ଭୀଷଣ ବାତ୍ୟାରେ ପରିଣତ ହେବ ‘ଅକ୍ୱାନ’: IMD ଦେଲା ଚେତାବନୀ

ଭୁବନେଶ୍ୱର, ୧୫ା୧୧(ବନ୍ଦନା ସେଠୀ): ଦକ୍ଷିଣ-ପୂର୍ୱ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ୧୬ ତାରିଖ ସୋମବାର ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ତଥା ଏହାକୁ ଲାଗି ରହିଥିବା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟାର ରୂପ ନେବ। ବାତ୍ୟା ସୃଷ୍ଟି ହେବା ପରେ ଏହାର ନାମ ‘ଅକ୍ୱାନ’ ରହିବ। ତେବେ ୧୮ ତାରିଖରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ। ଏହି ସମୟରେ ସମୁଦ୍ର ଭିତରେ ପବନର ବେଗ ୮୫ରୁ ୯୫ କି.ମି. ରହିବ ଏବଂ ଝଟ୍‌କା ପବନର ବେଗ ୧୦୫ କି.ମି. ପର୍ଯ୍ୟନ୍ତ ରହିବ ବୋଲି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)। ତେବେ ସମ୍ଭାବ୍ୟ ବାତ୍ୟା କେଉଁ ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିବ ଓ ଏହାର ପ୍ରଭାବ କେଉଁ ରାଜ୍ୟ ପ୍ରତି କିଭଳି ରହିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅବପାତ ସୃଷ୍ଟି ପରେ ସ୍ଥିତି ଓ ଗତି ଜଣାପଡିବ ବୋଲି କୁହାଯାଇଛି। ଏଥିସହ ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଅନ୍ୟପକ୍ଷରେ ୟୁରୋପୀୟ ପାଣିପାଗ ମଡେଲ ଅନୁସାରେ, ବାତ୍ୟା ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିପାରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୮ ତାରିଖଠାରୁ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିବ। ବିଶେଷକରି ଗଜପତି, ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ୱାର୍ନିଂ ଦିଆଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଝଡ଼ବର୍ଷା ସହିତ ସର୍ୱାଧିକ ୫୦ କି.ମି. ବେଗରେ ପବନ ବହିବା ନେଇ ସତର୍କ କରାଯାଇଛି। ୧୯ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗଞ୍ଜାମ, ଗଜପତି ଓ ପୁରୀ ଜିଲାକୁ ଅତି ପ୍ରବଳ ବର୍ଷା ସହ ୬୦ କିମି ବେଗରେ ପବନ ନେଇ ଅରେଞ୍ଜ ଓ୍ୱାର୍ନିଂ ଦିଆଯାଇଛି।

କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାକୁ ଝଡ଼ବର୍ଷା ପାଇଁ ୟେଲୋ ଓ୍ୱାର୍ନିଂ ଦିଆଯାଇଛି। ୨୦ ତାରିଖରେ ଜଗତ୍‌ସିଂହପୁର, କଟକ, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ସର୍ୱାଧିକ ୬୦ କି.ମି ପର୍ଯ୍ୟନ୍ତ ପବନ ବହିବା ନେଇ ଅରେଞ୍ଜ ଓ୍ୱାର୍ନିଂ ଦିଆଯାଇଛି। ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ନିଂ ଦିଆଯାଇଛି।

Share