ଗଞ୍ଜାମ,୨୫।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଆଞ୍ଚଳିକ କମିଟି ସିପିଆଇଏମ ପକ୍ଷରୁ ଗୁରୁବାର ଦିନ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଥମେ ଦଳୀୟ କର୍ମୀ ଓ ନେତାମାନେ ତ୍ରିବେଣୀ ମଠ ଛକ ଠାରୁ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାଦେଇ ବ୍ଲକ ସମ୍ମୁଖରେ ପହଂଚି ଥିଲେ ।
ସେଠାରେ ପୂର୍ବତନ ସରପଞ୍ଚ ଦିଲୀପ ଛୋଟରାୟଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଦଳର ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକ, କୃଷକ ନେତା ହରି କୃଷ୍ଣ ରେଡି, ରାଜ୍ୟ କମିଟି ସଦସ୍ୟ ରାମ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଜନ ମାରଣା ନୀତିକୁ ତୀବ୍ର ସମାଲୋଚନା କରିଥିଲେ ।
ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଅବ୍ୟବସ୍ଥା କରିବା, ବାର୍ଦ୍ଧକ୍ୟ ଭତ୍ତା ଲୋକଙ୍କୁ ଠିକ ଭାବେ ନମିଳିବା, ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ସାଧାରଣ ଲୋକଙ୍କୁ ଅସୁବିଧା ଭୋଗିବା, ରାଶନ କାର୍ଡ ଲୋକଙ୍କୁ ଠିକ ଭlବେ ନମିଳିବା । ପାଳିବନ୍ଦ ପଂଚାୟତର ଦଶଟି ଗ୍ରାମର ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ସମୁଦ୍ର ଯେଉଁ ଭଳି ଭାବେ କୂଳ ଖାଉଛି ତାହାର ସ୍ଥାୟୀ ପ୍ରତିକାର କରିବାକୁ ନେତା ମାନେ ଦାବି କରିଥିଲେ । ଏହାପରେ ଏକ ପ୍ରତିନିଧି ଦଳ ଯାଇ ବିଭିନ୍ନ ଦାବିର ସମାଧାନ ନିମନ୍ତେ ବିଡିଓଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ । ଏହି ସବୁ ସମସ୍ୟା ର ସମାଧାନ ସମେତ ସମୁଦ୍ର କୂଳ ଖାଇବା ସମସ୍ୟା ସମାଧାନ ପାଇଁ ଯଦି କିଛି ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନନିଅନ୍ତି ତାହେଲେ ବାଧ୍ୟ ହୋଇ ଲୋକମାନେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଦଳୀୟ ନେତାମାନେ କହିଛନ୍ତି ।
ସରପଞ୍ଚ ବୈରାଗୀ ବେହେରା, ଖଲି ସ୍ୱାଇଁ, କୃଷ୍ଣ ଗୌଡ଼, ଯୋଗେଶ ଚନ୍ଦ୍ର ସାହୁ, ଗୋବର୍ଦ୍ଧନ ପାହାନ, ଅନୁରାଧା ଛଟେଇ, ତ୍ରିଲୋଚନ ପ୍ରଧାନ, ସତୀଶ ସ୍ୱାଇଁ, ସୁଜିତ ବେହେରା, ଶ୍ରୀଧର, ବସନ୍ତ, ମନୋଜ, ଧର୍ମ ରାଜ ସ୍ୱାଇଁ ସମେତ ବହୁ ସଂଖ୍ୟାରେ ଦଳୀୟକର୍ମୀ ଯୋଗ ଦେଇଥିଲେ ।