ପ୍ରଶ୍ନବାଚୀରେ ନିର୍ବାଚନ କମିଶନ

ସୌଭାଗ୍ୟ ସୁନ୍ଦରରାୟ

 

ଭାରତବର୍ଷ ଏକ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତନ୍ତ୍ରରେ ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ନିର୍ବାଚନ ପରିଚାଳନା ପାଇଁ ରହିଛି ଭାରତୀୟ ନିର୍ବାଚନ କମିଶନ। ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରାଇବାର ଦାୟିତ୍ୱ ନିର୍ବାଚନ କମିଶନଙ୍କ ଉପରେ ନ୍ୟସ୍ତ ରହିଥାଏ। ତେବେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ନ୍ୟସ୍ତ ଥିବା ଦାୟିତ୍ୱକୁ ନିର୍ବାଚନ କମିଶନ ଠିକ୍‌ଭାବେ ପାଳନ କରୁଛନ୍ତି କି ନାହିଁ ତାହା ଏବେ ତର୍ଜମା କରିବାର ସମୟ ଆସିଛି। ଚଳିତ ନିର୍ବାଚନରେ ବିଭିନ୍ନ କାରଣରୁ ନିର୍ବାଚନ କମିଶନ ବିବାଦ ଘେରକୁ ଆସିଛନ୍ତି।
ପ୍ରଥମତଃ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବା ସମୟରେ ଅନ୍ୟତମ କମିଶନର ଅରୁଣ ଗୋଏଲ ଆକସ୍ମିକ ଭାବେ ଇସ୍ତଫା ପ୍ରଦାନକଲେ। ସେହିପରି ନିର୍ବାଚନ ତାରିଖ ଘୋଷଣାର ମାତ୍ର ଦୁଇଦିନ ପୂର୍ବରୁ ୨ ଜଣ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖ୍‌ବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତି ପ୍ରଦାନ କରାଗଲା। ଏହି ତରବରିଆ ନିଯୁକ୍ତି ବିରୋଧରେ ସୁପ୍ରିମ୍‌କୋର୍ଟରେ ମାମଲା ଦାଏର ହେଲା। ତେବେ ଏଥିରେ ଅଦାଲତ ହସ୍ତକ୍ଷେପ କରିବାକୁ ମନାକରିଥିଲେ। ଏହାଦ୍ୱାରା ନିର୍ବାଚନରେ ବିଭ୍ରାଟ ଦେଖାଦେଇପାରେ ବୋଲି ଅଦାଲତ ନିଜ କାରଣରେ ଦର୍ଶାଇଥିଲେ। ତେବେ ମାମଲାଟି ବିଚାରାଧୀନ ରହିଛି। ସେହିପରି ମତଦାନ ପ୍ରକ୍ରିୟା ଆରମ୍ଭ ହେବାପରେ ପ୍ରାରମ୍ଭିକ ଭୋଟ ହାର ଓ ଚୂଡ଼ାନ୍ତ ଭୋଟ ହାର ସମ୍ପର୍କରେ ନିର୍ବାଚନ କମିଶନର ତଥ୍ୟରେ ଅଧିକ ତାରତମ୍ୟ ରହୁଥିବା ବିଷୟକୁ ନେଇ ବିବାଦ ଦେଖାଦେଇଛି। ଏଥିପାଇଁ ନିର୍ବାଚନ କମିଶନଙ୍କ ନିକଟରୁ ୧୭(ସି) ଫର୍ମ ତଥ୍ୟ ଅର୍ଥାତ୍‌ ବୁଥ୍‌ୱାରି ଭୋଟଦାନର ହିସାବ ସୂଚନା ଅଧିକାର ଆଇନରେ ମଗାଯାଇଥିଲା। କମିଶନ ତାହା ଦେବାକୁ ମନାକରିଦେଲେ। ଏହି ମାମଲା ମଧ୍ୟ ସୁପ୍ରିମ୍‌କୋର୍ଟ ଯାଇଛି। ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ଅଦାଲତ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଇଏତ ଆଇନଗତ ଦିଗ। ଚଳିତ ବର୍ଷ ରିୟଲ ଟାଇମ୍‌ ମତଦାନ ହାର ଜଣାଇବା ପାଇଁ ନିର୍ବାଚନ କମିଶନ ଏକ ଆପ୍‌ ଖୋଲିଛନ୍ତି। ବାସ୍ତବରେ ଏଥିରେ ରିୟଲ ଟାଇମ୍‌ ତଥ୍ୟ ମିଳୁନାହିଁ। ୨୪ ଘଣ୍ଟାରେ ମଧ୍ୟ ତଥ୍ୟ ମିଳୁନାହିଁ। ଏହି ପ୍ରଶ୍ନ ଉଠିବାରୁ ନିର୍ବାଚନ ପ୍ରକ୍ରିୟାରେ ଦ୍ୱନ୍ଦ୍ୱ ସୃଷ୍ଟି ପାଇଁ ଉଦ୍ୟମ ହେଉଥିବା କମିଶନ କହୁଛନ୍ତି। ଏହା ଗ୍ରହଣୀୟ ନୁହେଁ। କମିଶନଙ୍କ ଆପ୍‌ ଠିକ୍‌ଭାବେ କାର୍ଯ୍ୟ କରୁନାହିଁ, କେବଳ ଲୋକଦେଖାଣିଆ ଭାବେ ଏହା କରାଯାଇଥିବା ମନେହୁଏ। ଏହାକୁ ଏକ ପରୀକ୍ଷା ନିରୀକ୍ଷା ଆପ୍‌ ଭାବେ କମିଶନ ଆରମ୍ଭ କରିପାରିଥାନ୍ତେ। ଏହି ଆପ୍‌କୁ ସାର୍ବଜନୀନ କରାଯିବା ଉଚିତ୍‌ ନ ଥିଲା। ସେହିପରି ବୁଥ୍‌ୱାରି ତଥ୍ୟ ପ୍ରଦାନ କରିବାରେ କମିଶନ କୁଣ୍ଠିତ। ଏପରି କରି କମିଶନ ଏକ ଅସ୍ବଚ୍ଛ ବ୍ୟବସ୍ଥା ମଧ୍ୟକୁ ଠେଲିହୋଇ ଯାଉଛନ୍ତି। ସ୍ବଚ୍ଛତା ଦ୍ୱାରା ଏକ ସଂସ୍ଥା ବିଶ୍ୱସନୀୟ ହୋଇଥାଏ। ଅସ୍ବଚ୍ଛ ଦ୍ୱାରା ସଂସ୍ଥା ଆଡ଼କୁ ଆଙ୍ଗୁଠି ଉଠିବା ସ୍ବାଭାବିକ୍‌। ବୁଥ୍‌ୱାରି ତଥ୍ୟ ସାର୍ବଜନୀନ ହୋଇସାରିଛି। ପ୍ରତି ବୁଥ୍‌ର ରାଜନୈତିକ ଦଳର ଏଜେଣ୍ଟ ଓ ପ୍ରାର୍ଥୀଙ୍କ ନିକଟରେ ଏହି ତଥ୍ୟ ରହିଥାଏ। ଏଣୁ ଆନୁଷ୍ଠାନିକ ଭାବେ ଏହି ତଥ୍ୟ ପ୍ରଦାନ କରିବାରେ ଅସୁବିଧା କେଉଁଠି? ଦେଶରେ ଭୋଟର ତାଲିକା ପ୍ରସ୍ତୁତ କରିବା, ଅଧିକରୁ ଅଧିକ ଭୋଟରଙ୍କୁ ତାଲିକାଭୁକ୍ତ କରିବା, ସ୍ବଚ୍ଛ ନିର୍ବାଚନ ପରିଚାଳନା କରିବା ଦାୟିତ୍ୱ ନିର୍ବାଚନ କମିଶନରଙ୍କର। ଏଥିସହ ମତଦାନ ହାର ବୃଦ୍ଧି କରାଇବା କମିଶନଙ୍କ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। କିନ୍ତୁ ଦେଖାଯାଇଛି ଏହି କାର୍ଯ୍ୟ ଆଶାନୁରୂପ ହୋଇପାରିନାହିଁ। ଦେଶର ସମସ୍ତ ଯୁବପିଢ଼ିଙ୍କୁ ଭୋଟର ତାଲିକାଭୁକ୍ତ କରିବାରେ କମିଶନ ସଫଳ ହୋଇପାରିନାହାନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ୧୮ରୁ ୧୯ ବର୍ଷ ବୟସ ମଧ୍ୟରେ ଥିବା ୩୮% ଭୋଟର ବା ୧ କୋଟି ୮୦ ଲକ୍ଷ ଭୋଟର ତାଲିକାଭୁକ୍ତ ହୋଇଥିବା ଜଣାପଡ଼ିଛି। ଅର୍ଥାତ୍‌ ୬୦%ରୁ ଅଧିକ ଭୋଟର ତାଲିକାଭୁକ୍ତ ହୋଇନାହାନ୍ତି। ବିହାର, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ତାଲିକାଭୁକ୍ତଙ୍କ ସଂଖ୍ୟା ଆହୁରି କମ୍‌ ରହିଛି। ଜନସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ଚଳିତ ନିର୍ବାଚନ ପାଇଁ ମୋଟ୍‌ ୪.୯ କୋଟି ନବ ଭୋଟର ତାଲିକାଭୁକ୍ତ ହେବାର ଆବଶ୍ୟକତା ଥିଲା। ୨୦୨୪ ନିର୍ବାଚନ ପାଇଁ ସର୍ବାଧିକ ୬୭% ନୂଆ ଭୋଟର ତେଲଙ୍ଗାନାରେ ପଞ୍ଜିକୃତ ହୋଇଥିବାବେଳେ ସବୁଠାରୁ କମ୍‌ ଭୋଟର ୧୭% ବିହାରରେ ପଞ୍ଜିକୃତ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ୨୧% ଭୋଟର ପଞ୍ଜିକୃତ ହୋଇଛନ୍ତି। ମହାରାଷ୍ଟ୍ରରେ ୨୭% ଭୋଟର ତାଲିକାଭୁକ୍ତ ହୋଇଥିବା ବେଳେ ଓଡ଼ିଶାରେ ୪୯% ପଞ୍ଜୀକରଣ ହୋଇଛି। ରାଜନୈତିକ ଦଳ ବା ନେତାଙ୍କ ପ୍ରତି ଅନାଗ୍ରହ ଓ ନାମ ଦରଜ ପାଇଁ ଆବଶ୍ୟକ କାଗଜପତ୍ର ବ୍ୟବସ୍ଥା ଯୋଗୁ ଯୁବପିଢ଼ି ଏଥିପ୍ରତି ଆଗ୍ରହ ପ୍ରକାଶ ନ କରିବା ଅନ୍ୟତମ କାରଣ ହୋଇପାରେ। ତେବେ ନିର୍ବାଚନ କମିଶନ ଅଳ୍ପ କିଛିଦିନ ପାଇଁ ବିଜ୍ଞାପନ ଦେଇ ଯିଏ ନାମ ତାଲିକାଭୁକ୍ତ କଲା ତ ଭଲ, ନ ହେଲେ ନାହିଁ ବୋଲି ମନୋଭାବ ଗ୍ରହଣ କରିବା ଅନୁଚିତ୍‌। ଯୁବ ଭୋଟର ତାଲିକାଭୁକ୍ତ ନିମନ୍ତେ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଘରୋଇ କମ୍ପାନୀ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆଦିରେ ଭୋଟର ପଞ୍ଜୀକରଣ ଶିବିର ଆୟୋଜନ କରାଯିବା ଆବଶ୍ୟକ। ଏଠାରେ ସମସ୍ତ ନିର୍ବାଚନମଣ୍ଡଳୀ ପାଇଁ ଭୋଟରଙ୍କୁ ତାଲିକାଭୁକ୍ତ କରାଯିବା ଆବଶ୍ୟକ। ଚଳିତ ବର୍ଷ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ନାମ ବାଦ୍‌ ପଡ଼ିଯାଇଥିବା ଦେଖାଯାଇଛି। ଓଡ଼ିଶାର ନିଆଳି ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବାରୁ ତାଙ୍କ ପ୍ରାର୍ଥତ୍ପତ୍ର ନାକଚ ହୋଇଯାଇଥିଲା। କୌତୂହଳର ବିଷୟ ଗତ ପଞ୍ଚାୟତ ନିର୍ବାଚନରେ ସେ ଭୋଟ ଦାନ କରିଥିଲେ। ଏହାକୁ ଏକ ଗୁରୁତର ଅପରାଧ ଭାବେ ବିବେଚନା କରାଯିବା ଆବଶ୍ୟକ।
ଏବେ ଦେଖିବା ମତଦାନ ହାର ବିଷୟକୁ। ଦେଶରେ ମତଦାନ ହାର ହ୍ରାସ ପାଇବା ଘଟଣା ଗଣତନ୍ତ୍ରର ଉଜ୍ଜ୍ୱଳ ଛବିକୁ ମଳିନ କରିଥାଏ। ପୂର୍ବ ନିର୍ବାଚନ ତୁଳନାରେ ଚଳିତଥର ମତଦାନ ପାଖାପାଖି ୩% ହ୍ରାସ ପାଇଛି। ୨୦୧୯ ନିର୍ବାଚନରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଯଥାକ୍ରମେ ୬୯.୪୩%, ୬୯.୬୪%, ୬୬% ମତଦାନ ହୋଇଥିବାବେଳେ ୨୦୨୪ ମସିହା ନିର୍ବାଚନରେ ଏହି ୩ ପର୍ଯ୍ୟାୟରେ ୬୬.୧୪%, ୬୬.୭୧% ଓ ୬୪.୫% ମତଦାନ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ମତଦାନ ପୂର୍ବ ତୁଳନାରେ ଦଶମିକ ୪% କମ୍‌ ରହିଛି। ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟରେ ଭୋଟଦାନ ହାର ଯଥାକ୍ରମେ ୬୨.୨% ଓ ୬୩.୪% ଥିଲା। ୨୦୧୯ ନିର୍ବାଚନରେ ଏହି ପର୍ଯ୍ୟାୟର ଭୋଟ ହାର ଥିଲା ୬୨.୫%। ପ୍ରଥମ ୫ ପର୍ଯ୍ୟାୟ ଭୋଟ ବିଶ୍ଳେଷଣରୁ ଜଣାଯାଇଛି ଯେ, ଏହି ସମୟରେ ମତଦାନ ହୋଇଥିବା ମୋଟ ୪୦୯ଟି ଲୋକ ସଭା କ୍ଷେତ୍ର ମଧ୍ୟରୁ ୨୦୧୯ ନିର୍ବାଚନ ତୁଳନାରେ ୨୫୮ଟି ଆସନରେ ମତଦାନ ହାର ହ୍ରାସ ପାଇଛି। ୮୮ଟିରେ ମତଦାନ ବୃଦ୍ଧି ପାଇଛି। ଗ୍ରୀଷ୍ମପ୍ରବାହ ଏହାର ଏକ କାରଣ ବୋଲି କୁହାଯାଉଛି। କିନ୍ତୁ ଏହା ସେତେଟା ଗ୍ରହଣୀୟ ନୁହେଁ। କାରଣ ୨୦୧୯ ନିର୍ବାଚନ ମଧ୍ୟ ଏହି ଗ୍ରୀଷ୍ମପ୍ରବାହ ମଧ୍ୟରେ ହୋଇଥିଲା। ବିଭିନ୍ନ କାରଣ ପାଇଁ ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ ନିମନ୍ତେ ଭୋଟର ନିରୁତ୍ସାହିତ ହୋଇପଡ଼ୁଛନ୍ତି।
ଭୋଟଦାନ ହାର ହ୍ରାସ ପାଇବା ସହ ଯୁବପିଢ଼ି ଭୋଟର ତାଲିକାଭୁକ୍ତ ହେବାରେ ଆଗ୍ରହ ପ୍ରକାଶ କରୁ ନ ଥିବା ବିଷୟ ନିର୍ବାଚନ କମିଶନଙ୍କ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କେବଳ ଶାନ୍ତି ଶୃଙ୍ଖଳାର ମତଦାନ କରାଇବା ଘଟଣାକୁ ଯଦି ନିର୍ବାଚନ କମିଶନ ଅଗ୍ରାଧିକାର ବୋଲି ଭାବୁଥାନ୍ତି ତାହା ଠିକ୍‌ ନୁହେଁ। ଗଣତନ୍ତ୍ରର ଶକ୍ତି ଭୋଟରେ ନିହିତ ରହିଛି। ଭୋଟଦାନ ବୃଦ୍ଧି ନ ପାଇଲେ ଗଣତନ୍ତ୍ର ଦୁର୍ବଳ ହେବ। ଏଣୁ ଭୋଟର ପଞ୍ଜୀକରଣ ଓ ଭୋଟର ସଚେତନତା କାର୍ଯ୍ୟକ୍ରମ ନିର୍ବାଚନର କିଛି ମାସ ପୂର୍ବରୁ କରା ନ ଯାଇ ଏହା ନିୟମିତ କରାଯିବାର ଆବଶ୍ୟକତା ରହିଛି।
ମୋ:୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଜଳବାୟୁଭିତ୍ତିକ ଶିକ୍ଷା ପ୍ରଣାଳୀ

ଈପ୍ସିତା ମହାନ୍ତି   ଜୀବନଧାରଣ ପାଇଁ ପ୍ରକୃତି ଆମକୁ ସବୁକିଛି ଦେଇଛି। ପ୍ରକୃତି ସହ ଆମର ଏହି ନିବିଡ଼ତା ପରିପ୍ରେକ୍ଷୀରେ ଏକ ଅଧା ଅଧୁରା ବିକାଶର...

ଗୁଣିଗାରେଡ଼ି ନୁହେଁ, ଚିକିତ୍ସା ଦରକାର

ଡା. ସମ୍ରାଟ କର     ଅନେକ ଦିନ ପରେ ବନ୍ଧୁ ସତ୍ୟଦୀପ ଦେଖାହୋଇଗଲେ ଓ ତାଙ୍କର ଜଣେ ପରିଚିତ ମହିଳାଙ୍କ ଶାରୀରିକ ସମସ୍ୟା କଥାରୁ...

ସ୍ବାସ୍ଥ୍ୟସେବାରେ ପିପିପି ମଡେଲ

ତିତିର ଭଟ୍ଟାଚାର୍ଯ୍ୟ              ତନିକା ଚକ୍ରବର୍ତ୍ତୀ   ବର୍ଷେ କିମ୍ବା ୨ ବର୍ଷ ମଧ୍ୟରେ ନିମ୍ନ ଓ ମଧ୍ୟମ...

ଆମ ଭୁଲ୍‌

ମମାନଙ୍କର ଏକ ଅତି ସାଧାରଣ ପ୍ରକୃତି ହେଉଛି ଏୟା ଯେ କୌଣସି ଭୁଲ୍‌ କରିଛୁ ବୋଲି ଆମେ ସ୍ବୀକାର କରିବାକୁ ରାଜି ନ ଥାଉ। ଆମ...

ପ୍ରହେଳିକା

ଜନ୍ମରୁ ମୃତ୍ୟୁ ଯାଏ କେବଳ ଆଲୋକ ଆଉ ଅନ୍ଧକାରର ଖେଳ। ଏଇ ଆଲୁଅ ଅନ୍ଧାରର ପ୍ରହେଳିକାମୟ ଲୁଚକାଳି ଖେଳ ଭିତରେ ମଣିଷ ଖୋଜି ଚାଲିଛି ଚିରନ୍ତନ...

ଏଇ ଭାରତରେ

ତିନିଚକିଆ ସାଇକେଲ, ତାହା ପୁଣି ଚାଲୁଛି ସୌର ଶକ୍ତିରେ। ଏମିତିକା ସାଇକେଲ ତିଆରି କରିଛନ୍ତି କୋଚିର ଦୁଇ ଇଞ୍ଜିନିୟର ଅଜିମ ହସ୍‌ମି ଏବଂ ଅବଦୁଲ ହଡି...

ଇଣ୍ଟରନେଟ୍‌ ପାଠ

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ (ସିବିଏସ୍‌ଇ) ଅନୁବନ୍ଧିତ ସ୍କୁଲଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନ ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଏଡୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ...

ଏଇ ଭାରତରେ

ଆମ ଦେଶରେ କୃଷି ଉପତ୍ାଦ ଓ ବଜାର ମଧ୍ୟରେ ମଧ୍ୟସ୍ଥିଙ୍କ ଉପସ୍ଥିତି ଯୋଗୁ ଚାଷୀ କମ୍‌ ଲାଭ ପାଉଛନ୍ତି। ଏଭଳି ସମସ୍ୟାକୁ ଦୂର କରି ଭଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri