ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏଶନ(ଓମ୍ସା) ନେତୃତ୍ୱରେ ଆନ୍ଦୋଳନରେ ସାମିଲ ହୋଇଥିବା ଡାକ୍ତରମାନଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆନ୍ଦୋଳନରତ ଡାକ୍ତରମାନଙ୍କର ଦରମା ବନ୍ଦ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ ଓ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି।
ସ୍ୱାସ୍ଥ୍ୟ ବିଭାଗର ଚିଠି ଅନୁଯାୟୀ, ଓଡ଼ିଶା ମେଡିକାଲ ଆଣ୍ଡ ହେଲ୍ଥ ସର୍ଭିସେସ୍ (OMHS) କ୍ୟାଡର ଅଧୀନରେ ଆସୁଥିବା ଯେଉଁ ମେଡିକାଲ ଅଫିସରମାନେ କାର୍ଯ୍ୟରେ ଯୋଗ ନଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି, ସେମାନଙ୍କର ଦରମା ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି। କେବଳ ସେତିକି ନୁହେଁ, ଆନ୍ଦୋଳନରେ ସାମିଲ ଥିବା ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କ ଉପରେ ମଧ୍ୟ ଖଣ୍ଡା ଝୁଲିଛି। ସେମାନଙ୍କୁ ପ୍ରଥମେ ନୋଟିସ୍ ଦିଆଯିବା ସହ ପରବର୍ତ୍ତୀ ସମୟରେ କାର୍ଯ୍ୟରୁ ନିବୃତ୍ତ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି।
ରାଜ୍ୟର ସ୍ୱାସ୍ଥ୍ୟ ସେବା ଯେପରି ବିପର୍ଯ୍ୟସ୍ତ ନହେବ, ସେଥିପାଇଁ ବିଭାଗ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏ ସଂକ୍ରାନ୍ତରେ ରାଜ୍ୟର ସବୁ ମେଡିକାଲ କଲେଜ, ସରକାରୀ ହସ୍ପିଟାଲ, ସିଡିଏମଓ (CDMO) ଏବଂ ପିଏଚଓ (PHO) ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖି ତୁରନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପରେ ଏବେ ଆନ୍ଦୋଳନରତ ଡାକ୍ତରଙ୍କ ମହଲରେ କମ୍ପନ ସୃଷ୍ଟି ହୋଇଛି।