବାର, ବ୍ୟାଟିଂ କୋଚ୍‌ ଓ୍ବାସିମ ଜାଫର ଓ ଫିଲ୍ଡିଂ କୋଚ୍‌ ଜଣ୍ଟି ରୋଡ୍ସ। ରାଇଟ୍‌ଙ୍କର ପ୍ରଚୁର ଅଭିଜ୍ଞତା ରହିଛି। ତାଙ୍କ ଯୋଗଦାନ ଫଳରେ ଆମ ଦଳ ଆହୁରି ଶକ୍ତିଶାଳୀ ହୋଇଛି ବୋଲି କୁମ୍ବଲେ ପ୍ରକାଶ କରିଛନ୍ତି। କେ.ଏଲ୍‌ ରାହୁଲଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍ସ ଏପ୍ରିଲ ୧୨ରେ ମୁମ୍ବାଇଠାରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଏହାର ଆଇପିଏଲ୍‌ ଅଭିଯାନ ଆରମ୍ଭ କରିବ।

Share