କୋଭିଡ୍‌ ପରିଚାଳନା ଓ ଅଦାଲତ

ରବିନାରାୟଣ ସାମଲ

କରୋନା ମହାମାରୀର ଦ୍ୱିତୀୟ ଲହରରେ ଗୋଟିଏ ଗୋଟିଏ ପରିବାର ଉଜୁଡ଼ି ଗଲା। ସାଧାରଣ ଜନତା ଅସହାୟ ହୋଇପଡ଼ିଲେ। କେଉଁଠି ଅକ୍ସିଜେନ୍‌ ଅଭାବରୁ ରୋଗୀର ପ୍ରାଣ ଗଲା ତ ଆଉ କେଉଁଠି ଉପଯୁକ୍ତ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁମୁଖରେ ପଡ଼ିଲା। ମାସ ମାସ ଧରି ଲୋକେ ଅପେକ୍ଷା କଲେଣି, ଟିକା ମିଳିଲା ନାହିଁ। ଦ୍ୱିତୀୟ ଲହର ନ ଯାଉଣୁ ତୃତୀୟ ଲହରର ଚିନ୍ତା ବି ଘାରିଲାଣି। ସରକାରଙ୍କ ମତିଗତି ଯାହା ତୃତୀୟ ଲହର କ’ଣ କେତେ ଯେ କ୍ଷତି ଘଟାଇବ ତାହା ସହଜରେ ଅନୁମାନ କରି ହେଉ ନାହିଁ। ଦେଶର ଅଦାଲତ ଯଦି ହସ୍ତକ୍ଷେପ କରି ନ ଥା’ନ୍ତେ ତେବେ ପରିସ୍ଥିତି ଆହୁରି ଭୟାନକ ହୋଇଥା’ନ୍ତା।
ଗତ ଏପ୍ରିଲ ମାସରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଗୋଟିଏ ଭଲ ମନ୍ତବ୍ୟ ଦେଇଥିଲେ- ‘କରୋନା ମହାମାରୀରେ ବିଫଳତାକୁ ସ୍ବୀକାର କରିବା ନେତା ଓ ଅମଲାଙ୍କୁ ବାଧୁଛି।’ ବାସ୍ତବରେ ସମାଲୋଚନାକୁ ସରକାର ସହି ପାରୁ ନ ଥିବା ଦେଖିବାକୁ ମିଳୁଛି। ସାମାଜିକ ଗଣମାଧ୍ୟମରେ କୋଭିଡ୍‌ ସମ୍ପର୍କିତ ପୋଷ୍ଟିଂକୁ ଅପରାଧ ଭାବେ ବିବେଚନା କରିବାକୁ ସରକାର ଗତ ଏପ୍ରିଲ୍‌ ମାସରେ ନିର୍ଦ୍ଦେଶନାମା ଜାରି କଲେ। ମାତ୍ର ସୁପ୍ରିମ୍‌ କୋର୍ଟ ନିଜ ଆଡ଼ୁ ହସ୍ତକ୍ଷେପ କରି ଏଥିପାଇଁ କାହାକୁ ଗିରଫ କଲେ ଅଦାଲତ ଅବମାନନା ହିସାବରେ ଗ୍ରହଣ କରାଯିବ ବୋଲି ବିଭିନ୍ନ ରାଜ୍ୟର ପୋଲିସ ଡିଜିଙ୍କୁ ରୋକଠୋକ ଜଣାଇ ଦେଲେ। ସେହିପରି ‘ଆମ ପିଲାମାନଙ୍କର ଟିକା ବାହାର ଦେଶକୁ କାହିଁକି ଦେଲ’ ବୋଲି ଦିଲ୍ଲୀର ରାସ୍ତାଘାଟରେ ପୋଷ୍ଟର ଦେଖିବାକୁ ମିଳିଲା। ଏହା ସରକାର ବିରୋଧୀ କହି ପୋଲିସ ୩୫ ଜଣଙ୍କୁ ଗିରଫ କଲା। ଏହା ବିରୋଧରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। କୋର୍ଟ ତାଙ୍କ ରାୟ ଶୁଣାଇବା ବାକି ରହିଛି।
ଦ୍ୱିତୀୟ ଲହର ଘାତକ ହେବ ବୋଲି ଗତ ଜାନୁୟାରୀ ମାସରୁ ବିଶେଷଜ୍ଞମାନେ ସତର୍କ କରାଇ ଆସିଥିଲେ। ଏକ ମାମଲାର ଶୁଣାଣି ବେଳେ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ ମଧ୍ୟ ଏକଥା ଦର୍ଶାଇଛନ୍ତି। କିନ୍ତୁ ସରକାର ଏଥି ପ୍ରତି କର୍ଣ୍ଣପାତ କରି ନ ଥିଲେ। ପାଞ୍ଚଟି ରାଜ୍ୟର ନିର୍ବାଚନୀ ସଭାରେ ହଜାର ହଜାର ଲୋକଙ୍କ ସମାବେଶ ସାଙ୍ଗକୁ କୁମ୍ଭମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ସାରା ଦେଶରେ କରୋନା ଭୂତାଣୁକୁ ବାଣ୍ଟି ଦେଲା। ନିର୍ବାଚନରେ କୋଭିଡ୍‌ ନିୟମ ପାଳନ କରାଯାଇ ନ ଥିବାରୁ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ‘ନିର୍ବାଚନ କମିଶନ ହତ୍ୟାକାରୀ’ ବୋଲି ‘କଠୋର’ ମନ୍ତବ୍ୟଟିଏ ଦେଇଥିଲେ। କୁମ୍ଭମେଳା ଓ ଚାରିଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ୍ୟ କରି ‘ଆମେ ଗୋଟିକ ପରେ ଗୋଟିଏ ଭୁଲ୍‌ କରୁଛନ୍ତି’ ବୋଲି ଉତ୍ତରାଖଣ୍ଡ ହାଇକୋର୍ଟ ସରକାରଙ୍କୁ ତାଗିଦ୍‌ କଲେ।
ଏପ୍ରିଲ ମାସ ଶେଷ ସପ୍ତାହରେ ଅକ୍ସିଜେନ ଅଭାବ ଯୋଗୁ ବହୁତ ରୋଗୀ ମୃତ୍ୟୁମୁଖରେ ପଡ଼ିଲେ। ଦିଲ୍ଲୀରେ ମଧ୍ୟ ସେହି ଅବସ୍ଥା ଜାରି ରହିଲା। ଅକ୍ସିଜେନ ଯୋଗାଣକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବାଦାନୁବାଦ ଚାଲିଲା। ଏକ ଜନସ୍ବାର୍ଥ ମାମଲାର ବିଚାର କରି ‘ଅକ୍ସିଜେନ ଯୋଗାଣରେ ବାଧା ଦେଲେ ଫାଶୀ’ ବୋଲି ଦିଲ୍ଲୀ ହାଇକୋର୍ଟ କଡ଼ା ଟିପ୍ପଣି ଦେଲେ। ଅବସ୍ଥାର କୌଣସି ପରିବର୍ତ୍ତନ ହୋଇ ନ ଥିବା ଲକ୍ଷ୍ୟ କରି ପୁନରାୟ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କଲେ – ‘ତୁମେ ଓଟପକ୍ଷୀ ଭଳି ବାଲିରେ ମୁହଁ ପୋତି ପାରିବ, କିନ୍ତୁ ଆମେ ନୁହେଁ।’ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅକ୍ସିଜେନ ଯୋଗାଇବାକୁ ହାତ ଯୋଡ଼ି ପ୍ରାର୍ଥନା କଲେ। ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ କୋଭିଡ୍‌ ନିୟମର ଅନୁପାଳନରେ ଅବହେଳାକୁ ମାନ୍ୟବର କୋଲକାତା ହାଇକୋର୍ଟ ଗୁରୁତ୍ୱର ସହ ବିଚାରକୁ ନେଇ ନିର୍ବାଚନ କମିଶନକୁ ତାଗିଦ୍‌ କରିଥିଲେ।
ଦିଲ୍ଲୀ, ମାଡ୍ରାସ, ଉତ୍ତରାଖଣ୍ଡ ଓ କୋଲକାତା ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟକୁ ଦେଖି ସର୍ବୋଚ୍ଚ ନ୍ୟାୟାଳୟ ତପତ୍ର ହୋଇ ଉଠିଥିଲେ। ‘ଆଉ ଚୁପ୍‌ ହୋଇ ବସିବୁ ନାହିଁ’ ବୋଲି ନିଜ ଆଡ଼ୁ ଏକ ଶୁଣାଣି କରି ଏପ୍ରିଲ ୨୬ରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ। କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ ଉପରେ ଜାରି କରିଥିବା କଟକଣାକୁ ପ୍ରତ୍ୟାଖ୍ୟାନ, ମେଡିକାଲ ଅକ୍ସିଜେନ ଉପଲବ୍ଧ ଓ ଯୋଗାଣକୁ ସୁନିଶ୍ଚିତ କରିବାକୁ ‘ଜାତୀୟ ଟାସ୍କ ଫୋର୍ସ’ ଗଠନ, ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଟିକାର ସୁଷମ ବଣ୍ଟନ ଏବଂ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ। କୋଭିଡ୍‌-୧୯ ଜନିତ ପରିସ୍ଥିତିକୁ ‘ଏକ ଅଭୂତପୂର୍ବ ମାନବିକ ସଙ୍କଟ’ ବୋଲି ମଧ୍ୟ ସୁପ୍ରିମ୍‌ କୋର୍ଟ ଅଭିହିତ କରିଥିବା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ।
କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁ ପ୍ରଥମ ଲହରଠାରୁ ଦ୍ୱିତୀୟ ଲହର ଅଧିକ ଘାତକ ସାଜିଲା। ତାଳିମାଡ଼, ଥାଳିମାଡ଼, ଟିକା ଉତ୍ସବ ଭଳି ପ୍ରହେଳିକା ଏଥିରେ ରୋକ୍‌ ଲଗାଇ ପାରିଲା ନାହିଁ। ଗତ ମାସରେ ସରକାରୀ ହିସାବରେ ମୃତ୍ୟୁସଂଖ୍ୟା ୩ ଲକ୍ଷ ୭୦ ହଜାର ହୋଇଥିଲା ବେଳେ ନ୍ୟୁୟର୍କ ଟାଇମ୍ସର ସର୍ଭେ ଏହି ସଂଖ୍ୟାକୁ ୪୨ ଲକ୍ଷ ବୋଲି ଦର୍ଶାଇଲା। ଭାରତ ସରକାର ଏହାକୁ ଖଣ୍ଡନ କରିଥିଲେ ମଧ୍ୟ ବିଭିନ୍ନ ଶ୍ମଶାନରେ ଶବଦାହ ଏବଂ ଉତ୍ତରପ୍ରଦେଶରେ ଗଙ୍ଗା ନଦୀ ପାଣିରେ ଓ ବାଲିରୁ ଉଦ୍ଧାର କରାଯାଇଥିବା ମୃତଦେହ ସରକାରୀ ହିସାବକୁ ଓଲଟ ପାଲଟ କରିଦେଲା। ପ୍ରକୃତ ତଥ୍ୟ ଏଯାବତ୍‌ ଲୋକଲୋଚନକୁ ଆସିପାରିଲା ନାହିଁ।
ମହାମାରୀରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ କେନ୍ଦ୍ର ସରକାର ଟାଳଟୁଳ ନୀତି ଅନୁସରଣ କରୁଥିଲେ। ଏପରି କି ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୧୨କୁ ମଧ୍ୟ ସଂଶୋଧନ କରିଥିଲେ। ମାତ୍ର କେତେଗୁଡ଼ିଏ ପିଟିଶନ୍‌ର ଏକତ୍ର ଶୁଣାଣି କରି ସୁପ୍ରିମ୍‌ କୋର୍ଟ କ୍ଷତିପୂରଣ ଦେବା ନିମିତ୍ତ ୬ ସପ୍ତାହ ମଧ୍ୟରେ ସାନି ଗାଇଡ୍‌ ଲାଇନ୍‌ ଜାରି କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଓ କୋଭିଡ୍‌ କଟକଣା ଭିତରେ ଦେଶର ଜନତା ଦୁଃଖ, ଯନ୍ତ୍ରଣା, ଅନାହାର ଓ ଅସହାୟତା ମଧ୍ୟରେ କାଳାତିପାତ କରୁଛନ୍ତି। ଏତିକି ବେଳେ ଦେଶର ଅଦାଲତ ଜନତାଙ୍କ ପାଖରେ ଛିଡ଼ା ହୋଇଛନ୍ତି। ମାତ୍ର ସରକାର ଏହାକୁ ସହ୍ୟ କରିପାରୁ ନାହାନ୍ତି। ‘ଅଦାଲତ ନିଜ ସୀମା ଭିତରେ ରହିବା ଉଚିତ’ ବୋଲି ଏକ ସତ୍ୟପାଠରେ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ମାତ୍ର ନ୍ୟାୟାଳୟ ସମ୍ବିଧାନର ଅନୁଚ୍ଛେଦ ୧୪ ଓ ୨୧ ଅନୁଯାୟୀ ଦେଶର ସମସ୍ତ ନାଗରିକଙ୍କୁ ସମାନ ସୁବିଧା ଓ ସୁରକ୍ଷା ଯୋଗାଇ ଦେବାକୁ ସରକାରଙ୍କୁ ଚେତାଇ ଦେଇଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ପ୍ରତି ଅସହିଷ୍ଣୁ ନ ହୋଇ ସରକାର ଏଥିରୁ କିଛି ଶିକ୍ଷା ଗ୍ରହଣ କଲେ ଦେଶବାସୀଙ୍କର ମଙ୍ଗଳ ହେବ।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri