ଗ୍ଲାସ୍ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮ ସଂସ୍କରଣର ଚାମ୍ପିୟନ ନୀରଜ ୭୯.୬୧ ମି. ଥ୍ରୋ ସହିତ ପଞ୍ଚମ ସ୍ଥାନରେ ରହିଥିବା ବେଳେ ରୋହିତ (୭୮.୩୭ ମି.) ଓ ଯଶବୀର ସିଂ (୭୮.୩୬ ମି.) ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ରହିଛନ୍ତି।
ପ୍ରତ୍ୟେକ ରାଉଣ୍ଡରେ ଅନ୍ତିମ ଥ୍ରୋୟର ଭାବେ ଭାଗ ନେଇଥିବା ୨୮ ବର୍ଷୀୟ ନୀରଜ ତାଙ୍କର ତୃତୀୟ ତଥା ଅନ୍ତିମ ଉଦ୍ୟମରେ ଭାଗ ନେଇଥିଲେ। ବିପରିତ ଦିଗରୁ ପବନ ବହିବା ସହ ୧୮ ଡିଗ୍ରୀ ସେଲସିୟସ ତାପମାତ୍ର କାରଣରୁ କୌଣସି ଥ୍ରୋୟର ସିଧାସଳଖ ଫାଇନାଲ ଯୋଗ୍ୟତା ଲାଗି ଧାର୍ଯ୍ୟ ୮୪ ମି. ମାର୍କ ଅତିକ୍ରମ କରିପାରି ନ ଥିଲେ। କେବଳ ୪ ପ୍ରତିଦ୍ୱନ୍ଦ୍ୱୀ ୮୦ ମି. ମାର୍କ ଅତିକ୍ରମ କରିପାରି ଥିଲେ। ଫର୍ମରେ ଥିବା ଶ୍ରୀଲଙ୍କାର ରମେଶ ଥରାଙ୍ଗା ପାଥିରେଗ ପ୍ରଥମ ରାଉଣ୍ଡ ଥ୍ରୋରେ ସର୍ବାଧିକ ୮୨.୮୪ ମି ଦୂରତା ହାସଲ କରିଥିଲେ।
ଗତ ସଂସ୍କରଣର ରୌପ୍ୟ ପଦକ ବିଜୟୀ ଗ୍ରେନାଡାର ଆଣ୍ଡରସନ ପିଟର୍ସ (୮୧.୨୯ ମି.) କ୍ୱାଲିଫିକେଶନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପ୍ୟାରିସ ଅଲିମ୍ପିକ୍ ଓ ଡିଫେଣ୍ଡିଂ ଚାମ୍ପିୟନ ପାକିସ୍ତାନର ଅର୍ଶଦ ନଦିମ (୭୮.୬୩ ମି.) ସପ୍ତମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଛନ୍ତି।

