ଅନ୍‌ଲାଇନ ଟ୍ରେଡିଂରେ ସାଇବର ଠକ

ଯୁଧିଷ୍ଠିର ମହାରଣା

 

ରାତାରାତି ବଡ଼ଲୋକ ହେବା ପାଇଁ ଆମ ଗହଣରେ ଥିବା ଅନେକ ଲୋକ ଇଚ୍ଛା ରଖନ୍ତି। ବିନା ପରିଶ୍ରମରେ ଘରେ ବସି କିପରି ଗୋଡ଼ ଲମ୍ବାଇ ବଡ଼ ଲୋକ ହୋଇଯିବ ଏହି ଚିନ୍ତାଧାରା ହିଁ କିଛି ଲୋକଙ୍କ ପାଇଁ କେବଳ ବିପଜ୍ଜନକ ସାବ୍ୟସ୍ତ ହୋଇ ନ ଥାଏ ବରଂ ଜଣ ଜଣଙ୍କୁ ଅର୍ଥସ୍ବାନ୍ତ କରି କାଙ୍ଗାଳ କରିଦିଏ। ଆଉ କେହି କେହି ଅନ୍ୟ ବ୍ୟକ୍ତି ବା ସଂସ୍ଥାଠାରୁ ଆଣିଥିବା କରଜ ଶୁଝିବା ପାଇଁ ନିଜ ମୂଲ୍ୟବାନ ଜୀବନକୁ ହାରିବା ପାଇଁ ବାଧ୍ୟ ହୋଇଥାନ୍ତି। ସାଇବର ଠକମାନେ ଅନ୍‌ଲାଇନ ଟ୍ରେଡିଂ ନାମରେ କୋଟି କୋଟି ଟଙ୍କା ଲୁଟ୍‌ କରି ଅନେକଙ୍କୁ ରାସ୍ତା କଡ଼ର ଭିକାରି କରିଦେଉଥିଲେ ମଧ୍ୟ ଏ ଖବରକୁ ଲୋକମାନେ ଗଣମାଧ୍ୟମରୁ ଜାଣିବା ସତ୍ତ୍ୱେ ନିଜକୁ ସୁଧାରି ପାରୁନାହାନ୍ତି। ଆଜିକାଲି ଠକମାନେ ଅନ୍‌ଲାଇନର ବଡ଼ ସାହାଯ୍ୟ ନେଉଛନ୍ତି। କାରଣ ସୂଚନା ପ୍ରଯୁକ୍ତିର ଅତ୍ୟାଧୁନିକ କୌଶଳ ଏଥିରେ ରହିଥିବାରୁ ଲୋକଙ୍କ ପାଖକୁ ପ୍ରତିଦିନ ସେମାନଙ୍କ ହାତ ପାଖରେ ଥିବା ମୋବାଇଲ ଫୋନ୍‌କୁ ଅନେକ ମିଛ ପ୍ରଲୋଭନର ସୂଚନା ଆସୁଛି। ଲୋକମାନେ ଏ ସମ୍ବନ୍ଧରେ କୌଣସି ତଦନ୍ତ ନ କରି ବା ଭଲ ଭାବେ କୌଣସି ତଥ୍ୟ ସଂଗ୍ରହ ନକରି କିପରି ଇଜି ମନି ରୋଜଗାର ଦ୍ୱାରା ବଡ଼ଲୋକ ହୋଇଯିବେ ଏହି ଚିନ୍ତାଧାରା ହିଁ ସେମାନଙ୍କୁ ତଳିତଳାନ୍ତ କରିଦେଉଛି।
ସାଇବର ଠକେଇ ଦିନକୁ ଦିନ ବଢ଼ି ଚାଲୁଥିବାବେଳେ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ଠକଙ୍କୁ ମଧ୍ୟ ଧରିବା ସହଜ ହେଉନାହିଁ। ଏହି ଠକମାନେ ଅନ୍‌ଲାଇନ ଟ୍ରେଡିଂକୁ ମାଧ୍ୟମ କରି ସମ୍ପ୍ରତି ସକ୍ରିୟ ହୋଇପଡ଼ିଛନ୍ତି। ଅନ୍‌ଲାଇନ ଟ୍ରେଡିଂ କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରି ସାଇବର ଠକମାନେ ଲୁଟି ଚାଲିଛନ୍ତି। ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ମଧ୍ୟ ଏଭଳି ମାମଲା ବଢ଼ିବା ଦେଖିବାକୁ ମିଳିଲାଣି। ସାଇବର ଥାନା ସୂତ୍ରରୁ ମିଳିଥିବା ସୂଚନାନୁସାରେ ପ୍ରାୟ ୫୦ରୁ ଅଧିକ ମାମଲା ରୁଜୁ ହୋଇଛି। ଅଭିଯୋଗକାରୀମାନେ ପ୍ରାୟ ଅଧ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏହି ମାମଲାରେ କାହାକୁ ଗିରଫ କରାଯାଇନାହିଁ। କିନ୍ତୁ ତଦନ୍ତ ଜାରି ରହିଛି ବୋଲି ସାଇବର ଥାନା ପୋଲିସ ସୂଚନା ଦେଇଛି। ଅନ୍‌ଲାଇନ ଟ୍ରେଡିଂରେ ବହୁ ବ୍ୟବସାୟୀ ଓ ଯୁବପିଢ଼ି ଏହି ବ୍ୟବସାୟ କରି ଲାଭବାନ ହୋଇଥାଆନ୍ତି। ଏବେ ଏହି ବ୍ୟବସାୟକୁ ଟାର୍ଗେଟ କରିଛନ୍ତି ସାଇବର ଠକ। ଠକ ନିଜକୁ ଜଣେ ବ୍ରୋକର ଭାବେ ପରିଚୟ ଦେଇ ସୋସିଆଲ ମିଡ଼ିଆରେ ଲୋକଙ୍କ ସହ ଯୋଡ଼ି ହୋଇଥାନ୍ତି। ବିଶ୍ୱାସଭାଜନ ହେବାକୁ ନାନା ମନଭୁଲା କଥା କହିଥାଆନ୍ତି। ତା’ ଜରିଆରେ ଟ୍ରେଡିଂ କରି କିଭଳି ବହୁତ ଲୋକ ଲକ୍ଷ ଲକ୍ଷ ଟଙ୍କା ଲାଭ କରିଛନ୍ତି ସେ ସବୁର କାହାଣୀ ଶୁଣାନ୍ତି। ବିଶ୍ୱାସ ଜନ୍ମାଇବାକୁ ବିଭିନ୍ନ ଲୋକଙ୍କ ପୋର୍ଟଫୋଲିଓ ଦେଖାଇଥାନ୍ତି। କିନ୍ତୁ ସେ ସବୁ ନକଲି ଥାଏ। ଏହାପରେ ଠକ ବିଭିନ୍ନ ନକଲି ୱେବସାଇଟ ଜରିଆରେ ଟ୍ରେଡିଂ କରିବାକୁ ପ୍ରବର୍ତ୍ତାଇଥାନ୍ତି। ବିଭିନ୍ନ କମ୍ପାନୀର ଷ୍ଟକ୍‌, ବଣ୍ଡ୍‌, ମ୍ୟୁଚୁଆଲ ଫଣ୍ଡ ଓ ଆସେଟ ଇତ୍ୟାଦିରେ ଟଙ୍କା ବିନିଯୋଗ କରିବାକୁ ଲୋଭ ଦେଖାଇଥାନ୍ତି। ସେହିଭଳି ଅନ୍‌ଲାଇନ ଟ୍ରେଡିଂ ବାବଦରେ ଜାଣିବାକୁ ଇଣ୍ଟରନେଟ ସର୍ଚ୍ଚ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଟାର୍ଗେଟ କରନ୍ତି ଏହି ଗ୍ୟାଙ୍ଗ। ସାଇବର ଠକ ତାଙ୍କ ଆଇପି ଆଡ୍ରେସରୁ ସବୁ ତଥ୍ୟ ହାତେଇବା ପରେ ଫୋନ୍‌ ନମ୍ବର ଟେଲିଗ୍ରାମ୍‌ କିମ୍ବା ଅଧିକ ଟଙ୍କା ବିନିଯୋଗ କରିବାକୁ ଲୋଭ ଦେଖାନ୍ତି। କିନ୍ତୁ ଟଙ୍କା ଉଠାଇବାକୁ ମଉକା ଦିଅନ୍ତି ନାହିଁ। କେବଳ ୱେବସାଇଟରେ ଲାଭ କେତେ ହେଲା, ତାହା ଦେଖାଇ ଦିଅନ୍ତି। ଏମିତିରେ ସାଧାରଣତଃ କିଛି ବ୍ୟକ୍ତି ଲୋଭର ବଶବର୍ତ୍ତୀ ହୋଇ ଅଧିକ ପୁଞ୍ଜି ନିବେଶ କରନ୍ତି। ଏହା ଭିତରେ କେହି ଟଙ୍କା ଉଠାଇବାକୁ ଅଡ଼ି ବସିଲେ ଠକ ପାଲଟା ତାଙ୍କୁ ଧମକ ଦେଇଥାଏ। ଅଧାରୁ ଟଙ୍କା ଉଠାଇନେଲେ ମୂଳ କି କିଛି ଲାଭ ମିଳିବନାହିଁ। ଠକାମିର ଶିକାର ହେବା ସନ୍ଦେହ କରି ନିବେଶକାରୀ ଆଉ ଯଦି ଟଙ୍କା ନ ଲଗାଉଛି ତେବେ ଠକ ତା’ର ସାଇଟ ବନ୍ଦ କରିଦିଏ। ନିବେଶକାରୀ ଯେତେ ଚେଷ୍ଟା କଲେ ମଧ୍ୟ ସାଇଟ ଖୋଲିବାର ବାଟ ପାଏ ନାହିଁ।
ଏନେଇ ସାଇବର ଏକ୍ସପର୍ଟ କହିବା କଥା, ପ୍ରଥମତଃ ଅନ୍‌ଲାଇନ ଟ୍ରେଡିଂ କରୁଥିବା ବ୍ୟକ୍ତି ବୁଝିଯିବା ଉଚିତ ଯେ କୌଣସି କମ୍ପାନୀ ଦୁଇ ଦିନରେ ଟଙ୍କା ଡବଲ କରନ୍ତି ନାହିଁ। ସବୁ କମ୍ପାନୀ ଏକ ସୀମା ଭିତରେ ଲାଭ ଦେଇଥାନ୍ତି। ଏସବୁ ବିଷୟରେ ଜ୍ଞାନ ନଥିବା ବ୍ୟକ୍ତି ଏହି ବ୍ୟବସାୟରେ ଅଭିଜ୍ଞ ଲୋକଙ୍କ ସହ ପରାମର୍ଶ କରିବା ଉଚିତ। ପ୍ରଥମରୁ ଟଙ୍କା ଉଠାଣ ସମସ୍ୟା ହେଲା ତ ଆଗକୁ ନିବେଶ କରିବା ଅନୁଚିତ। ତୁରନ୍ତ ସାଇବର କ୍ରାଇମ ସେଲରେ ଜଣାଇବା ଦରକାର। କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ହରାଇ ସାରିବା ପରେ ଅଭିଯୋଗ ହେଉଛି। ସେତେବେଳକୁ ଠକ ସବୁ ଲୁଟି ସାରିଥାଏ ଆଉ ନିଜକୁ ଲୁଚାଇ ମଧ୍ୟ ସାରିଥାଏ। ତେଣୁ ଏଥିପ୍ରତି ସଜାଗ ରହିବା ଦରକାର। ପ୍ରଥମରୁ ସନ୍ଦେହ ହେଲେ ସାଇବର ସେଲର ସହଯୋଗ ନିଅନ୍ତୁ। ଆପଣଙ୍କ ଜୀବନର ମୂଲ୍ୟବାନ ପୁଞ୍ଜିକୁ କୌଣସି ସଫଳ ବ୍ୟବସାୟରେ ବିନିଯୋଗ ପୂର୍ବରୁ ଭଲ ଭାବରେ ଏ ନେଇ ସମସ୍ତ ଖବର ସଂଗ୍ରହ କରି ନୂଆ ବ୍ୟବସାୟରେ ପାଦ ଦିଅନ୍ତୁ ନଚେତ୍‌ ଆପଣ ସର୍ବସ୍ବାନ୍ତ ହେବା ସହ ଅନ୍ୟମାନଙ୍କ ପାଇଁ ବିପଦର କାରଣ ଯେପରି ନହୁଅନ୍ତି।
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ ମୋ : ୯୪୩୭୧୬୩୫୨୮


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri