Categories: ଖେଳ

କୋଭିଡ୍‌-୧୯: ୟୁଏସ୍‌, କାନାଡ଼ା ଓପନ ବ୍ୟାଡ୍‌ମିଣ୍ଟନ ବାତିଲ

ନୂଆଦିଲ୍ଲୀ,୧୩।୩(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଜାରି କରାଯାଇଥିବା କଟକଣା ଓ ବିଭିନ୍ନ ନିୟମ କାରଣରୁ ଦୁଇଟି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। ୟୁଏସ୍‌ ଓପନ୍‌ ଓ କାନାଡା ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟକୁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ବାତିଲ କରିବାକୁ ନିଷ୍ପତ୍ତି ନେଇଛି।
ୟୁଏସ୍‌ ଓପନ୍‌ ଏକ ସୁପର ୩୦୦ ଟୁର୍ନାମେଣ୍ଟ ରୂପେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଏହି ଟୁର୍ନାମେଣ୍ଟ ଆସନ୍ତା ଜୁଲାଇ ୬ରୁ ୧୧ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ସେହିପରି ଏକ ସୁପର ୧୦୦ ଟୁର୍ନାମେଣ୍ଟ ରୂପେ ବିବେଚିତ ହେଉଥିବା କାନାଡ଼ା ଓପନ ଜୁନ୍‌ ୨୯ରୁ ଆରମ୍ଭ ହୋଇ ଜୁଲାଇ ୪ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ଥିଲା। କୋଭିଡ୍‌-୧୯ କାରଣରୁ ଜାରି କରାଯାଇଥିବା ପ୍ରତିବନ୍ଧ ଓ ଏ ନେଇ ସୃଷ୍ଟି ହୋଇଥିବା ଜଟିଳତା କାରଣରୁ ଆମକୁ ଦୁଇଟି ଟୁର୍ନାମେଣ୍ଟ ବାତିଲ କରିବାକୁ ହେଲା ବୋଲି ବିଡବ୍ଲ୍ୟୁଏଫ୍‌ ତରଫରୁ କୁହାଯାଇଛି। ଏହାପରେ ବ୍ୟାଡ୍‌ମିଣ୍ଟନ ଏସିଆ ମଧ୍ୟ ତା’ର ଫ୍ଲାଗ୍‌ଶିପ୍‌ ଇଭେଣ୍ଟ ଏସିଆନ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖିଛି। ଏହି ଚାମ୍ପିୟନଶିପ୍‌ ଅଲିମ୍ପିକ୍‌ କ୍ୱାଲିଫାଇଙ୍ଗ୍‌ ଇଭେଣ୍ଟର ମାନ୍ୟତା ପାଇଥିଲା। ତେବେ ଅଲିମ୍ପିକ୍‌ ପିରିୟଡ ମଧ୍ୟରେ ଏସିଆନ୍‌ ଚାମ୍ପିୟନଶିପ୍‌କୁ ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆୟୋଜନ କରିହେବ ନାହିଁ ଓ ପଏଣ୍ଟକୁ ମଧ୍ୟ ସାମିଲ କରାଯାଇପାରିବ ନାହିଁ ବୋଲି ବିଡବ୍ଲ୍ୟୁଏଫ୍‌ ତରଫରୁ ସ୍ପଷ୍ଟ କରାଯାଇଛି। ଉଲ୍ଲେଖଥାଉ କି ନୂଆ କରି ଜାରି କରାଯାଇଥିବା ଅଲିମ୍ପିକ୍‌ କ୍ୱାଲିଫିକେଶନ ସିଷ୍ଟମ ଅନୁସାରେ କୌଣସି ରିପ୍ଲେସମେଣ୍ଟ ଟୁର୍ନାମେଣ୍ଟ ସାମିଲ କରାଯାଇପାରିବ ନାହିଁ। ତେଣୁ ଏସିଆନ ଚାମ୍ପିୟନଶିପ୍‌ ଆୟୋଜନ ନେଇ ଏବେ ପ୍ରଶ୍ନ ଉଠିଛି।

Share