ବାହାପିଆଙ୍କ ବାରବାଟି ଚାଷ

ଡ. ଗୌରହରି ରାଉତ

ଆମ ଏ ଖଣ୍ଡମଣ୍ଡଳରେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଫକୁଆନା’ଙ୍କୁ କିଏ ବା ନ ଜାଣେ? ତାଙ୍କ ବେଶ ପରିପାଟୀକୁ ଦେଖିଲେ ଯେ କେହି ଭାବିବେ – ସରକାରୀ ଦପ୍ତରରେ କିଛି ଗୋଟେ ବଡ଼ ହାକିମ ହୋଇଥିବେ ପରା! ଶରୀର ଓ ପୋଷାକକୁ ଚାହିଁ କଥାବାର୍ତ୍ତା ବି ସେଇ ରକମର l କେହି ଅଜଣା ଲୋକ ଜୁଟିଗଲେ ତ ତାଙ୍କ କଥାର କିସମ ପରସ୍ତ ପରସ୍ତ ଲମ୍ବିଯାଏ କାହିଁ କେତେ ଆଗକୁ। ତାଙ୍କୁ ଜାଣିଥିବା ଲୋକ ଦୈବାତ ସେଇ ପାଖ ଦେଇ ଗଲାବେଳେ ଫକୁଆନା’ ଅତି ଚତୁରତାର ସହ କଥାର ମୋଡ଼ ବଦଳାଇ ଦିଅନ୍ତି। ଆପଣ ଉତ୍ସୁକ ହୋଇ ପଚାରିବେ – କି ବିଶେଷତ୍ୱ କି ଏଇ ଫକୁଆନା’ଙ୍କର? ହଁ, ବିଶେଷତ୍ୱ ହେଲା – ତାଙ୍କର ବାହାପିଆ କଥା l
ଲୋକ ଯେତିକିର ନୁହନ୍ତି ତା’ର ଦଶ ଡବଲ ଓଜନର କଥା କହୁଥାନ୍ତି l ସତେ ଅବା ଦୁନିଆର ସବୁକଥା ସେଇ ଏକା ଜାଣନ୍ତି, ଆଉ ସବୁ ନିର୍ବୁଦ୍ଧିଆ, ଜଡ଼ା ହୁଣ୍ଡା l ଅନ୍ୟର ଗୁଣରୁ ଖୁଣ କାଢ଼ିବାରେ ସେ ଓସ୍ତାତ l
ବାହାପିଆ କଥାରେ ବାରବାଟି ଜମି ଚାଷ କରୁଥିବା ଫକୁଆନା’ ବାସ୍ତବରେ କିନ୍ତୁ ‘ଅନ୍ତଃ ସାରଶୂନ୍ୟ ଗଜଭୁକ୍ତ କପିତ୍ଥବତ’ର ନୀତିହୀନ ନରାଧମ। ମହାକାଳ ଫଳ ପରି ଉପରକୁ ଭାରି ଚହଟ ଚିକ୍କଣ ଦିଶୁଥିଲେ ବି ଭିତରଟା କୁତ୍ସିତ କଦାକାର। ଆମ ଭାଷାରେ ଆମେ କହୁ ‘ବିଷକୁମ୍ଭ ପୟୋମୁଖ’। ନିଜର ଭୁଲ୍‌ କର୍ମ ପାଇଁ ବାହାରେ ଅନ୍ୟମାନଙ୍କ ପାଖରେ ବାରମ୍ବାର ଅପଦସ୍ଥ, ଅପମାନିତ ହେଉଥାନ୍ତୁ ପଛକେ ଘରେ ପିଲା ମାଇପଙ୍କ ନିକଟରେ ନିଜ ଅଣ୍ଡିରାପଣକୁ ଜାହିର କରି ଆତ୍ମସନ୍ତୋଷ ଲାଭ କରନ୍ତି। ଯେମିତି କେତେକ ପିଲା ଅଛନ୍ତି ଖେଳ ସମୟରେ ନିଜର ଦୁଷ୍ଟ ଗୁଣ ପାଇଁ ସାଙ୍ଗ ସାଥୀଙ୍କଠାରୁ ମାଡ଼ ଖାଇ ଘରକୁ ଆସି ମା’ ପାଖରେ ନିଜ ବୀରତ୍ୱର କଥା କହନ୍ତି ଏହିପରି – ଆଜି ସେ ପିଲାକୁ ପାନେ ଦେଇଛି, ମୋ ବିଧା ଚାପୁଡ଼ାରେ ମୂତିପକେଇଲା ସେ l ମା’ କିନ୍ତୁ ମୁହଁ ବୁଲେଇ ମୁରୁକିହସା ମାରୁଥାଏ। ସେ ଜାଣେ ତା’ ପିଲା କେମିତିକା। ଖୋଦ ଅନ୍ୟମାନଙ୍କଠାରୁ ମାଡ଼ ଖାଇ ମା’ ପାଖରେ ବଖାଣୁଛି ତା’ ବାହାପିଆ କଥା।
ଫକୁଆନା’ ସେଇ କିସମର ଜଣେ ବାହାପିଆ ମଣିଷ l ଅନ୍ୟାୟ ଅନୀତି କର୍ମ ପାଇଁ ଗାଁ ନିଶାପରେ ମୁରବୀମାନଙ୍କଠାରୁ ଗାଳି ଖାଇ ଲାଜରେ ତଳକୁ ମୁହଁ ପୋତି ବସିଥିବେ l ଗାଁ ଲୋକଙ୍କ ବିଚାର ଆକ୍ରମଣରେ ଘରକୁ ଫେରିବେ ଅଥଚ ଘରେ ବାହାପିଆ କଥା କହିବେ – ଆଜି ନିଶାପରେ ସମସ୍ତଙ୍କୁ ଧୂଳି ଚଟେଇଦେଲି l ଏମିତି କଥା କହିଲି ଯେ ସମସ୍ତଙ୍କ ମୁହଁ ଏକଦମ ଚୁପ୍‌। ଶେଷକୁ ମୋ ପରାକ୍ରମ ଦେଖି କିଏ କୁଆଡ଼େ ଲୁଚି ପଳେଇଲେ ଯେ ମୁଁ ଦରାଣ୍ଡିଲା ବେଳକୁ କେହି ନାହିଁ। ତାଙ୍କର ଏଭଳି ବାହାପିଆ କଥାରେ ଆମେ ହସି ହସି ବେଦମ ହେଉ। ମନେପଡ଼େ ଅକ୍ଷୟ ମହାନ୍ତିଙ୍କର ଏକ ଲୋକପ୍ରିୟ ପୁରୁଣା ଗୀତ – ‘ମାଇଚିଆ ଗୋଖେଇ ସାଉ, ମାଇପ ହାତରୁ କହୁଣି ଖାଉ। ଅଣ୍ଡିରାପଣ ତା ଚୁଲିକି ଯାଉ, … ବାହାରେ କୁହେ ସେ ବାଘ, ସମାଳି ପାରେନା ରାଗ…l’ ମୋଟାମୋଟି ଭାବରେ ଗୀତଟିର ସାରକଥା ଏଇଆ – ମାଇପକୁ ନିଜ କଥାରେ ଉଠ ବସ କରାଇ ଅଣ୍ଡିରାପଣର ବାହାପିଆ କଥା କହୁଥିବା ଗୋଖେଇ ସାଉ କିନ୍ତୁ ବାସ୍ତବ ଜୀବନରେ ମାଇଚିଆ ହୋଇ ମାଇପଠାରୁ କହୁଣି ଖାଉଥାଏ ନିତିଦିନ। ଠିକ୍‌ ସେମିତି ଆମର ଏ ଫକୁଆନା। ସମସ୍ତେ ଜାଣନ୍ତି – ବାହାପିଆ କଥାରେ ଫକୁଆନା’ ବାରବାଟି ଜମି ଚାଷ କରନ୍ତି ସିନା, ହେଲେ ତାଙ୍କ ମୁଣ୍ଡ ଉପରେ ଛପରଟିଏ ନ ଥିବାରୁ ୟା’ ଓଳି ତା’ ଓଳି ହେଉଥାନ୍ତି।
ଏମିତି କେତେ ଲୋକ ବାହାପିଆ କଥା କହି ବାରବାଟୀ ଚାଷ କରନ୍ତି କଥାରେ କଥାରେ l କେବଳ ଆମ ଗାଁ ନୁହେଁ, ଅତ୍ର ତତ୍ର ସର୍ବତ୍ର ବିଦ୍ୟମାନ ଏମାନେ l କେତେବେଳେନା କେତେବେଳେ କେଉଁଠିନା କେଉଁଠି ଆପଣମାନେ ଭେଟୁଥିବେ ଏମାନଙ୍କୁ l ଆଖିବୁଜି ନାଲି ଟହ ଟହ ରସରସିଆ ପାନଖିଆ ପାଟିରେ ବସେଇ ବସେଇ ଦିଲ୍ଲୀ ଦୁଲୁକେଇଲା ଭଳି କଥା କହି ନିଜ ବଡ଼ିମା ଦେଖାନ୍ତ। ‘ସବ୍‌ ଜାନତା’ର ଏକ ମୂର୍ତ୍ତିମନ୍ତ ବିଗ୍ରହ ଭାବରେ ନିଜର ପରିଚୟ ତିଆରି କରିବାକୁ ଯେତେ ଚେଷ୍ଟା କଲେ ବି ପଦାରେ ପଡ଼ିଯାନ୍ତି କାହାର ନା କାହାର ନଜରରେ। ପରିସ୍ଥିତି ଅଣାୟତ୍ତ ହୁଏ ଓ ତାଙ୍କ ଗୁଣ କୀର୍ତ୍ତି ଦାଣ୍ଡରେ ପଡ଼ି ହାଟରେ ଗଡ଼େ। ନେଡ଼ି ଗୁଡ଼ କହୁଣିକୁ ବୋହିବା ପରେ ଏମାନଙ୍କର ଜ୍ଞାନ ଉଦୟ ହୁଏ, ତଥାପି ନିଜର ଖୋଇ ଛାଡ଼ନ୍ତି ନାହିଁ l ବିରାଡ଼ି ଆଖି ବୁଜି କ୍ଷୀର ପିଇଲା ପରି ତାଙ୍କ ବାହାପିଆ ଖୋଇର କେହି ଟେର୍‌ ପାଉ ନ ଥିବେ ବୋଲି ଭାବନ୍ତି l
କିନ୍ତୁ ‘ଲୁଚିଛି ନା ଗୋ ଦି’ଟା ଦିଶୁଛି’ ପରି ନିଜର ପ୍ରକୃତ ରୂପକୁ ଲୁଚାଇ ବାହାରକୁ ଯେତେ ମିଛ ଆଦର୍ଶ ଦେଖାଇଲେ ବି ତାହା ପଦାରେ ପଡ଼ିଯାଏ। ଏସବୁ ଜାଣିଲା ପରେ ଲୋକେ ଦୂର୍‌ଦୂର୍‌ ମାର୍‌ମାର୍‌ କରନ୍ତି l ଢେଲା ପଥର ମାଡ଼ରେ ଖଣ୍ଡିଆ ଖାବରା, ଲହୁଲୁହାଣ ହୋଇ ବାତୁଳ ପ୍ରାୟ ଭ୍ରମନ୍ତି ଇତସ୍ତତଃ। ଭିତରେ ପୋଡ଼ୁଥାଏ, ଉଃ ଆଃ ହେଉଥାନ୍ତି – ଅନ୍ତରଦାହରେ ଆକ୍ତାମାକ୍ତା ହେଉଥାନ୍ତି ବାରମ୍ବାର। ଭୂଇଁରେ ନାକ ଘଷି ଧୂଳି ଚାଟୁଥାନ୍ତି, ତଥାପି ଅନ୍ୟର ନାକକୁ ଭୂଇଁରେ ଘଷାଇ ଧୂଳି ଚଟାଉଥିବା କଥା କହୁଥାନ୍ତି ବାହୁସ୍ଫୋଟ ମାରି। ଅନ୍ୟମାନଙ୍କ ଆକ୍ରମଣରେ ଲାଞ୍ଜ ଜାକି ଘରମୁହଁା ହେଲେ ବି ଶତସିଂହର ପରାକ୍ରମରେ ଅନ୍ୟମାନଙ୍କୁ ମେଣ୍ଢା କରି ତାଙ୍କ ତଣ୍ଟିର ରକ୍ତ ପିଇବା କଥା କହୁଥାନ୍ତି ଭାରି ଦର୍ପର ସହ।
ଆମେ ଆଜ୍ଞା ଚାରଣ ଲୋକ। ଚାରିଆଡ଼େ ଚରାବୁଲା କରିବା ସମୟରେ ଏମାନଙ୍କୁ କେତେ ହର ଗୁଣ କରି ହିସାବ କଲାପରେ ଭାଗଫଳ ଏଇଆ ପାଇଲୁ – ‘ଘୁଷୁରି ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ l’ ଆମ କଥାର ମଞ୍ଜି ପାଇଗଲା ପରେ ଆପଣ ଆପଣଙ୍କ ସାଧୁ ଭାଷାରେ କହିବେ ‘ପ୍ରକୃତି ନୈବ ମୁଚ୍ୟତେ… I’ ଆମେ ଏଭଳି ବାହାପିଆଙ୍କ ବାରବାଟି ଚାଷ ଅନେକ ଥର ଦେଖିସାରିଲୁଣି। ସେଇଥିପାଇଁ ସ୍ପଟ୍‌ଲାଇଟ ଧରି ତାହା ଆପଣମାନଙ୍କୁ ଦେଖାଉଛୁ l ତେଣୁ ହୁସିଆର, ଏମାନଙ୍କୁ ହାତେ ମାପି ଚାଖଣ୍ଡେ ନୁହେଁ, ଦଶ ଯୋଜନ ଦୂରରେ ଚାଲନ୍ତୁ। ତା’ ହେଲେ ଆପଣଙ୍କର ମଙ୍ଗଳ, ସମାଜର ବି।
ଇ – ୨୪/୩, ୟୁନିଟ୍‌-୯ (ଫ୍ଲାଟ), ଭୋଇନଗର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri