ସିଏସ୍‌ଆଇଆର୍‌ ମୁଖ୍ୟ

ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଦେଶର ଅନ୍ୟତମ ସର୍ବୋଚ୍ଚ ସଂସ୍ଥା ଭାବେ କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ପରିଚିତ। ସର୍ବଭାରତୀୟ ସ୍ତରରେ ଏହାର ଅତ୍ୟାଧୁନିକ ୩୭ ଜାତୀୟ ଗବେଷଣାଗାର, ୩ ଆଉଟ୍‌ରିଚ୍‌ ସେଣ୍ଟର, ୩ ଇନୋଭେଶନ୍‌ କମ୍ପ୍ଲେକ୍ସ ଓ ୫ ୟୁନିଟ୍‌ ରହିଛି। ଜୁନ୍‌ ୨୦୨୧ ସୁଦ୍ଧା କରାଯାଇଥିବା ହିସାବରୁ ଜଣାପଡ଼ିଛି, ଏହାର ୩,୪୬୦ ବୈଜ୍ଞାନିକ ଅଛନ୍ତି ଏବଂ ଏମାନଙ୍କୁ ସହାୟତା ଦେବା ସକାଶେ ୪,୩୫୦ ବିଜ୍ଞାନଭିତ୍ତିକ ଓ ବୈଷୟିକ ଦୃଷ୍ଟିରୁ ଦକ୍ଷ ବ୍ୟକ୍ତି କାର୍ଯ୍ୟ କରୁଛନ୍ତି। ଓସେନୋଗ୍ରାଫି (ମହାସାଗର ସମ୍ବନ୍ଧୀୟ ବୈଜ୍ଞାନିକ ଅଧ୍ୟୟନ)ଠାରୁ ଆରମ୍ଭ କରି ଇନ୍‌ଫର୍ମେଶନ ଟେକ୍ନୋଲୋଜି (ସୂଚନା ପ୍ରଯୁକ୍ତି) ଯାଏ ବିଜ୍ଞାନର ବହୁବିଧ କ୍ଷେତ୍ରରେ ସିଏସ୍‌ଆଇଆର୍‌ କାର୍ଯ୍ୟ କରୁଥିବାରୁ ଏହାର ଗୁରୁତ୍ୱ ଯଥେଷ୍ଟ ରହିଛି। ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବା ବିଦ୍ୟାର୍ଥୀ ହୁଅନ୍ତୁ ବା ଉଦୀୟମାନ ବୈଜ୍ଞାନିକ, ଏହି ସଂସ୍ଥା ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡ଼ିତ ହୋଇ ନିଜ ପ୍ରୋଫାଇଲ୍‌କୁ ଆକର୍ଷଣୀୟ କରିବାର ଇଚ୍ଛା ସମସ୍ତଙ୍କର ଥାଏ। କିନ୍ତୁ ଯିଏ ଏହି ସର୍ବୋଚ୍ଚ ସଂସ୍ଥାର ଶିଖରରେ ପହଞ୍ଚତ୍ବାରେ ସଫଳ ହୋଇଥାଆନ୍ତି, ତାଙ୍କୁ ଯୁବପିଢ଼ି ଆଦର୍ଶ ଭାବେ ଗ୍ରହଣ କରିଥାଆନ୍ତି। ୭ ଅଗଷ୍ଟ ୨୦୨୨ରେ ଏନ୍‌. କାଲାଇସେଲ୍‌ଭି ସିଏସ୍‌ଆଇଆର୍‌ର ପ୍ରଥମ ମହିଳା ମହାନିର୍ଦ୍ଦେଶକ (ଡିଜି) ଭାବେ ନିଯୁକ୍ତ ହେବାର ଗୌରବ ଅର୍ଜନ କରିଥିବାରୁ ତାଙ୍କ ବୃତ୍ତିଗତ ଯାତ୍ରା ଯୁବ ବୈଜ୍ଞାନିକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
କାଲାଇସେଲ୍‌ଭି ତାମିଲନାଡୁର ତିରୁନେଲ୍‌ଭେଲି ଜିଲାର ଅମ୍ବାସମୁଧ୍ରମ୍‌ଠାରେ ଜନ୍ମ ଗ୍ରହଣ କରିଥିଲେ। ପିତା ସ୍କୁଲ ଶିକ୍ଷକ। ତାଙ୍କର ସମଗ୍ର ଶିକ୍ଷା ତାମିଲନାଡୁର ସରକାରୀ ସ୍କୁଲ ଓ କଲେଜରେ ହୋଇଛି। ବିଜ୍ଞାନ ଭଳି ଜଟିଳ ବିଷୟ ସହଜରେ ବୁଝିବାରେ ତାମିଲ ଭାଷା ତାଙ୍କୁ ଯଥେଷ୍ଟ ସାହାଯ୍ୟ କରିଛି ବୋଲି କହିଥାଆନ୍ତି। ଏବେ ଦେଶବ୍ୟାପୀ ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ପଢ଼ିବା ଲାଗି ପିଲାଙ୍କ ଆଗ୍ରହ ବଢ଼ୁଥିବାବେଳେ କାଲାଇସେଲ୍‌ଭି ନିଜ ମାତୃଭାଷାରେ ଉତ୍କର୍ଷ ଲଭିଥିବା ବିଷୟ ସାଧାରଣରେ ପ୍ରକାଶ କରିବା ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କ ପାଇଁ ନିଶ୍ଚିତ ଉତ୍ସାହପ୍ରଦ। କୁଡାଲୋର ଜିଲାର ଚିଦାମ୍ବରମ୍‌ ସହରରେ ଥିବା ଆନ୍ନାମାଲାଇ ବିଶ୍ୱବିଦ୍ୟାଳୟରୁ ସେ ପିଏଚ୍‌ଡି ଡିଗ୍ରୀ ଅର୍ଜନ କରିଥିଲେ। ତାଙ୍କ ଉପରେ ଦୁଇ ବଡ଼ ଭାଇ ରହିଥିଲେ ହେଁ ପିତା ତାଙ୍କୁ କେବେ ଝିଅ ଭାବି ଅଣଦେଖା କରି ନ ଥିଲେ। ଏକ ଦୃଢ଼ ଅଙ୍ଗୀକାରବଦ୍ଧତା ଦର୍ଶାଇବାର ଚିନ୍ତନ ରଖି କାଲାଇସେଲ୍‌ଭି ମଧ୍ୟ ସ୍କୁଲ ବେଳେ ପୁଅ ପିଲାଙ୍କ ଖେଳ ଖେଳୁଥିଲେ ବୋଲି ସାକ୍ଷାତ୍‌କାରରେ କହିଛନ୍ତି।
କାଲାଇସେଲ୍‌ଭିଙ୍କ ଚାକିରି ଜୀବନ ପିଏଚ୍‌ଡି ଶେଷ ପରେ ଆରମ୍ଭ ହୋଇଥିଲା। ଏକ ଘରୋଇ କଲେଜରେ ସେ ଅର୍ଗାନିକ୍‌ କେମିଷ୍ଟ୍ରି ତିନି ବର୍ଷ ପଢ଼ାଇବା ପରେ ୧୯୯୭ରେ ତାମିଲନାଡୁର ସିକାଲାକୋଟାଇସ୍ଥିତ ସିଏସ୍‌ଆଇଆର୍‌-ସେଣ୍ଟ୍ରାଲ ଇଲେକ୍‌ଟ୍ରୋ କେମିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ସିଇସିଆର୍‌ଆଇ)ରେ କନିଷ୍ଠ ବୈଜ୍ଞାନିକ ଭାବେ ଯୋଗଦେଇଥିଲେ। ତାହା ହିଁ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସିଏସ୍‌ଆଇଆର୍‌ରେ କାର୍ଯ୍ୟ କରିବା ଲାଗି ସୁଯୋଗ ପାଇବା ପରେ ସେ ଲିଥିୟମ୍‌ ଆଇରନ୍‌ ବ୍ୟାଟେରି କ୍ଷେତ୍ରରେ ଅଭିନବତ୍ୱ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଲିଥିୟମ୍‌ ଆଇରନ୍‌ ବ୍ୟାଟେରିର ଭଣ୍ଡାରଣ କ୍ଷମତା (ଷ୍ଟୋରେଜ୍‌ କାପାସିଟି) ବଢ଼ାଇବା ଲାଗି ବ୍ୟବହୃତ ଇଲେକ୍‌ଟ୍ରୋଡ୍‌ସ ପାଇଁ ନୂଆ ବସ୍ତୁ ଉଦ୍ଭାବନ କରି ସେ ସମସ୍ତ ବୈଜ୍ଞାନିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଡିସେମ୍ବର ୨୦୦୦ରେ କାଲାଇସେଲ୍‌ଭି ସିଙ୍ଗାପୁର ଓ ମାଲେସିଆରେ ଅନୁଷ୍ଠିତ ୮-ଏସିଏସ୍‌ଏସ୍‌ଆଇ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଗବେଷଣାର ଉତ୍କର୍ଷ ବିଷୟରେ ଜଣାଇଥିଲେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବିଜ୍ଞାନଭିତ୍ତିକ ସଂସ୍ଥାରେ କାଲାଇସେଲ୍‌ଭି ମେମ୍ବର ଅଫ୍‌ ଷ୍ଟଡିଜ୍‌ ଭାବେ ଦାୟିତ୍ୱ ତୁଲାଇଥିଲେ। ତାମିଲନାଡୁର ଗ୍ରାମାଞ୍ଚଳ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବା ଲାଗି ପ୍ରକାଶ ପାଉଥିବା ମାସିକ ବିଜ୍ଞାନ ପତ୍ରିକା ‘ଏରିଗା ଏରିଭିୟାଲ’ର ସମ୍ପାଦକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା। ୨୦୧୨ରେ ତାଙ୍କୁ ମଲ୍ଟିଫଙ୍କ୍‌ଶନାଲ ଇଲେକ୍‌ଟ୍ରୋଡ୍ସ ଆଣ୍ଡ୍‌ ଇଲେକ୍‌ଟ୍ରୋଲାଇଟ୍‌ସ ଫର୍‌ ଫିଉଚରିଷ୍ଟିକ୍‌ ଟେକ୍ନୋଲୋଜିଜ୍‌ (ମଲ୍‌ଟିଫନ୍‌)ର ନୋଡାଲ ବୈଜ୍ଞାନିକ ରୂପେ ନିଯୁକ୍ତି ମିଳିଥିଲା। ସେ ସେଥିରେ ୨୦୧୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତେବେ ୨୦୧୩ରେ କାଲାଇସେଲ୍‌ଭିଙ୍କ ତତ୍ତ୍ୱାବଧାନରେ ନ୍ୟାଶନାଲ ମିଶନ୍‌ ଫର୍‌ ଇଲେକ୍‌ଟ୍ରିକ୍‌ ମୋବିଲିଟି ଆରମ୍ଭ କରାଯାଇଥିଲା। ଏହିଭଳି ଭାବେ ତାଙ୍କ କ୍ୟାରିୟର ଊର୍ଦ୍ଧ୍ୱଗାମୀ ହୋଇଥିଲା ଓ ସେ ୨୦୧୯ରେ ଏହି ମିଶନ୍‌ର ମଧ୍ୟ ନିର୍ଦ୍ଦେଶକ ହୋଇଥିଲେ। ଏଥିସହିତ ସେ ସିଏସ୍‌ଆଇଆର୍‌ର ରିନିଏବଲ୍‌ ଆଣ୍ଡ୍‌ ନନ୍‌-ରିନିଏବଲ୍‌ ଏନର୍ଜୀ ଆଣ୍ଡ୍‌ ଡିଭାଇସେସ୍‌ର ଥିମ୍‌ ଡାଇରେକ୍ଟର ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୧୯ ନଭେମ୍ବରରେ ଜର୍ମାନୀରେ ସିଏସ୍‌ଆଇଆର୍‌-ଡିଏଏଡି ଏକ୍ସଚେଞ୍ଜ ପ୍ରୋଗ୍ରାମ୍‌ର ଏକ ଅଂଶ ପାଲଟି ସୁନାମ ଅର୍ଜନ କରିଥିଲେ। ଉଦ୍ଭାବନ, ଗବେଷଣା ଓ ନେତୃତ୍ୱ ନେବାର ଦକ୍ଷତା ତାଙ୍କୁ ଶେଷରେ ସିଏସ୍‌ଆଇଆର୍‌ ମହାନିର୍ଦ୍ଦେଶକ ପଦବୀରେ ବସାଇବା ସହ ଅତିରିକ୍ତ ଭାବେ ସାଇଣ୍ଟିଫିକ୍‌ ଆଣ୍ଡ୍‌ ରିସର୍ଚ୍ଚ ବିଭାଗର ସଚିବ ଦାୟିତ୍ୱ ମଧ୍ୟ ଅର୍ପଣ କରିଛି।
କାଲାଇସେଲ୍‌ଭି କେତେକ ଅନ୍ତର୍ଜାତୀୟ ବିଜ୍ଞାନ ପତ୍ରିକାର ସମ୍ପାଦନାମଣ୍ଡଳୀରେ ସ୍ଥାନ ପାଇଛନ୍ତି। ଯୁବ ବୈଜ୍ଞାନିକ ସମ୍ମାନଠାରୁ ଆରମ୍ଭକରି ସେ ଦେଶବିଦେଶର ବହୁ ପୁରସ୍କାରରେ ମଧ୍ୟ ଭୂଷିତ ହୋଇଛନ୍ତି। ଗବେଷଣା ସହିତ ତାଙ୍କ ବ୍ୟକ୍ତିତ୍ୱକୁ ଆହୁରି ଉଜ୍ଜ୍ୱଳ କରିଛି ତାଙ୍କ ବକ୍ତୃତା ଦେବାର ଶୈଳୀ। ଆକାଶବାଣୀରେ ଟକ୍‌ ଦେବା ସହ ଅନେକ ମଞ୍ଚରେ ସେ ଭାଷଣ ଦେଇ ନିଜର ଏକ ପ୍ରଶଂସକ ମହଲ ସୃଷ୍ଟି କରିପାରିଛନ୍ତି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri