କାନ୍ଦୁରା ହସ

ଦ୍ୱିତୀ ଚନ୍ଦ୍ର ସାହୁ

 

ଧାଡ଼ି ଧାଡ଼ି ହୋଇ ରହିଛି ନୂଆ ଘର। ନୂଆ ରଙ୍ଗରେ ଧଉଳା ହୋଇ ବେଶ୍‌ ଆକର୍ଷଣୀୟ ଲାଗୁଛି। ଦୁଇ ଧାରରେ ଠିଆ ହୋଇଥିବା ଘରକୁ ଦି’ ଫାଳ କରି ଲମ୍ବିଛି କଳା ମଚମଚ ପିଚୁ ରାସ୍ତା। ରାସ୍ତାର କଡ଼େ କଡ଼େ ଠାଏ ଠାଏ ମଇଳା ପକାଇବା ରଙ୍ଗିନ କୁଣ୍ଡ। ଏପାଖ ସେପାଖ ହୋଇ ନାନା ଜ୍ୟାମିତିକ ଚିତ୍ର ବହନ କରୁଥିବା କୃତ୍ରିମ ବସ୍ତି। ବସ୍ତି ତ କୁହାଯିବନି। ଠୁକୁରୁ ଠୁକୁରୁ ପାଦଚଲା ଆରମ୍ଭ କରୁଥିବା ଗୋଟେ ସାନ ସହର। ଏଇଥିପାଇଁ ସହର କହିବାକୁ ବାଧ୍ୟ ହେଲି ଆଜିକାଲି ସହରତଳିରେ ଗଢି ଉଠିଥିବା ରିୟଲ ଇଷ୍ଟେଟ କମ୍ପାନୀ ଦ୍ୱାରା ନିର୍ମିତ ଅଚିରେ ଭ୍ରମ ସୃଷ୍ଟି କରୁଥିବା ଝଲମଲ ଅଞ୍ଚଳ ପରି ଲାଗୁଥିଲା ଅବିକଳ। ପ୍ରବେଶରେ ସୁନ୍ଦର ସିମେଣ୍ଟର ତୋରଣ ସହ ବିରାଟ ଫାଟକ। ପରସ୍ପରକୁ ଛେଦ କରୁଥିବା କଲୋନୀ। ଅନବରତ ପାଣି, ବିଦ୍ୟୁତ୍‌ ଆଲୁଅର ବ୍ୟବସ୍ଥା। ବିଦ୍ୟୁତ୍‌ ଚାଲିଗଲେ ବିକଳ୍ପ ବିଦ୍ୟୁତ୍‌ ଯୋଗାଇବାର ସୁବିଧା। ଘର କହିଲେ ଚାରି ବଖରିଆ ଘର। ସେଥିରେ ଗୋଟେ ରୋଷେଇ ଘର ଓ ଆଉ ଗୋଟେ ଛୋଟ ଘର। ପୂଜା ଘର କରିପାର ଅବା ଗୋଦାମ ଗୃହ। ଘର ପଛକୁ ଆଉ ଗୋଟେ ଛୋଟ ଆଜବେଷ୍ଟସ ଗୁହାଳ। ଗୁହାଳକୁ ଲାଗି ଦି’ଟା ପାଇଖାନା। ଗୁହାଳ ପଛପଟେ ବାଡିବଗିଚା ଲାଗି ସାମାନ୍ୟ ଅଳ୍ପ ସ୍ଥାନ। ତମାମ କଲୋନୀ ଚାରିପଟେ ତାରବାଡ଼। ତାରି ଭିତରେ ରହୁଛନ୍ତି ସୁନ୍ଦରଗଡ଼ ହେମଗିରି ବ୍ଲକର ବିସ୍ଥାପିତ ଅଞ୍ଚଳର ଭିଟାମାଟି ହରାଇଥିବା ଲୋକେ। ବହୁଦୂର ପର୍ଯ୍ୟନ୍ତ ଜଙ୍ଗଲର ଦେଖା ନାହିଁ। ପାହାଡ଼ ଛୁଇଁବାକୁ ହେଲେ କୋଶେ ବାଟ ଚାଲିବାକୁ ହେବ। ଚାରିପଟେ ଟାଙ୍ଗରା ଭୂଇଁ। ତାରି ଭିତରେ ବିସ୍ଥାପିତ ମଣିଷ। ଅବଶ୍ୟ ମିଳିଛି ପ୍ରଚୁର ଅର୍ଥ। ଚାଷଜମିକୁ ଏକର ପିଛା ପନ୍ଦର ଲକ୍ଷ। ଘର ବାବଦକୁ ଖର୍ଚ୍ଚ ବାର ଲକ୍ଷ। ଯିଏ ନିଜେ କରିବାକୁ ଆଗ୍ରହୀ ପାଇବ ମାତ୍ର ଛଅ ଲକ୍ଷ। ଗାଁରେ ହରାଇଥିବା ଘର ବାବଦକୁ ବର୍ଗଫୁଟକୁ ପାଞ୍ଚଶହ ହିସାବରେ ଯିଏ ଯେତିକି ପାଇଲା ସେତିକି ନେଇ ଘର ଛାଡିବ। ଅଠର ବର୍ଷରୁ ଊର୍ଦ୍ଧ୍ୱ ପାରିବାରିକ ସଦସ୍ୟ ପାଇଁ ଆଉ ଗୋଟେ ନୂଆଘର। ବିବାହ ଯୋଗ୍ୟାଙ୍କ ପାଇଁ ଅଲଗା ବ୍ୟବସ୍ଥା। ପାଖାପାଖି କୋଡିଏରୁ ଚବିଶ ଲକ୍ଷ ଯାଏ ହିସାବ ଅନୁଯାୟୀ ବଢିଲା ଝିଅମାନେ ପାଇଛନ୍ତି ଅର୍ଥ। ତା’ ପାଇଁ ପୁଣି ଅଲଗା ଗୋଟେ ଘର। ଏସବୁବାଦ୍‌ ପ୍ରତି ଘର ପିଛା ମାସିକ ତିନି ହଜାର ଟଙ୍କା ଆଗାମୀ ୩୦ ବର୍ଷ ଯାଏ ଦେବାକୁ କମ୍ପାନୀ ଦେଇଛି ପ୍ରତିଶ୍ରୁତି। ତା’ ସହିତ ୩୦ବର୍ଷ ଯାଏ କଲୋନୀର ସମସ୍ତ ପରିଚାଳନା ଦାୟିତ୍ୱ ବୁଝିବ କମ୍ପାନୀ। ଏକାଥରକେ ଗଳଗଳ କରି ମିଳିଥିବା ହିସାବର ବିବରଣୀ ପ୍ରଦାନ କଲେ ଅନ୍ୟତମ ବାସଚ୍ୟୁତ ତଥା ପୂର୍ବତନ ସରପଞ୍ଚ ବୁଦ୍ଧଦେବ ଭୋଏ।
ଖଣି ପାଇଁ ସାନଘୁମୁଡାର ବାସଚ୍ୟୁତ ହୋଇଥିବା ୧୨୨ ପରିବାର ଲାଗି ନିର୍ମିତ ହୋଇଛି ୧୧୭ଟି ଘର। ବାକି କିଛି ଅନ୍ୟତ୍ର ରହୁଛନ୍ତି। ଚିକିତ୍ସାଳୟ, ପଢାଘର, ବିଦ୍ୟାଳୟ, ହାଟବଜାର, ମନ୍ଦିର, ମନୋରଞ୍ଜନ କେନ୍ଦ୍ର ସବୁ ଖଞ୍ଜି ଦେଇଛି କମ୍ପାନୀ। ପ୍ରଚୁର ଅର୍ଥ ମିଳିଛି, ତା’ ସହିତ ସବୁ ସୁବିଧା ଥାଇ ଘର। ବଞ୍ଚତ୍ବା ଖୁବ୍‌ ଭଲ ଲାଗୁଥିବ! ଏତିକି କଥାରେ ଭୋ ଭୋ ହୋଇଗଲେ ଭୋଏ। ଶୁଖିଲା ପତର ଖରାମାସରେ ଯେମିତି ଉଡି ଉଡି ଏଠି ସେଠି ବାଡ଼େଇହୋଇ ତା’ର ପରିଚୟ ହରେଇଦିଏ। କେଉଁ ଗଛରୁ ଆସିଛି ଜାଣିପାରେନି। ସେମିତି ଗତି ଆମ ଲୋକଙ୍କର ହୋଇଛି ବୋଲି ଆତ୍ମଗ୍ଳାନିକୁ ବଖାଣିଲେ। ଦାଣ୍ଡବାଡ଼କୁ ଲାଗି ଜଙ୍ଗଲ। କଳକଳ ହୋଇ ବୋହିଯାଉଥିବା ଝରଣା। ଗାଁ ମୁଣ୍ଡର ଦେମୂଳି। ଅଗଣା ଥିବା ପୁରୁଷ ପୁରୁଷର ଘର। ଶୀତକାକର ଓ ଗରମରୁ ରକ୍ଷା କରୁଥିବା ଅନ୍ତୁୁଡିଶାଳ। ଜମିର ଧାନ। ବଣ ଡଙ୍ଗରର ଜାତିଜାତିକା ପାଚିଲା ଫଳ ଖାଇବା ଏସବୁ କେଉଁଠି ମିଳିବ। ଚୁଲି ନିଆଁରେ ପୋଡା ବାଇଗଣ ଓ ପାତଲ ଘଣ୍ଟାର ସୁଆଦ ଠିଆ ଚୁଲିରେ ମିଳିବ କିମିତି?
