କାନ୍ଦୁରା ହସ

ଦ୍ୱିତୀ ଚନ୍ଦ୍ର ସାହୁ

 

ଧାଡ଼ି ଧାଡ଼ି ହୋଇ ରହିଛି ନୂଆ ଘର। ନୂଆ ରଙ୍ଗରେ ଧଉଳା ହୋଇ ବେଶ୍‌ ଆକର୍ଷଣୀୟ ଲାଗୁଛି। ଦୁଇ ଧାରରେ ଠିଆ ହୋଇଥିବା ଘରକୁ ଦି’ ଫାଳ କରି ଲମ୍ବିଛି କଳା ମଚମଚ ପିଚୁ ରାସ୍ତା। ରାସ୍ତାର କଡ଼େ କଡ଼େ ଠାଏ ଠାଏ ମଇଳା ପକାଇବା ରଙ୍ଗିନ କୁଣ୍ଡ। ଏପାଖ ସେପାଖ ହୋଇ ନାନା ଜ୍ୟାମିତିକ ଚିତ୍ର ବହନ କରୁଥିବା କୃତ୍ରିମ ବସ୍ତି। ବସ୍ତି ତ କୁହାଯିବନି। ଠୁକୁରୁ ଠୁକୁରୁ ପାଦଚଲା ଆରମ୍ଭ କରୁଥିବା ଗୋଟେ ସାନ ସହର। ଏଇଥିପାଇଁ ସହର କହିବାକୁ ବାଧ୍ୟ ହେଲି ଆଜିକାଲି ସହରତଳିରେ ଗଢି ଉଠିଥିବା ରିୟଲ ଇଷ୍ଟେଟ କମ୍ପାନୀ ଦ୍ୱାରା ନିର୍ମିତ ଅଚିରେ ଭ୍ରମ ସୃଷ୍ଟି କରୁଥିବା ଝଲମଲ ଅଞ୍ଚଳ ପରି ଲାଗୁଥିଲା ଅବିକଳ। ପ୍ରବେଶରେ ସୁନ୍ଦର ସିମେଣ୍ଟର ତୋରଣ ସହ ବିରାଟ ଫାଟକ। ପରସ୍ପରକୁ ଛେଦ କରୁଥିବା କଲୋନୀ। ଅନବରତ ପାଣି, ବିଦ୍ୟୁତ୍‌ ଆଲୁଅର ବ୍ୟବସ୍ଥା। ବିଦ୍ୟୁତ୍‌ ଚାଲିଗଲେ ବିକଳ୍ପ ବିଦ୍ୟୁତ୍‌ ଯୋଗାଇବାର ସୁବିଧା। ଘର କହିଲେ ଚାରି ବଖରିଆ ଘର। ସେଥିରେ ଗୋଟେ ରୋଷେଇ ଘର ଓ ଆଉ ଗୋଟେ ଛୋଟ ଘର। ପୂଜା ଘର କରିପାର ଅବା ଗୋଦାମ ଗୃହ। ଘର ପଛକୁ ଆଉ ଗୋଟେ ଛୋଟ ଆଜବେଷ୍ଟସ ଗୁହାଳ। ଗୁହାଳକୁ ଲାଗି ଦି’ଟା ପାଇଖାନା। ଗୁହାଳ ପଛପଟେ ବାଡିବଗିଚା ଲାଗି ସାମାନ୍ୟ ଅଳ୍ପ ସ୍ଥାନ। ତମାମ କଲୋନୀ ଚାରିପଟେ ତାରବାଡ଼। ତାରି ଭିତରେ ରହୁଛନ୍ତି ସୁନ୍ଦରଗଡ଼ ହେମଗିରି ବ୍ଲକର ବିସ୍ଥାପିତ ଅଞ୍ଚଳର ଭିଟାମାଟି ହରାଇଥିବା ଲୋକେ। ବହୁଦୂର ପର୍ଯ୍ୟନ୍ତ ଜଙ୍ଗଲର ଦେଖା ନାହିଁ। ପାହାଡ଼ ଛୁଇଁବାକୁ ହେଲେ କୋଶେ ବାଟ ଚାଲିବାକୁ ହେବ। ଚାରିପଟେ ଟାଙ୍ଗରା ଭୂଇଁ। ତାରି ଭିତରେ ବିସ୍ଥାପିତ ମଣିଷ। ଅବଶ୍ୟ ମିଳିଛି ପ୍ରଚୁର ଅର୍ଥ। ଚାଷଜମିକୁ ଏକର ପିଛା ପନ୍ଦର ଲକ୍ଷ। ଘର ବାବଦକୁ ଖର୍ଚ୍ଚ ବାର ଲକ୍ଷ। ଯିଏ ନିଜେ କରିବାକୁ ଆଗ୍ରହୀ ପାଇବ ମାତ୍ର ଛଅ ଲକ୍ଷ। ଗାଁରେ ହରାଇଥିବା ଘର ବାବଦକୁ ବର୍ଗଫୁଟକୁ ପାଞ୍ଚଶହ ହିସାବରେ ଯିଏ ଯେତିକି ପାଇଲା ସେତିକି ନେଇ ଘର ଛାଡିବ। ଅଠର ବର୍ଷରୁ ଊର୍ଦ୍ଧ୍ୱ ପାରିବାରିକ ସଦସ୍ୟ ପାଇଁ ଆଉ ଗୋଟେ ନୂଆଘର। ବିବାହ ଯୋଗ୍ୟାଙ୍କ ପାଇଁ ଅଲଗା ବ୍ୟବସ୍ଥା। ପାଖାପାଖି କୋଡିଏରୁ ଚବିଶ ଲକ୍ଷ ଯାଏ ହିସାବ ଅନୁଯାୟୀ ବଢିଲା ଝିଅମାନେ ପାଇଛନ୍ତି ଅର୍ଥ। ତା’ ପାଇଁ ପୁଣି ଅଲଗା ଗୋଟେ ଘର। ଏସବୁବାଦ୍‌ ପ୍ରତି ଘର ପିଛା ମାସିକ ତିନି ହଜାର ଟଙ୍କା ଆଗାମୀ ୩୦ ବର୍ଷ ଯାଏ ଦେବାକୁ କମ୍ପାନୀ ଦେଇଛି ପ୍ରତିଶ୍ରୁତି। ତା’ ସହିତ ୩୦ବର୍ଷ ଯାଏ କଲୋନୀର ସମସ୍ତ ପରିଚାଳନା ଦାୟିତ୍ୱ ବୁଝିବ କମ୍ପାନୀ। ଏକାଥରକେ ଗଳଗଳ କରି ମିଳିଥିବା ହିସାବର ବିବରଣୀ ପ୍ରଦାନ କଲେ ଅନ୍ୟତମ ବାସଚ୍ୟୁତ ତଥା ପୂର୍ବତନ ସରପଞ୍ଚ ବୁଦ୍ଧଦେବ ଭୋଏ।
ଖଣି ପାଇଁ ସାନଘୁମୁଡାର ବାସଚ୍ୟୁତ ହୋଇଥିବା ୧୨୨ ପରିବାର ଲାଗି ନିର୍ମିତ ହୋଇଛି ୧୧୭ଟି ଘର। ବାକି କିଛି ଅନ୍ୟତ୍ର ରହୁଛନ୍ତି। ଚିକିତ୍ସାଳୟ, ପଢାଘର, ବିଦ୍ୟାଳୟ, ହାଟବଜାର, ମନ୍ଦିର, ମନୋରଞ୍ଜନ କେନ୍ଦ୍ର ସବୁ ଖଞ୍ଜି ଦେଇଛି କମ୍ପାନୀ। ପ୍ରଚୁର ଅର୍ଥ ମିଳିଛି, ତା’ ସହିତ ସବୁ ସୁବିଧା ଥାଇ ଘର। ବଞ୍ଚତ୍ବା ଖୁବ୍‌ ଭଲ ଲାଗୁଥିବ! ଏତିକି କଥାରେ ଭୋ ଭୋ ହୋଇଗଲେ ଭୋଏ। ଶୁଖିଲା ପତର ଖରାମାସରେ ଯେମିତି ଉଡି ଉଡି ଏଠି ସେଠି ବାଡ଼େଇହୋଇ ତା’ର ପରିଚୟ ହରେଇଦିଏ। କେଉଁ ଗଛରୁ ଆସିଛି ଜାଣିପାରେନି। ସେମିତି ଗତି ଆମ ଲୋକଙ୍କର ହୋଇଛି ବୋଲି ଆତ୍ମଗ୍ଳାନିକୁ ବଖାଣିଲେ। ଦାଣ୍ଡବାଡ଼କୁ ଲାଗି ଜଙ୍ଗଲ। କଳକଳ ହୋଇ ବୋହିଯାଉଥିବା ଝରଣା। ଗାଁ ମୁଣ୍ଡର ଦେମୂଳି। ଅଗଣା ଥିବା ପୁରୁଷ ପୁରୁଷର ଘର। ଶୀତକାକର ଓ ଗରମରୁ ରକ୍ଷା କରୁଥିବା ଅନ୍ତୁୁଡିଶାଳ। ଜମିର ଧାନ। ବଣ ଡଙ୍ଗରର ଜାତିଜାତିକା ପାଚିଲା ଫଳ ଖାଇବା ଏସବୁ କେଉଁଠି ମିଳିବ। ଚୁଲି ନିଆଁରେ ପୋଡା ବାଇଗଣ ଓ ପାତଲ ଘଣ୍ଟାର ସୁଆଦ ଠିଆ ଚୁଲିରେ ମିଳିବ କିମିତି?
ଏତେ ସବୁ ବାଦ୍‌ ମନ ଗୋଟେ ଅଛି ଆଜ୍ଞା! ଯେଉଁଠି ଜୀବନଯାକ ବଡ଼ ବଡ଼ ମାଟିଘର ଅଗଣା, ଉଚା ପିଣ୍ଡାରେ ବଢିଛୁ, ବଣ ପାହାଡ଼ର ମିଠା ମିଠା ବାସ୍ନାର ପବନରେ ମାତିଛୁ, ଝର ପାଣିରେ ବୁଡିଛୁ, ସେଠି ମାତ୍ର ଦଶ ଡିସିମିଲ ଜାଗା ଭିତରେ କେମିତି ଜିଇ ହେବ! ନିଃଶ୍ୱାସ ମାରିଲେ ଏଠି ଧଇଁସଇଁ ଲାଗୁଛି। ପୁଷ ପୂନେଇଁ, ନବାନ୍ନ ହେଉ କି ଫାରସ ନାଟ କିଛି ନାହଁି ଏଠି। ଭାଇ ଭାଇ ଅଲଗା ଘର। ନିଜ ନିଜ ଘରେ ପରବପର୍ବାଣି ତ ଓ ହସଖୁସି। ପଇସା ଥାଇ ଇମିତି ଜୀବନ କିଛି ଗୋଟେ ଅଛି କି ଆଜ୍ଞା! ତୁମେ କୁହ ଆଗେ! ‘ଓଲଟା ପ୍ରଶ୍ନର ଉତ୍ତର ମୋ ପାଖେ କି ମୋ ସାଥିରେ ଥିବା ବନ୍ଧୁଙ୍କ ପାଖରେ ନ ଥିଲା। ସେଠୁ ସାହି ସାହି ବୁଲିଲୁ। ବିସ୍ଥାପିତଙ୍କ ଅବସ୍ଥା ଓ ବ୍ୟବସ୍ଥାକୁ ଦେଖିଲୁ। ଆଲୋଚନା ହେଲା ବହୁତ। ହାତରେ ପଇସା ଅଛି। କିନ୍ତୁ କାହାରି ପାଖେ ସ୍ବପ୍ନ ନାହିଁ। ମୁଠା ମୁଠା ପଇସା ଭିତରେ ବି ତୁଚ୍ଛା ଦୁଃଖର କୋହ। ସବୁଠି ସେଇ ସେଇ ବେଦନା। ସମସ୍ତଙ୍କର ମୁହଁରେ ସେଇ ଏକା କଥା- ‘ଭଲ ଲାଗିଲେ ରହିବୁ, ନ ଲାଗିଲେ ବି ରହିବୁ। ଆମର ଆଉ ଗତିବୃତ୍ତି କାହିଁ!’
ସମସ୍ତେ ଇଟା ସିମେଣ୍ଟର ଘର ଭିତରେ ଥାଇ ମୁକ୍ତ ଆକାଶ ତଳେ ଥିବା ଫକିର। ହାତକୁ କାମ ନାହିଁ। କମ୍ପାନୀ ଦେଉଥିବା ତିନି ହଜାରକୁ ନେଇ ଗତିଶୀଳ ଜୀବନ। ଯୁବତୀଯୁବକଙ୍କ ହାତରେ ମୋବାଇଲ। ସାମାଜିକ ଗଣମାଧ୍ୟମ ଭିତରେ ବିତୁଛି ଦିନରାତି। କମ୍ପାନୀ ପୁଳା ପୁଳା ଟଙ୍କା ଦେଇଛି, ହେଲେ ଜଣେ କାହାକୁ ରୋଜଗାର ଦେଇପାରିନି। ଆଖପାଖରେ ଜମି କିଣି ପୁଣି ଚାଷବାସ କରିବାକୁ କିଛି ବାସଚ୍ୟୁତଙ୍କ ଇଚ୍ଛା। ଅଥଚ କିଣିବାକୁ ଜମି ମିଳୁନି।ସେଇଠି ହିଁ ଭବିଷ୍ୟତ ଜୀବନର ବିପଦ ଜଳଜଳ ହୋଇ ସ୍ପଷ୍ଟ ଦିଶୁଛି। ଏସବୁ ଭିତରେ ଅଶୀ ବର୍ଷ ବୟସ୍କ ଶତ୍ରୁଘ୍ନ ଭଇଁସା କହିଲେ – ‘ଏଠି ପାନି ସରସର, ଖର୍ଚ୍ଚାପାନି ଝରଝର। ଉପର ସବେ ମଲମଲ, ମନର କଥା ମନ ଜାନୁଛେ, କାନ୍ଦି ଜାଉଁଛେ ପରାନ। ‘ବାସ୍ତବରେ ସମସ୍ତଙ୍କ ମୁହଁରେ ନେସି ହୋଇଛି କାନ୍ଦୁରା ହସ, ଯେଉଁଥିରେ ନାହିଁ ଖୁସିର ଉଶ୍ବାସ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା, ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri