ଭୁବନେଶ୍ୱର, ୧୪ା୧୧: ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବଡ଼ ଆକଳନ କରାଯାଇଛି । ବାତ୍ୟା ସହ ଜଡ଼ିତ ପବନ ଓ ଗତିପଥ ନେଇ ପୂର୍ବାନୁମାନ କରାଯାଇଛି । ୧୬ ତାରିଖରେ ସମୁଦ୍ରରେ ବାତ୍ୟା ରୂପ ନେବ ଏବଂ ଏହା ୧୮ରେ ଭୀଷଣ ବାତ୍ୟାରେ ପରିଣତ ହେବ । ତେବେ ଭୀଷଣ ବାତ୍ୟା ନେବା ପରେ ପବନର ବେଗ ୮୫ରୁ ୯୫ କିମି ରହିବା ନେଇ ଆକଳନ କରାଯାଇଛି ।
ସେହିପରି ଦଲକା ପବନର ବେଗ ୧୦୫ କିମି ପର୍ଯ୍ୟନ୍ତ ହୋଇଛି । ହେଲେ ଖବର ଲେଖାଯିବା ସୁଦ୍ଧା ବାତ୍ୟା କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ସେନେଇ ସ୍ପଷ୍ଟ ହୋଇପାରି ନାହିଁ ।
ସମୁଦ୍ରରେ ସମ୍ଭାବ୍ୟ ବାତ୍ୟାକୁ ନେଇ SRCଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଓଡ଼ିଶାରେ ୧୭ ରୁ ୧୮ ତାରିଖ ବେଳକୁ ପାଗ ବଦଳିବ। ପ୍ରଥମେ ଗଞ୍ଜାମ, ଗଜପତି, ପୁରୀ ଆଦି ଜିଲାରେ ବର୍ଷା ହୋଇପାରେ। ୧୯ ରୁ ୨୧ ତାରିଖ ଭିତରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଜପତିରେ ଅଧିକ ବର୍ଷା ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ବି ହୋଇପାରେ।