ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ ବ୍ୟକ୍ତିଗତ ଠାକୁର ଘରେ ବୃ୍ଦ୍ଧାଙ୍କ ପ୍ରବେଶକୁ ବାରଣ କରିବା ସହିତ ତାଙ୍କୁ ଆକ୍ରମଣ କରାଯାଇଥିଲା। ଏନେଇ ବୁଦ୍ଧାଙ୍କ ପୁଅ ପ୍ରଫୁଲ୍ଲ ସେଠୀ ଗୁରୁବାର ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଗ୍ରାମାଞ୍ଚଳ ପୋଲିସ ନଂ ୧୮୭/୨୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ମହେଶ୍ୱର ଲେଙ୍କାଙ୍କ ପରିବାରର ଜଣକୁ ଥାନାକୁ ଡକାଇ ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଥିବା ନେଇ ପଟ୍ଟାମୁଣ୍ଡାଇ ଏସ୍ଡିପିଓ ସୁକାନ୍ତ ପାତ୍ର କହିଛନ୍ତି ।
ଅଭିଯୋଗ ଅନୁଯାଇ ଖଣତା ଗ୍ରାମରେ ସତ୍ୟଭାମା ସେଠୀ ଜଣେ ମାନସିକ ବିକାରଗସ୍ତ ବୃଦ୍ଧା। ସେ ଗୁରୁବାର ଦୋକାନକୁ ଯାଇ ଭୁଲରେ ସେହି ଗ୍ରାମର ମହେଶ୍ୱରଙ୍କ ଠାକୁର ଘରେ ପଶି ଯାଇଥିଲେ। ସେ ଜଣେ ଅନୁସୂଚିତ ଜାତିର ମହିଳା ହୋଇଥିବାରୁ ଠାକୁର ଘରକୁ କାହିଁକି ପଶିଆସୁଲୁ ବୋଲି ମହେଶ୍ୱର ଓ ତାଙ୍କ ପରିବାର ଲୋକେ ଉତ୍କ୍ଷିପ୍ତ ହୋଇ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ବହୁ ସମୟ ବାନ୍ଧିରଖି ପରେ ଛାଡି ଦେଇଥିଲେ। ବୃଦ୍ଧାଙ୍କ ଅବସ୍ଥା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ। ଏହା ଜାଣିି ପୁଅ ପ୍ରଫୁଲ୍ଲ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧା ମା’ଙ୍କର ଚିକିତ୍ସା କରାଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ଥାନା ଅଧିକାରୀ ଛୁଟିରେ ଥିବାରୁ ପୋଲିସ ଶୁକ୍ରବାର ସୁଦ୍ଧା ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ସମ୍ବିଧାନର ଧାରା ୧୭ ଏବଂ ଏସି/ଏସ୍ଟି(ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର ଧରିଛି। କିନ୍ତୁ ଏତଲାରେ ଦର୍ଶାଯାଇଥିବା ମାନସିକ ବିକାର ଅବସ୍ଥା ଏସ୍ସି/ଏସ୍ଟି ଆଇନ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

