ବାତ୍ୟା ‘ଅର୍ଣ୍ଣବ’: ଦାରିଙ୍ଗବାଡ଼ି ଗସ୍ତ କରି ସ୍ଥିତି ପରଖିଲେ ମନ୍ତ୍ରୀ, ସିଲ୍‌ କରାଯାଇଥିବା ଗାଜଲବାଡ଼ି ଘାଟିର…

ଦାରିଙ୍ଗବାଡ଼ି,୨୮।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ଲୋକଙ୍କ ସୁରକ୍ଷା ଦିଗର ତଦାରଖ କରିବା ପାଇଁ ଓଡ଼ିଶାର ରାଜ୍ୟ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ବୁଧବାର ଅପରାହ୍ନରେ ଦାରିଙ୍ଗବାଡ଼ି ଗସ୍ତ କରିଛନ୍ତି। ଗସ୍ତ ସମୟରେ ମନ୍ତ୍ରୀ କନ୍ଧମାଳ-ଗଞ୍ଜାମ ସୀମା ୫୯ ନମ୍ବର ଜାତୀୟ ରାଜପଥସ୍ଥିତ ଗାଜଲବାଡ଼ି ଘାଟିର ବାୟମାଲା ଚେକ୍‌ଗେଟ୍‌ ଠାରେ ପହଞ୍ଚିଥିଲେ। ଭୂସ୍ଖଳନ ଭୟରେ ମଙ୍ଗଳବାରଠାରୁ ସିଲ୍‌ କରାଯାଇଥିବା ଏହି ଘାଟିର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସେ ଅନୁଧ୍ୟାନ କରିବା ସହ ଉପସ୍ଥିତ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ସହ ସମୀକ୍ଷା କରିଥିଲେ।

ଏହାପରେ ମନ୍ତ୍ରୀ ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ଡ଼ୁଲୁରୀ ରାସ୍ତାକୁ ଯାଇଥିଲେ। ସେଠାରେ ୨ଟି ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ହୋଇଥିବା ଦେଖି ମନ୍ତ୍ରୀ ନିଜେ ଉପସ୍ଥିତ ରହି ଗଛ ଗୁଡ଼ିକୁ ହଟାଇବାର ବ୍ୟବସ୍ଥା କରିଥିଲେ, ଯାହା ଫଳରେ ବ୍ରାହ୍ମଣୀଗାଁକୁ ଯାତାୟାତ ପୁଣି ସ୍ୱାଭାବିକ ହୋଇପାରିଛି।

ପରେ ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ବାତ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ଗସ୍ତ ସମୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (କନ୍ଧମାଳ)ର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଜିଲାପାଳ ବେଦଭୂଷଣ, ଭାଜପା ପ୍ରତିନିଧି ମଣ୍ଡଳୀ ଏବଂ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ, ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଦାରିଙ୍ଗବାଡ଼ି ଅଞ୍ଚଳରେ ବିଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ଗତ ୨ ଦିନ ହେଲା ଦାରିଙ୍ଗବାଡ଼ି ବ୍ଲକ୍‌ର ୨୫ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଅନ୍ଧାରରେ ରହିଛି। ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା ଯୋଗୁଁ ମୋବାଇଲ ନେଟୱାର୍କ ଓ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।

ଏହାଯୋଗୁଁ ବ୍ୟାଙ୍କ, ଜନସେବା କେନ୍ଦ୍ର ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଏକାଧିକ ଗ୍ରାମରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ସହ ତାର ଛିଣ୍ଡି ପଡ଼ିଥିବା ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share