ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ଅକ୍ବାନ୍ ସମୀକ୍ଷା ; ଓଡ଼ିଶାରେ ଲ୍ୟାଣ୍ଡଫଲ୍‌! ୪୬ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର

ଭୁବନେଶ୍ୱର,୧୮।୧୧: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ସରକାର। ଏହାରି ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ SRCଙ୍କ କାର୍ଯ୍ୟାଳୟରେ ବାତ୍ୟା ସମୀକ୍ଷା କରିଛନ୍ତି ।

୧୦ ବିଭାଗର ସଚିବ ଓ ଅଧିକାରୀଙ୍କ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଗତି ବଦଳାଇ ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ । ଗୁରୁବାର ପୁଣିଥରେ ଆକଳନ ପରେ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ କରିବ ତାହା ସ୍ପଷ୍ଟ ହେବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୯୦ରୁ ୧୦୦ କିମି ରହିବ । ଜିରୋ କାଜୁଆଲିଟି ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

୪୬୮ଟି ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ କରାଯାଇଛି । ଆଉ ୩ ହଜାରରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯିବ । ବର୍ତ୍ତମାନ ସୁଦ୍ଧା ୪୬ ହଜାର ୭୦୧ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗଞ୍ଜାମ ଜିଲାରେ ସର୍ବାଧିକ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଗତସିଂହପୁରରେ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ ଜିଲା ପାଇଁ ୫ କୋଟିର ଆଗୁଆ ସହାୟତା ଦିଆଯାଇଛି । ୧୫ ଜିଲ୍ଲାକୁ ବାତ୍ୟା ମୁକାବିଲା ପାଇଁ ୨୦ କୋଟିର ଆଗୁଆ ପାଣ୍ଠି ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ୭ IASଙ୍କୁ ବିଭିନ୍ନ ଜିଲ୍ଳାର ଦାୟିତ୍ବ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Share