ପୋଲିସ କର୍ମଚାରୀଙ୍କୁ ସିପିଙ୍କ ଟାର୍ଗେଟ: ଏଣିକି ଫିଟ୍‌ନେସ୍‌ ନଥିଲେ ଅବସର !

ଭୁବନେଶ୍ୱର,୧୭।୭(ବ୍ୟୁରୋ): କମିଶନରେଟ ପୋଲିସର ସମସ୍ତ କର୍ମଚାରୀଙ୍କୁ ଦିଆଗଲା ଫିଟ୍‌ନେସ୍‌ ଟାର୍ଗେଟ। ଏନେଇ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଶୁକ୍ରବାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେ କହିଛନ୍ତି, ଏକ ସପ୍ତାହ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା, ଓଜନ ମାପ ହେବ। ସବୁ କର୍ମଚାରୀଙ୍କୁ ସେମାନଙ୍କ ବଡ଼ି ମାସ୍‌ ଇଣ୍ଡେକ୍ସ ଲିଖିତ ଭାବେ ଦିଆଯିବ। ବୟସ ଓ ଉଚ୍ଚତା ଅନୁସାରେ ଓଜନ କେତେ ହେବା କଥା କୁହାଯିବ। ୧୯ରୁ ୨୫ ଯାଏ ବିଏମ୍‌ଆଇ ସ୍ବାଭାବିକ, ୩୦ ହେଲେ ମେଦବହୁଳତା ବୋଲି ଧରାଯିବ। ଓଜନ, ବିଏମ୍‌ଆଇ ପ୍ରଦାନ କାର୍ଯ୍ୟ ଜୁଲାଇ ୩୦ ମଧ୍ୟରେ ଶେଷ କରାଯିବ। ୩ ମାସ ପରେ ନଭେମ୍ବର ମାସରେ ପୁଣି ସମସ୍ତଙ୍କ ଓଜନ ନିଆଯିବ। ସେମାନେ ଓଜନ କମାଇବାକୁ କେତେ ଚେଷ୍ଟିତ ତାହା ପରଖାଯିବ। ଯାହାର ବିଏମ୍‌ଆଇ ୩୦ ଉପରେ ଥିବ, ସେ ବାଧ୍ୟତାମୂଳକ ବ୍ୟାୟାମ କରିବେ। ଏଥିସହ ୬ ସପ୍ତାହ ରିଫ୍ରେସର କୋର୍ସ କରିବେ। ଯେଉଁମାନେ ଆଦେଶକୁ ଗୁରୁତ୍ୱ ଦେବେ ନାହିଁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କ ଇନ୍‌କ୍ରିମେଣ୍ଟ ବନ୍ଦ କରାଯାଇପାରେ। ତେବେ ସ୍ବାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ମଧ୍ୟ ଦିଆଯାଇପାରେ ବୋଲି କମିଶନର କହିଛନ୍ତି।