Categories: ଖେଳ

ଚାପ ବିନା କ୍ରିକେଟ ରୋମାଞ୍ଚହୀନ: ମୋରିସ

ଦୁବାଇ,୨୪।୧୦(ପି.ଟି.): ଚାପ ନ ଥିଲେ କ୍ରିକେଟର ମାନେ କିଛି ନାହିଁ। ଚାପ ନ ଥିଲେ କ୍ରିକେଟରେ ରୋମାଞ୍ଚ ନାହିଁ ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ କହିଛନ୍ତି। ଜଣେ ଅଲରାଉଣ୍ଡର ଭାବେ ବାଙ୍ଗାଲୋର ଦଳରେ ତାଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ହୃଦୟଙ୍ଗମ କରିଛନ୍ତି। ଏହାଦ୍ୱାରା ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ତାଙ୍କର ପ୍ରଦର୍ଶନରେ ଯଥେଷ୍ଟ ସ୍ଥିରତା ଆସିଛି। ଆଇପିଏଲ୍‌ରେ ମୋରିସ ସବୁବେଳେ ଭଲ ପ୍ରଦର୍ଶନ କରିଆସିଛନ୍ତି। ପୂର୍ବରୁ ଦିଲ୍ଲୀ ଦଳ ପାଇଁ ସେ ୪ଟି ସଂସ୍କରଣରେ ଖେଳିଥିଲେ। ଏବେ ସେ ବାଙ୍ଗାଲୋର ପାଇଁ ଖେଳିବାର ସୁଯୋଗ ହାସଲ କରିଛନ୍ତି। ମୋରିସଙ୍କ ଯୋଗୁ ବାଙ୍ଗାଲୋର ଦଳରେ ସନ୍ତୁଳନ ଆସିଛି। ସେ ଅଧିନାୟକ ବିରାଟ କୋହଲିଙ୍କ ବିଶ୍ୱାସଭାଜନ ହୋଇପାରିଛନ୍ତି।
ଚଳିତ ଆଇପିଏଲ୍‌ର ପ୍ରଥମ ୪ଟି ମ୍ୟାଚ୍‌ ସେ ସାଇଡ୍‌ ଷ୍ଟ୍ରେନ୍‌ ଇଞ୍ଜୁରି କାରଣରୁ ଖେଳିପାରି ନ ଥିଲେ। ତେବେ ଏହାପରେ ଏହି ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ୫ଟି ମ୍ୟାଚ୍‌ ଖେଳି ୯ଟି ଉଇକେଟ ହାସଲ କରିଛନ୍ତି। କଞ୍ଜୁସ ବୋଲିଂ କରି ସେ ଓଭରପିଛା ମାତ୍ର ୫ ରନ ବ୍ୟୟ କରିଛନ୍ତି। ଡେଥ୍‌ ଓଭରରେ ନବୀଦପ ସଇନିଙ୍କ ସମେତ ତାଙ୍କର ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ।
କୋଭିଡ୍‌-୧୯ କାରଣରୁ ଜାରି କରାଯାଇଥିବା ଲକ୍‌ଡାଉନ ତାଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି। ଏହାଦ୍ୱାରା ସେ ଶାରୀରିକ ଓ ମାନସିକ ଭାବେ ବିଶ୍ରାମ ପାଇଛନ୍ତି ଓ ବେଶ୍‌ ତାଜା ଅନୁଭବ କରିଛନ୍ତି ବୋଲି ୩୩ ବର୍ଷୀୟ ମୋରିସ ଶୁକ୍ରବାର ଏକ ଅନ୍‌ଲାଇନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଆମେ ଯଥେଷ୍ଟ ହୋମ୍‌ଓ୍ବାର୍କ କରିଛୁ। ମ୍ୟାଚ୍‌ ପୂର୍ବରୁ ଆମେ ସ୍ପଷ୍ଟ ଯୋଜନା କରିଥାଉ। ଯଦି ଗୋଟିଏ ଯୋଜନା ଫେଲ୍‌ ମାରିଲା ତେବେ ପ୍ଲାନ୍‌- ବି’କୁ କାର୍ଯ୍ୟକାରୀ କରୁ। ଏହା ଫେଲ୍‌ ମାରିଲେ ଆମେ ପ୍ଲାନ୍‌-ସି’କୁ କାର୍ଯ୍ୟକାରୀ କରୁ। ଇଞ୍ଜୁରି ସମୟରେ ରିହାବିଲିଟେଶନ ପିରିୟଡ୍‌ରେ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲି। ତେବେ ସପୋର୍ଟ ଷ୍ଟାଫ୍‌ ସବୁ କାମ ସହଜ କରିଥିଲେ। ଆରମ୍ଭ ଓ ଡେଥ୍‌ ଓଭରରେ ବୋଲିଂ କରିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ। ତେବେ ଚାପ ବିନା କ୍ରିକେଟ ରୋମାଞ୍ଚକ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ସାଥୀ ଖେଳାଳିମାନଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଯୁବ ଓପନର କିଛିମାତ୍ରାରେ ମାଥ୍ୟୁ ହେଡେନଙ୍କ ଭଳି ଖେଳୁଛନ୍ତି ଓ ସେ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ମୋରିସ କହିଛନ୍ତି।

Share