Categories: ଖେଳ

ଆଇପିଏଲ୍‌ ୨୦୨୦: କ୍ରେଡ୍‌ ନୂଆ ଅଫିସିଆଲ ସ୍ପୋନ୍ସରଶିପ୍‌ ପାର୍ଟନର

ନୂଆଦିଲ୍ଲୀ,୨୭।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ଏକ ଖୁସି ଖବର। ଏବେ କ୍ରେଡିଟ୍‌ କାର୍ଡ କମ୍ପାନୀ ସିଆରଇଡି (କ୍ରେଡ୍‌) ଆଇପିଏଲ୍‌ ୨୦୨୦ର ନୂଆ ଅଫିସିଆଲ ସ୍ପୋନ୍ସରଶିପ୍‌ ପାର୍ଟନର ହିସାବରେ ଚୁକ୍ତି କରିଛି। ଆଇପିଏଲ୍‌ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଥିବା ବେଳେ ଏହି ଚୁକ୍ତି ଟୁର୍ନାମେଣ୍ଟ ଷ୍ଟେକ୍‌ ହୋଲ୍ଡରଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ଆଶା କରାଯାଉଛି। ପୂର୍ବରୁ ଅନ୍‌ଏକାଡେମୀ ସହିତ ବିସିସିଆଇ ଚୁକ୍ତି କରିଥିଲା। ଏବେ କ୍ରେଡ୍‌ ଏଥିରେ ସାମିଲ ହେବା ଫଳରେ ଗତ ସଂସ୍କରଣ ଭଳି ଆଇପିଏଲ୍‌ ୨୦୨୦ରେ ସବୁ ୩ଟି ପାର୍ଟନରଶିପ୍‌ ସ୍ଥାନ ପୂରା ହୋଇଛି।
ଟାଟା ମୋଟର୍ସ, ଅନ୍‌ଏକାଡେମୀ ଓ କ୍ରେଡ୍‌ ଏବେ ବିସିସିଆଇ ୩ଟି ପାର୍ଟନଶିପ୍‌ ସ୍ଲଟ୍‌ ପୂର୍ଣ୍ଣ କରିଛନ୍ତି। ଏଥିରୁ ବିସିସିଆଇ ୧୨୦ କୋଟି ଟଙ୍କା ଅର୍ଥ ଉପାର୍ଜନ କରିବ। ଅଫିସିଆଲ ପାର୍ଟନରଶିପ୍‌ ସ୍ଲଟ୍‌ ପୂରା କରିଥିବାରୁ ଆମେ ବହୁତ ଖୁସି ଓ ଏହା ଆଇପିଏଲ୍‌ ବ୍ରାଣ୍ଡ୍‌ର ଶକ୍ତିକୁ ଦର୍ଶାଉଛି ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ଇନ୍‌ସାଇଡ୍‌ସ୍ପୋଟର୍‌ସକୁ କହିଛନ୍ତି। ଡ୍ରିମ୍‌ ୧୧ ଟାଇଟଲ ପ୍ରାୟୋଜକ ଭାବେ ଚୁକ୍ତିବଦ୍ଧ ହେବା ପରେ ଦୁଇଟି ପାର୍ଟନରଶିପ୍‌ ସ୍ଲଟ୍‌ ଫାଙ୍କା ପଡିଥିଲା। ବର୍ତ୍ତମାନ ଅନ୍‌ଏକାଡେମୀ ଓ କ୍ରେଡ୍‌ ଏହି ଫାଙ୍କା ସ୍ଥାନକୁ ପୂରଣ କରିଛନ୍ତି। ବିସିସିଆଇ ଏବେ ବେଶ୍‌ ସହଜ ଅନୁଭବ କରିବ। ଅନ୍‌ଏକାଡେମୀ ସହ ୩ ବର୍ଷିଆ ଚୁକ୍ତି ହୋଇଛି। ତେବେ ଏ ସଂକ୍ରାନ୍ତରେ ଆମେ ଆନୁଷ୍ଠାନିକ ଭାବେ ଘୋଷଣା କରିବୁ ବୋଲି ବୋର୍ଡର ଅଧିକାରୀ ଜଣକ କହିଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ବିସିସିଆଇର ସେଣ୍ଟ୍ରାଲ ସ୍ପୋନ୍ସରଶିପ୍‌ ରେଭିନ୍ୟୁ ୩୦ ପ୍ରତିଶତ ଅବନତି ହୋଇଛି। ୨୦୧୯ ଆଇପିଏଲ୍‌ରେ ମୋଟ୍‌ ସେଣ୍ଟ୍ରାଲ ସ୍ପୋନ୍ସରଶିପ୍‌ ବାବଦରେ ୬୧୮ କୋଟି ଟଙ୍କା ଉପାର୍ଜନ ହୋଇଥିଲା। କିନ୍ତୁ ଆଇପିଏଲ ୨୦୨୦ରେ ମୋଟ ସେଣ୍ଟ୍ରାଲ ସ୍ପୋନ୍ସସରଶିପ୍‌ ମାଧ୍ୟମରେ ୩୬୦ କୋଟି ଟଙ୍କା ଉପାର୍ଜନ ହେବ। ଟାଇଟଲ ସ୍ପୋନ୍ସରଶିପ୍‌ରେ ୫୦ ପ୍ରତିଶତ କାଟ୍‌ କରାଯିବା ଦ୍ୱାରା ଏପରି ପରିସ୍ଥିତି ଉପୁଜିଛି। ବର୍ତ୍ତମାନ ଆଇପିଏଲ୍‌ ୨୦୨୦ର ମୋଟ ସ୍ପୋନ୍ସରଶିପ୍‌ ରେଭିନ୍ୟୁ ୩୬୦ କୋଟି ଟଙ୍କା ରହିଛି। ଷ୍ଟାର ଇଣ୍ଡିଆ ଆଇପିଏଲ୍‌ର ଅଫିସିଆଲ ବ୍ରୋଡ୍‌କାଷ୍ଟର ରହିଛି। ଇତିମଧ୍ୟରେ ଆଇପିଏଲ୍‌ ୨୦୨୦ ପାଇଁ ଷ୍ଟାର ଇଣ୍ଡିଆ କୋ- ପ୍ରେଜେଣ୍ଟିଂ ପାର୍ଟନର ଭାବେ ଆମାଜନ, ଫୋନ୍‌ପେ ଓ ଡ୍ରିମ୍‌ ୧୧ ସହ ଚୁକ୍ତି କରିଛି।

Share