Categories: ଖେଳ

କୋଭିଡ୍‌-୧୯: ଆରବର୍ଷକୁ ଘୁଞ୍ଚିଲା ଥୋମାସ, ଉବର କପ୍‌

ନୂଆଦିଲ୍ଲୀ, ୧୬।୯ (ପି.ଟି.): ଡେନମାର୍କରେ ଆୟୋଜନ ହେବାକୁ ଥିବା ଥୋମାସ ଓ ଉବର କପ୍‌କୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ମଙ୍ଗଳବାର ଏ ନେଇ ଘୋଷଣା କରିଛି। କୋଭିଡ୍‌-୧୯ ମହାମାରୀ କାରଣରୁ କେତୋଟି ଆଗଧାଡିର ଦଳ ଟୁର୍ନାମେଣ୍ଟରୁ ଓହରିଯିବା ଫଳରେ ବିଡବ୍ଲ୍ୟୁଏଫ୍‌ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି।
ଏହି ଟୁର୍ନାମେଣ୍ଟ ଅକ୍ଟୋବର ୩ରୁ ୧୧ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ଭାରତ ମଧ୍ୟ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ ତା’ର ପୁରୁଷ ଓ ମହିଳା ଦଳ ଘୋଷଣା କରିଥିଲା। ତେବେ ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ଚାଇନିଜ ତାଇପେଇ, ଆଲଜେରିଆ ସହ ଇଣ୍ଡୋନେସିଆ ଓ ଦକ୍ଷିଣ କୋରିଆ କୋଭିଡ୍‌-୧୯ ପାଇଁ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ଫଳରେ ବିଡବ୍ଲ୍ୟୁଏଫ୍‌ ରବିବାର ଏକ ଭର୍ଚୁଆଲ୍‌ କାଉନ୍‌ସିଲ୍‌ ବୈଠକ ଡାକିଥିଲା। ଏଥିରେ ଟୁର୍ନାମେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା।
ସିଙ୍ଗାପୁର ଓ ହଂକଂକୁ ବଦଳ ଦଳ ଭାବେ ଟୁର୍ନାମେଣ୍ଟରେ ସାମିଲ କରିବାକୁ ବିଡବ୍ଲ୍ୟୁଏଫ୍‌ ନିଷ୍ପତ୍ତି ନେଇଥିଲା। ତେବେ ଏହି ଦୁଇ ଦେଶ ଏହି ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜାପାନ ଓ ଚାଇନା ମଧ୍ୟ ଓହରିବା ନେଇ ଚିନ୍ତା କରୁଥିଲେ। ସେପ୍ଟେମ୍ବର ୧୮ ତାରିଖ ଅଂଶଗ୍ରହଣ କରିବା ନିଷ୍ପତ୍ତିର ଶେଷ ତାରିଖ ଥିଲା। ସାଇନା ନେହ୍ବାଲ, ପି.ଭି. ସିନ୍ଧୁଙ୍କ ଭଳି ତାରକା ଭାରତୀୟ ଖେଳାଳି ଟୁର୍ନାମେଣ୍ଟର ଟାଇମିଂ ନେଇ ପ୍ରଶ୍ନ ଉଠାଇଥିଲେ। ଉବର କପ୍‌ରେ ଏହି ଦୁଇ ଖେଳାଳି ଭାରତର ନେତୃତ୍ୱ ନେଇଥାନ୍ତେ। ସେହିପରି ଥୋମାସ କପ୍‌ରେ କିଡାମ୍ବୀ ଶ୍ରୀକାନ୍ତଙ୍କ ନେତୃତ୍ୱରେ ଭାରତ ପଡିଆକୁ ଓହ୍ଲାଇଥାନ୍ତା।

Share