ଏତେ ସବୁ ବାଦ୍‌ ମନ ଗୋଟେ ଅଛି ଆଜ୍ଞା! ଯେଉଁଠି ଜୀବନଯାକ ବଡ଼ ବଡ଼ ମାଟିଘର ଅଗଣା, ଉଚା ପିଣ୍ଡାରେ ବଢିଛୁ, ବଣ ପାହାଡ଼ର ମିଠା ମିଠା ବାସ୍ନାର ପବନରେ ମାତିଛୁ, ଝର ପାଣିରେ ବୁଡିଛୁ, ସେଠି ମାତ୍ର ଦଶ ଡିସିମିଲ ଜାଗା ଭିତରେ କେମିତି ଜିଇ ହେବ! ନିଃଶ୍ୱାସ ମାରିଲେ ଏଠି ଧଇଁସଇଁ ଲାଗୁଛି। ପୁଷ ପୂନେଇଁ, ନବାନ୍ନ ହେଉ କି ଫାରସ ନାଟ କିଛି ନାହଁି ଏଠି। ଭାଇ ଭାଇ ଅଲଗା ଘର। ନିଜ ନିଜ ଘରେ ପରବପର୍ବାଣି ତ ଓ ହସଖୁସି। ପଇସା ଥାଇ ଇମିତି ଜୀବନ କିଛି ଗୋଟେ ଅଛି କି ଆଜ୍ଞା! ତୁମେ କୁହ ଆଗେ! ‘ଓଲଟା ପ୍ରଶ୍ନର ଉତ୍ତର ମୋ ପାଖେ କି ମୋ ସାଥିରେ ଥିବା ବନ୍ଧୁଙ୍କ ପାଖରେ ନ ଥିଲା। ସେଠୁ ସାହି ସାହି ବୁଲିଲୁ। ବିସ୍ଥାପିତଙ୍କ ଅବସ୍ଥା ଓ ବ୍ୟବସ୍ଥାକୁ ଦେଖିଲୁ। ଆଲୋଚନା ହେଲା ବହୁତ। ହାତରେ ପଇସା ଅଛି। କିନ୍ତୁ କାହାରି ପାଖେ ସ୍ବପ୍ନ ନାହିଁ। ମୁଠା ମୁଠା ପଇସା ଭିତରେ ବି ତୁଚ୍ଛା ଦୁଃଖର କୋହ। ସବୁଠି ସେଇ ସେଇ ବେଦନା। ସମସ୍ତଙ୍କର ମୁହଁରେ ସେଇ ଏକା କଥା- ‘ଭଲ ଲାଗିଲେ ରହିବୁ, ନ ଲାଗିଲେ ବି ରହିବୁ। ଆମର ଆଉ ଗତିବୃତ୍ତି କାହିଁ!’
ସମସ୍ତେ ଇଟା ସିମେଣ୍ଟର ଘର ଭିତରେ ଥାଇ ମୁକ୍ତ ଆକାଶ ତଳେ ଥିବା ଫକିର। ହାତକୁ କାମ ନାହିଁ। କମ୍ପାନୀ ଦେଉଥିବା ତିନି ହଜାରକୁ ନେଇ ଗତିଶୀଳ ଜୀବନ। ଯୁବତୀଯୁବକଙ୍କ ହାତରେ ମୋବାଇଲ। ସାମାଜିକ ଗଣମାଧ୍ୟମ ଭିତରେ ବିତୁଛି ଦିନରାତି। କମ୍ପାନୀ ପୁଳା ପୁଳା ଟଙ୍କା ଦେଇଛି, ହେଲେ ଜଣେ କାହାକୁ ରୋଜଗାର ଦେଇପାରିନି। ଆଖପାଖରେ ଜମି କିଣି ପୁଣି ଚାଷବାସ କରିବାକୁ କିଛି ବାସଚ୍ୟୁତଙ୍କ ଇଚ୍ଛା। ଅଥଚ କିଣିବାକୁ ଜମି ମିଳୁନି।ସେଇଠି ହିଁ ଭବିଷ୍ୟତ ଜୀବନର ବିପଦ ଜଳଜଳ ହୋଇ ସ୍ପଷ୍ଟ ଦିଶୁଛି। ଏସବୁ ଭିତରେ ଅଶୀ ବର୍ଷ ବୟସ୍କ ଶତ୍ରୁଘ୍ନ ଭଇଁସା କହିଲେ – ‘ଏଠି ପାନି ସରସର, ଖର୍ଚ୍ଚାପାନି ଝରଝର। ଉପର ସବେ ମଲମଲ, ମନର କଥା ମନ ଜାନୁଛେ, କାନ୍ଦି ଜାଉଁଛେ ପରାନ। ‘ବାସ୍ତବରେ ସମସ୍ତଙ୍କ ମୁହଁରେ ନେସି ହୋଇଛି କାନ୍ଦୁରା ହସ, ଯେଉଁଥିରେ ନାହିଁ ଖୁସିର ଉଶ୍ବାସ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା, ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri