ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ ୧୨ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏପଟେ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଏସବୁ ପ୍ରଭାବରେ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହିପରି ଅକ୍ଟୋବର ୨ରେ ମଧ୍ୟ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେଣୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ବଜ୍ରପାତ ସହ ବର୍ଷାପବନ ନେଇ ୟେଲୋ ୱାର୍ନିଂ ଦିଆଯାଇଛି। ଅକ୍ଟୋବର ୩ରୁ ୭ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।
ଅନ୍ୟପକ୍ଷରେ ବୁଧବାର ଦିନ ତାପମାତ୍ରା ଅଧିକ ଥିଲା। ଝାରସୁଗୁଡ଼ା ଓ ନୟାଗଡ଼ରେ ସର୍ବାଧିକ ତାପମାତ୍ରା ୩୫.୫ ଡିଗ୍ରୀ ରେକର୍ଡ ହୋଇଥିଲାବେଳେ ଚାନ୍ଦବାଲି ୩୫.୨ ଡିଗ୍ରୀ, ବାଲେଶ୍ୱର, ତାଳଚେର, ଛତ୍ରପୁର, ପାରଳାଖେମୁଣ୍ଡି ଓ ଭଦ୍ରକରେ ୩୫ ଡିଗ୍ରୀ, ଭୁବନେଶ୍ୱରରେ ତାପମାତ୍ରା ୩୪. ୫ ଡିଗ୍ରୀ ଛୁଇଁଥିଲା। ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨୯.୫ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦିଆଯାଇଛି।