କୃଷ୍ଣପ୍ରସାଦ,୬।୧: ୪ ଦିନ ପରେ ଚିଲିକାରୁ ହଟିଲା କଟକଣା । କୁହୁଡ଼ିକୁ ଦେଖି ଡଙ୍ଗା ଓ ଭସାପୋଲ ଚଳାଚଳକୁ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଛି ଜିଲା ପ୍ରଶାସନ । ଲୋକଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି କଟକଣା କୋହଳ କରାଯାଇଛି । ପବନ ଓ କୁହୁଡ଼ି ଥିବାରୁ ଏବେବି ସ୍ୱାଭାବିକ ହୋଇନି ଭସାପୋଲ ଚଳାଚଳ ।
ପ୍ରକାଶଥାଉକି, ଗତ ଗୁରୁବାର ଦିନ ସାତପଡା ଠାରୁ ଜହ୍ନିକୁଦା ଭସାପୋଲରେ ଯାତ୍ରା କରୁଥିବାବେଳେ ପାଣି ଭିତରକୁ ଖସି ପଡ଼ି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଜଳ ଯାତ୍ରା ପାଇଁ ସରକାର ସେଫଟି ଜ୍ୟାକେଟ ବାଧ୍ୟତାମୂଳକ କରିଥିବାବେଳେ ଭସାପୋଲରେ ଥିବା ଯାତ୍ରୀ ପିନ୍ଧିନଥିଲେ । ମୃତ ବ୍ୟକ୍ତିଙ୍କ ନାମ ଉମା ଶଙ୍କର ସାବତ(୬୦) ବୋଲି ଜଣାଯାଇଛି। ତାଙ୍କ ଘର ମାଲକାନଗିରି ବାଲିମେଳା ବୋଲି ଏକ ସୂଚନା ମିଳିଛି। ଏହି ଘଟଣା ପରେ ଆଜି ପୁରୀ ଜିଲାପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଦିନ ୧୧ଟା ଯାଏଁ ଚିଲିକାରେ ଡଙ୍ଗା ଚଳଚଳକୁ ବାରଣ କରାଯାଇଥିଲା । କୁହୁଡ଼ି ନକମିବା ଯାଏଁ ଡଙ୍ଗା ଚଳାଚଳ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପୁରୀ ଜିଲାପାଳ ।
Dharitri – Odisha’s No.1 Odia Daily


