ପ୍ରଶ୍ନବାଚୀରେ ନିର୍ବାଚନ କମିଶନ

ସୌଭାଗ୍ୟ ସୁନ୍ଦରରାୟ

 

ଭାରତବର୍ଷ ଏକ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତନ୍ତ୍ରରେ ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ନିର୍ବାଚନ ପରିଚାଳନା ପାଇଁ ରହିଛି ଭାରତୀୟ ନିର୍ବାଚନ କମିଶନ। ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରାଇବାର ଦାୟିତ୍ୱ ନିର୍ବାଚନ କମିଶନଙ୍କ ଉପରେ ନ୍ୟସ୍ତ ରହିଥାଏ। ତେବେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ନ୍ୟସ୍ତ ଥିବା ଦାୟିତ୍ୱକୁ ନିର୍ବାଚନ କମିଶନ ଠିକ୍‌ଭାବେ ପାଳନ କରୁଛନ୍ତି କି ନାହିଁ ତାହା ଏବେ ତର୍ଜମା କରିବାର ସମୟ ଆସିଛି। ଚଳିତ ନିର୍ବାଚନରେ ବିଭିନ୍ନ କାରଣରୁ ନିର୍ବାଚନ କମିଶନ ବିବାଦ ଘେରକୁ ଆସିଛନ୍ତି।
ପ୍ରଥମତଃ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବା ସମୟରେ ଅନ୍ୟତମ କମିଶନର ଅରୁଣ ଗୋଏଲ ଆକସ୍ମିକ ଭାବେ ଇସ୍ତଫା ପ୍ରଦାନକଲେ। ସେହିପରି ନିର୍ବାଚନ ତାରିଖ ଘୋଷଣାର ମାତ୍ର ଦୁଇଦିନ ପୂର୍ବରୁ ୨ ଜଣ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖ୍‌ବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତି ପ୍ରଦାନ କରାଗଲା। ଏହି ତରବରିଆ ନିଯୁକ୍ତି ବିରୋଧରେ ସୁପ୍ରିମ୍‌କୋର୍ଟରେ ମାମଲା ଦାଏର ହେଲା। ତେବେ ଏଥିରେ ଅଦାଲତ ହସ୍ତକ୍ଷେପ କରିବାକୁ ମନାକରିଥିଲେ। ଏହାଦ୍ୱାରା ନିର୍ବାଚନରେ ବିଭ୍ରାଟ ଦେଖାଦେଇପାରେ ବୋଲି ଅଦାଲତ ନିଜ କାରଣରେ ଦର୍ଶାଇଥିଲେ। ତେବେ ମାମଲାଟି ବିଚାରାଧୀନ ରହିଛି। ସେହିପରି ମତଦାନ ପ୍ରକ୍ରିୟା ଆରମ୍ଭ ହେବାପରେ ପ୍ରାରମ୍ଭିକ ଭୋଟ ହାର ଓ ଚୂଡ଼ାନ୍ତ ଭୋଟ ହାର ସମ୍ପର୍କରେ ନିର୍ବାଚନ କମିଶନର ତଥ୍ୟରେ ଅଧିକ ତାରତମ୍ୟ ରହୁଥିବା ବିଷୟକୁ ନେଇ ବିବାଦ ଦେଖାଦେଇଛି। ଏଥିପାଇଁ ନିର୍ବାଚନ କମିଶନଙ୍କ ନିକଟରୁ ୧୭(ସି) ଫର୍ମ ତଥ୍ୟ ଅର୍ଥାତ୍‌ ବୁଥ୍‌ୱାରି ଭୋଟଦାନର ହିସାବ ସୂଚନା ଅଧିକାର ଆଇନରେ ମଗାଯାଇଥିଲା। କମିଶନ ତାହା ଦେବାକୁ ମନାକରିଦେଲେ। ଏହି ମାମଲା ମଧ୍ୟ ସୁପ୍ରିମ୍‌କୋର୍ଟ ଯାଇଛି। ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ଅଦାଲତ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଇଏତ ଆଇନଗତ ଦିଗ। ଚଳିତ ବର୍ଷ ରିୟଲ ଟାଇମ୍‌ ମତଦାନ ହାର ଜଣାଇବା ପାଇଁ ନିର୍ବାଚନ କମିଶନ ଏକ ଆପ୍‌ ଖୋଲିଛନ୍ତି। ବାସ୍ତବରେ ଏଥିରେ ରିୟଲ ଟାଇମ୍‌ ତଥ୍ୟ ମିଳୁନାହିଁ। ୨୪ ଘଣ୍ଟାରେ ମଧ୍ୟ ତଥ୍ୟ ମିଳୁନାହିଁ। ଏହି ପ୍ରଶ୍ନ ଉଠିବାରୁ ନିର୍ବାଚନ ପ୍ରକ୍ରିୟାରେ ଦ୍ୱନ୍ଦ୍ୱ ସୃଷ୍ଟି ପାଇଁ ଉଦ୍ୟମ ହେଉଥିବା କମିଶନ କହୁଛନ୍ତି। ଏହା ଗ୍ରହଣୀୟ ନୁହେଁ। କମିଶନଙ୍କ ଆପ୍‌ ଠିକ୍‌ଭାବେ କାର୍ଯ୍ୟ କରୁନାହିଁ, କେବଳ ଲୋକଦେଖାଣିଆ ଭାବେ ଏହା କରାଯାଇଥିବା ମନେହୁଏ। ଏହାକୁ ଏକ ପରୀକ୍ଷା ନିରୀକ୍ଷା ଆପ୍‌ ଭାବେ କମିଶନ ଆରମ୍ଭ କରିପାରିଥାନ୍ତେ। ଏହି ଆପ୍‌କୁ ସାର୍ବଜନୀନ କରାଯିବା ଉଚିତ୍‌ ନ ଥିଲା। ସେହିପରି ବୁଥ୍‌ୱାରି ତଥ୍ୟ ପ୍ରଦାନ କରିବାରେ କମିଶନ କୁଣ୍ଠିତ। ଏପରି କରି କମିଶନ ଏକ ଅସ୍ବଚ୍ଛ ବ୍ୟବସ୍ଥା ମଧ୍ୟକୁ ଠେଲିହୋଇ ଯାଉଛନ୍ତି। ସ୍ବଚ୍ଛତା ଦ୍ୱାରା ଏକ ସଂସ୍ଥା ବିଶ୍ୱସନୀୟ ହୋଇଥାଏ। ଅସ୍ବଚ୍ଛ ଦ୍ୱାରା ସଂସ୍ଥା ଆଡ଼କୁ ଆଙ୍ଗୁଠି ଉଠିବା ସ୍ବାଭାବିକ୍‌। ବୁଥ୍‌ୱାରି ତଥ୍ୟ ସାର୍ବଜନୀନ ହୋଇସାରିଛି। ପ୍ରତି ବୁଥ୍‌ର ରାଜନୈତିକ ଦଳର ଏଜେଣ୍ଟ ଓ ପ୍ରାର୍ଥୀଙ୍କ ନିକଟରେ ଏହି ତଥ୍ୟ ରହିଥାଏ। ଏଣୁ ଆନୁଷ୍ଠାନିକ ଭାବେ ଏହି ତଥ୍ୟ ପ୍ରଦାନ କରିବାରେ ଅସୁବିଧା କେଉଁଠି? ଦେଶରେ ଭୋଟର ତାଲିକା ପ୍ରସ୍ତୁତ କରିବା, ଅଧିକରୁ ଅଧିକ ଭୋଟରଙ୍କୁ ତାଲିକାଭୁକ୍ତ କରିବା, ସ୍ବଚ୍ଛ ନିର୍ବାଚନ ପରିଚାଳନା କରିବା ଦାୟିତ୍ୱ ନିର୍ବାଚନ କମିଶନରଙ୍କର। ଏଥିସହ ମତଦାନ ହାର ବୃଦ୍ଧି କରାଇବା କମିଶନଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। କିନ୍ତୁ ଦେଖାଯାଇଛି ଏହି କାର୍ଯ୍ୟ ଆଶାନୁରୂପ ହୋଇପାରିନାହିଁ। ଦେଶର ସମସ୍ତ ଯୁବପିଢ଼ିଙ୍କୁ ଭୋଟର ତାଲିକାଭୁକ୍ତ କରିବାରେ କମିଶନ ସଫଳ ହୋଇପାରିନାହାନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ୧୮ରୁ ୧୯ ବର୍ଷ ବୟସ ମଧ୍ୟରେ ଥିବା ୩୮% ଭୋଟର ବା ୧ କୋଟି ୮୦ ଲକ୍ଷ ଭୋଟର ତାଲିକାଭୁକ୍ତ ହୋଇଥିବା ଜଣାପଡ଼ିଛି। ଅର୍ଥାତ୍‌ ୬୦%ରୁ ଅଧିକ ଭୋଟର ତାଲିକାଭୁକ୍ତ ହୋଇନାହାନ୍ତି। ବିହାର, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ତାଲିକାଭୁକ୍ତଙ୍କ ସଂଖ୍ୟା ଆହୁରି କମ୍‌ ରହିଛି। ଜନସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ଚଳିତ ନିର୍ବାଚନ ପାଇଁ ମୋଟ୍‌ ୪.୯ କୋଟି ନବ ଭୋଟର ତାଲିକାଭୁକ୍ତ ହେବାର ଆବଶ୍ୟକତା ଥିଲା। ୨୦୨୪ ନିର୍ବାଚନ ପାଇଁ ସର୍ବାଧିକ ୬୭% ନୂଆ ଭୋଟର ତେଲଙ୍ଗାନାରେ ପଞ୍ଜିକୃତ ହୋଇଥିବାବେଳେ ସବୁଠାରୁ କମ୍‌ ଭୋଟର ୧୭% ବିହାରରେ ପଞ୍ଜିକୃତ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ୨୧% ଭୋଟର ପଞ୍ଜିକୃତ ହୋଇଛନ୍ତି। ମହାରାଷ୍ଟ୍ରରେ ୨୭% ଭୋଟର ତାଲିକାଭୁକ୍ତ ହୋଇଥିବା ବେଳେ ଓଡ଼ିଶାରେ ୪୯% ପଞ୍ଜୀକରଣ ହୋଇଛି। ରାଜନୈତିକ ଦଳ ବା ନେତାଙ୍କ ପ୍ରତି ଅନାଗ୍ରହ ଓ ନାମ ଦରଜ ପାଇଁ ଆବଶ୍ୟକ କାଗଜପତ୍ର ବ୍ୟବସ୍ଥା ଯୋଗୁ ଯୁବପିଢ଼ି ଏଥିପ୍ରତି ଆଗ୍ରହ ପ୍ରକାଶ ନ କରିବା ଅନ୍ୟତମ କାରଣ ହୋଇପାରେ। ତେବେ ନିର୍ବାଚନ କମିଶନ ଅଳ୍ପ କିଛିଦିନ ପାଇଁ ବିଜ୍ଞାପନ ଦେଇ ଯିଏ ନାମ ତାଲିକାଭୁକ୍ତ କଲା ତ ଭଲ, ନ ହେଲେ ନାହିଁ ବୋଲି ମନୋଭାବ ଗ୍ରହଣ କରିବା ଅନୁଚିତ୍‌। ଯୁବ ଭୋଟର ତାଲିକାଭୁକ୍ତ ନିମନ୍ତେ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଘରୋଇ କମ୍ପାନୀ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆଦିରେ ଭୋଟର ପଞ୍ଜୀକରଣ ଶିବିର ଆୟୋଜନ କରାଯିବା ଆବଶ୍ୟକ। ଏଠାରେ ସମସ୍ତ ନିର୍ବାଚନମଣ୍ଡଳୀ ପାଇଁ ଭୋଟରଙ୍କୁ ତାଲିକାଭୁକ୍ତ କରାଯିବା ଆବଶ୍ୟକ। ଚଳିତ ବର୍ଷ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ନାମ ବାଦ୍‌ ପଡ଼ିଯାଇଥିବା ଦେଖାଯାଇଛି। ଓଡ଼ିଶାର ନିଆଳି ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବାରୁ ତାଙ୍କ ପ୍ରାର୍ଥତ୍ପତ୍ର ନାକଚ ହୋଇଯାଇଥିଲା। କୌତୂହଳର ବିଷୟ ଗତ ପଞ୍ଚାୟତ ନିର୍ବାଚନରେ ସେ ଭୋଟ ଦାନ କରିଥିଲେ। ଏହାକୁ ଏକ ଗୁରୁତର ଅପରାଧ ଭାବେ ବିବେଚନା କରାଯିବା ଆବଶ୍ୟକ।
ଏବେ ଦେଖିବା ମତଦାନ ହାର ବିଷୟକୁ। ଦେଶରେ ମତଦାନ ହାର ହ୍ରାସ ପାଇବା ଘଟଣା ଗଣତନ୍ତ୍ରର ଉଜ୍ଜ୍ୱଳ ଛବିକୁ ମଳିନ କରିଥାଏ। ପୂର୍ବ ନିର୍ବାଚନ ତୁଳନାରେ ଚଳିତଥର ମତଦାନ ପାଖାପାଖି ୩% ହ୍ରାସ ପାଇଛି। ୨୦୧୯ ନିର୍ବାଚନରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଯଥାକ୍ରମେ ୬୯.୪୩%, ୬୯.୬୪%, ୬୬% ମତଦାନ ହୋଇଥିବାବେଳେ ୨୦୨୪ ମସିହା ନିର୍ବାଚନରେ ଏହି ୩ ପର୍ଯ୍ୟାୟରେ ୬୬.୧୪%, ୬୬.୭୧% ଓ ୬୪.୫% ମତଦାନ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ମତଦାନ ପୂର୍ବ ତୁଳନାରେ ଦଶମିକ ୪% କମ୍‌ ରହିଛି। ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟରେ ଭୋଟଦାନ ହାର ଯଥାକ୍ରମେ ୬୨.୨% ଓ ୬୩.୪% ଥିଲା। ୨୦୧୯ ନିର୍ବାଚନରେ ଏହି ପର୍ଯ୍ୟାୟର ଭୋଟ ହାର ଥିଲା ୬୨.୫%। ପ୍ରଥମ ୫ ପର୍ଯ୍ୟାୟ ଭୋଟ ବିଶ୍ଳେଷଣରୁ ଜଣାଯାଇଛି ଯେ, ଏହି ସମୟରେ ମତଦାନ ହୋଇଥିବା ମୋଟ ୪୦୯ଟି ଲୋକ ସଭା କ୍ଷେତ୍ର ମଧ୍ୟରୁ ୨୦୧୯ ନିର୍ବାଚନ ତୁଳନାରେ ୨୫୮ଟି ଆସନରେ ମତଦାନ ହାର ହ୍ରାସ ପାଇଛି। ୮୮ଟିରେ ମତଦାନ ବୃଦ୍ଧି ପାଇଛି। ଗ୍ରୀଷ୍ମପ୍ରବାହ ଏହାର ଏକ କାରଣ ବୋଲି କୁହାଯାଉଛି। କିନ୍ତୁ ଏହା ସେତେଟା ଗ୍ରହଣୀୟ ନୁହେଁ। କାରଣ ୨୦୧୯ ନିର୍ବାଚନ ମଧ୍ୟ ଏହି ଗ୍ରୀଷ୍ମପ୍ରବାହ ମଧ୍ୟରେ ହୋଇଥିଲା। ବିଭିନ୍ନ କାରଣ ପାଇଁ ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ ନିମନ୍ତେ ଭୋଟର ନିରୁତ୍ସାହିତ ହୋଇପଡ଼ୁଛନ୍ତି।
ଭୋଟଦାନ ହାର ହ୍ରାସ ପାଇବା ସହ ଯୁବପିଢ଼ି ଭୋଟର ତାଲିକାଭୁକ୍ତ ହେବାରେ ଆଗ୍ରହ ପ୍ରକାଶ କରୁ ନ ଥିବା ବିଷୟ ନିର୍ବାଚନ କମିଶନଙ୍କ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କେବଳ ଶାନ୍ତି ଶୃଙ୍ଖଳାର ମତଦାନ କରାଇବା ଘଟଣାକୁ ଯଦି ନିର୍ବାଚନ କମିଶନ ଅଗ୍ରାଧିକାର ବୋଲି ଭାବୁଥାନ୍ତି ତାହା ଠିକ୍‌ ନୁହେଁ। ଗଣତନ୍ତ୍ରର ଶକ୍ତି ଭୋଟରେ ନିହିତ ରହିଛି। ଭୋଟଦାନ ବୃଦ୍ଧି ନ ପାଇଲେ ଗଣତନ୍ତ୍ର ଦୁର୍ବଳ ହେବ। ଏଣୁ ଭୋଟର ପଞ୍ଜୀକରଣ ଓ ଭୋଟର ସଚେତନତା କାର୍ଯ୍ୟକ୍ରମ ନିର୍ବାଚନର କିଛି ମାସ ପୂର୍ବରୁ କରା ନ ଯାଇ ଏହା ନିୟମିତ କରାଯିବାର ଆବଶ୍ୟକତା ରହିଛି।
ମୋ:୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri